ନୂଆଦିଲ୍ଲୀ: ୨୦୨୬ ଫେବୃଆରୀ ୨୮ ତାରିଖ ସକାଳେ ତେହେରାନର ସାଧାରଣ ନାଗରିକ ନିଜର ଦୈନନ୍ଦିନ ଜୀବନଯାତ୍ରାରେ ବ୍ୟସ୍ତ ଥିଲେ । ଏହି ସମୟରେ ହଠାତ୍ ଆକାଶରୁ ବୋମା ଓ ମିସାଇଲ ବର୍ଷା ହୋଇଥିଲା। ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଜୋରଦାର ଆକ୍ରମଣ କରିଥିଲେ । ବିସ୍ଫୋରଣରେ ସମଗ୍ର ମଧ୍ୟପ୍ରାଚ୍ୟ ଦୋହଲି ଉଠିଥିଲା । ଯୁଦ୍ଧର ପ୍ରଥମ ଦିନରେ ହିଁ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇ ପ୍ରାଣ ହରାଇଥିଲେ। ଏହା ସହିତ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ 'ହର୍ମୁଜ ପ୍ରଣାଳୀ' (Strait of Hormuz) କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ସାମରିକ ଅଭିଯାନକୁ ‘ଅତି ତୀବ୍ର’ ବୋଲି ଆଖ୍ୟା ଦେଇଥିଲେ, ତାହା ଆଜି ୧୦୦ ଦିନ ଅତିକ୍ରମ କରିସାରିଥିଲେ ମଧ୍ୟ ଥମିବାର ନାଁ ନେଉନାହିଁ।

ବାହ୍ୟ ଆକ୍ରମଣର ପ୍ରାୟ ଦୁଇ ମାସ ପୂର୍ବରୁ ଇରାନ ଭିତରେ ବ୍ୟାପକ ଜନଅସନ୍ତୋଷ ଏବଂ ସରକାର ବିରୋଧୀ ଆନ୍ଦୋଳନ ଚାଲିଥିଲା। ସମଗ୍ର ଦେଶ ଏକ ପ୍ରକାର ନିଆଁରେ ଜଳୁଥିଲା। ୧ ଜାନୁଆରୀ ୨୦୨୬ରେ ଲୋରେସ୍ତାନ ପ୍ରାନ୍ତର ଅଜନା ସହରରେ ଆନ୍ଦୋଳନକାରୀମାନେ ଏକ ପୋଲିସ ଷ୍ଟେସନ ବାହାରେ ଗାଡ଼ି ଭଙ୍ଗାରୁଜା କରି ନିଆଁ ଲଗାଇ ଦେଇଥିଲେ। ଭିଡ଼ ଦ୍ୱାରା ପୋଲିସ ମୁଖ୍ୟାଳୟ ଉପରେ ଆକ୍ରମଣର ଉଦ୍ୟମ କରାଯାଇଥିଲା। ୮ ଜାନୁଆରୀ ୨୦୨୬ରେ ତେହେରାନର ହଫ୍ତେ ତିର ସ୍କୋୟାର ନିକଟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଦେଶରେ ୪ ଦିନ ଧରି ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ବ୍ଲାକଆଉଟ୍ କରାଯାଇଥିବାରୁ ଏହି ସୂଚନା ବହୁ ବିଳମ୍ବରେ ବାହାରକୁ ଆସିଥିଲା।

୧୧ ଜାନୁଆରୀ ୨୦୨୬ରେ ତେହେରାନର କହରିଜକ ମେଡିକାଲ ସେଣ୍ଟର ବାହାରେ ଶହ ଶହ ମୃତଦେହ ଜମା ହୋଇଥିଲା, ଯାହାକୁ ଇରାନ ସରକାର ସଶସ୍ତ୍ର ଆତଙ୍କବାଦୀଙ୍କ କାର୍ଯ୍ୟାନୁଷ୍ଠାନ ବୋଲି ଦର୍ଶାଇଥିଲେ। ଏହି ଅସ୍ଥିରତା ମଧ୍ୟରେ ତତ୍କାଳୀନ ସର୍ବୋଚ୍ଚ ନେତା ଖାମେନେଇ ଆମେରିକାକୁ ଆଞ୍ଚଳିକ ମହାଯୁଦ୍ଧର ଚେତାବନୀ ଦେଇଥିଲେ, ଯାହାର ଜବାବରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚୁକ୍ତି ନହେଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ।

'ଅପରେସନ ଏପିକ ଫ୍ୟୁରୀ'ର ଆରମ୍ଭ

ଫେବୃଆରୀ ମାସରେ ଓମାନର ମଧ୍ୟସ୍ଥତାରେ ମାସ୍କଟ ଏବଂ ଜେନେଭାଠାରେ ଇରାନର ପ୍ରତିନିଧି ଅବ୍ବାସ ଆରାଘଚି ଏବଂ ଆମେରିକା ପକ୍ଷରୁ ଜେରେଡ କୁସନରଙ୍କ ମଧ୍ୟରେ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ଆଲୋଚନା ବିଫଳ ହେବା ପରେ, ୨୮ ଫେବୃଆରୀ ୨୦୨୬ ସକାଳେ ଆମେରିକା 'ଅପରେସନ ଏପିକ ଫ୍ୟୁରୀ' (Operation Epic Fury) ଆରମ୍ଭ କରିଥିଲା।

ଆମେରିକାର ବିଶାଳ ଯୁଦ୍ଧପୋତ 'USS ଜେରାଲ୍ଡ ଆର. ଫୋର୍ଡ'ରୁ ଫାଇଟର ଜେଟ୍ଗୁଡ଼ିକ ଇରାନ ଅଭିମୁଖେ ଉଡ଼ାଣ ଭରିଥିଲେ ଏବଂ ଶହ ଶହ ମିସାଇଲ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ମୀନାବ ସହରର ଏକ ବାଳିକା ବିଦ୍ୟାଳୟ ସମେତ ତେହେରାନ ସ୍ଥିତ ସର୍ବୋଚ୍ଚ ନେତାଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ଏବଂ ଖାମେନେଇଙ୍କ ମୃତ୍ୟୁ ଘଟିଥିଲା।

ଇରାନର ପ୍ରତିଆକ୍ରମଣ

ପ୍ରଥମ ଆକ୍ରମଣ ପରେ ଇରାନର ସାମରିକ ସଂଗଠନ 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର' (IRGC) ପକ୍ଷରୁ ଭୟଙ୍କର ପ୍ରତିଶୋଧ ନିଆଯାଇଥିଲା । ବାହରିନର ମନାମାଠାରେ ଥିବା ଆମେରିକାର ପଞ୍ଚମ ନୌସେନା ସେଣ୍ଟର (Fifth Fleet Service Center) କୁ ମିସାଇଲ ଦ୍ୱାରା ଉଡ଼ାଇ ଦିଆଗଲା। ମାର୍ଚ୍ଚ ୧ ତାରିଖରେ ଇରାନ ଅନ୍ତର୍ଜାତୀୟ ଜଳପଥ ହର୍ମୁଜ ଷ୍ଟ୍ରେଟ୍କୁ ସମ୍ପୂର୍ଣ୍ଣ ସିଲ୍ କରିଦେଲା। ତେଲ ଅଭିଭ୍ର ଆବାସିକ ଅଞ୍ଚଳରେ ଇରାନର ମିସାଇଲ ପଡ଼ିବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

କୁଏତ ଆକାଶରେ ଆମେରିକାର ସାମରିକ ବିମାନକୁ ଖସାଇ ଦିଆଯିବା ସହ ସାଉଦି ଆରବର ପ୍ରସିଦ୍ଧ 'ଆରାମକୋ' (Aramco) ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଡ଼ କରିଥିଲା ଇରାନ । ଯୁଦ୍ଧ ଆରମ୍ଭ ହେବାର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ଅନେକ ବଡ଼ ଧରଣର ବିପର୍ଯ୍ୟୟ ଘଟିଥିଲା । ଦୁବାଇ ସ୍ଥିତ ଆମେରିକୀୟ ଦୂତାବାସ (Consulate) ଉପରେ ଆକ୍ରମଣ ଏବଂ କୁମ ସହରରେ ଇରାନର 'ଆସେମ୍ବଲି ଅଫ୍ ଏକ୍ସପର୍ଟସ'ର ସଚିବାଳୟ ଧ୍ୱଂସ।

ମାର୍ଚ୍ଚ ୪: ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଆମେରିକୀୟ ବୁଡ଼ାଜାହାଜ ଆକ୍ରମଣରେ ଇରାନର ଯୁଦ୍ଧପୋତ IRIS Dena ବୁଡ଼ିଗଲା, ଯେଉଁଥିରୁ ୮୭ଟି ମୃତଦେହ ଉଦ୍ଧାର କରାଯାଇଥିଲା।

ମାର୍ଚ୍ଚ ୭ : କୁଏତର ଶୁଆଇବା ବନ୍ଦରରେ ଡ୍ରୋନ୍ ମାଡ଼ ଯୋଗୁଁ ଆମେରିକାର ୬ ଜଣ ସୈନିକ ସହୀଦ ହୋଇଥିଲେ। ସେହିପରି ତେହେରାନର ଶାହରାନ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।

ମାର୍ଚ୍ଚ ୯: ଇରାନର ନୂତନ ସର୍ବୋଚ୍ଚ ନେତା ଭାବେ ମୋଜତବା ଖାମେନେଇ (ଆୟତୁଲ୍ଲା ଖାମେନେଇଙ୍କ ପୁଅ) କାର୍ଯ୍ୟଭାର ଗ୍ରହଣ କରିଥିଲେ, ଯିଏ ପରବର୍ତ୍ତୀ ସମୟରେ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।

ହିଜବୁଲ୍ଲାର ପ୍ରବେଶ

ଏହି ଯୁଦ୍ଧ କେବଳ ଦୁଇଟି ଦେଶ ମଧ୍ୟରେ ସୀମିତ ନରହି ସମଗ୍ର ଅଞ୍ଚଳକୁ ବ୍ୟାପିଥିଲା। ଲେବନାନର ସଶସ୍ତ୍ର ସଂଗଠନ ହିଜବୁଲ୍ଲା ଇରାନ ସପକ୍ଷରେ ଇସ୍ରାଏଲ ଉପରେ ହଜାର ହଜାର ରକେଟ ମାଡ଼ କରିଥିଲା। ଏପ୍ରିଲ ମାସରେ ଶାନ୍ତି ଆଲୋଚନା ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ଇସ୍ରାଏଲ ପକ୍ଷରୁ ବେରୁତ ଉପରେ କରାଯାଇଥିବା ପ୍ରଳୟଙ୍କରୀ ବୋମାବର୍ଷା ଯୋଗୁଁ ମାତ୍ର ୧୦ ମିନିଟରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା। ମେ ୩୧ ସୁଦ୍ଧା ଇସ୍ରାଏଲ ସେନା ଦକ୍ଷିଣ ଲେବନାନ ମଧ୍ୟକୁ ପ୍ରବେଶ କରିସାରିଥିଲା।

ବିଶ୍ୱ ଅର୍ଥନୀତି ଏବଂ ମାନବୀୟ ସଙ୍କଟ

ସିଏନବିସି (CNBC) ର ରିପୋର୍ଟ ଅନୁଯାୟୀ, ଏହି ୧୦୦ ଦିନର ଯୁଦ୍ଧ ବିଶ୍ୱକୁ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଠେଲି ଦେଇଛି ।ହର୍ମୁଜ ଜଳପଥ ବନ୍ଦ ହେବା ହେତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟ ଆକାଶଛୁଆଁ ହୋଇଛି।ଆମେରିକୀୟ ବଜାର ସାମାନ୍ୟ ସୁଧୁରିଥିଲେ ହେଁ, ଶକ୍ତି ସଙ୍କଟ ଯୋଗୁଁ ୟୁରୋପୀୟ ବଜାର ଏବେ ମଧ୍ୟ ମାନ୍ଦା ଚାଲିଛି।ୟୁରୋପୀୟ ସଂଘ (EU) ପକ୍ଷରୁ ଜଳପଥରେ ବାଧା ସୃଷ୍ଟି କରିବା ଅଭିଯୋଗରେ IRGC ର ଡେପୁଟି କମାଣ୍ଡର ମହମ୍ମଦ ଆକବରଜାଦେହ ଏବଂ ଇରାନର ପେଟ୍ରୋକେମିକାଲ୍ସ ୟୁନିୟନ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଯାଇଛି।

ବର୍ତ୍ତମାନର ସ୍ଥିତି

ଯୁଦ୍ଧର ୧୦୦ ଦିନ ପରେ ମଧ୍ୟ କୌଣସି ସ୍ଥାୟୀ ସମାଧାନର ପନ୍ଥା ବାହାରି ପାରିନାହିଁ। ବର୍ତ୍ତମାନ ସୁଦ୍ଧା ୩,୫୯୩ ଜଣ ସାଧାରଣ ନାଗରିକ ଓ ସୈନ୍ୟଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ଶରଣାର୍ଥୀ ପାଲଟିଛନ୍ତି। ଆମେରିକାରେ ନିର୍ବାଚନ ମାହୋଲ ଥିବା ବେଳେ ଏବଂ ଇରାନର ନୂତନ ନେତୃତ୍ୱ ଅସ୍ଥିର ଥିବାରୁ, ଏହି ଯୁଦ୍ଧ ଆଗକୁ କେଉଁ ମୋଡ଼ ନେବ ତାହା ସମ୍ପୂର୍ଣ୍ଣ ଅନିଶ୍ଚିତତା ମଧ୍ୟରେ ରହିଛି।