ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ଡେଇଁଲା ପାକିସ୍ତାନ। ହୁତି ବିଦ୍ରୋହୀଙ୍କୁ କଲା ଆକ୍ରମଣ। ମକ୍କା ସାମରିକ ଚୁକ୍ତି ଅନୁସାରେ ପାକିସ୍ତାନ ସାଉଦି ଆରବକୁ ସାମରିକ ସହାୟତା ପଠାଇଛି। ହୁତିଙ୍କୁ ଆକ୍ରମଣ କରିବା ପାଇଁ ପାକିସ୍ତାନ ବାୟୁସେନାର ସହଯୋଗ ନିଆଯାଉଛି ବୋଲି ନ୍ୟୁୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି।

ନ୍ୟୁୟର୍କ ଟାଇମ୍ସକୁ ଜଣେ ବରିଷ୍ଠ ପାକିସ୍ତାନ ସେନା ଅଧିକାରୀ ନାଁ ଗୋପନ ରଖି ଏହି ସୂଚନା ଦେଇଛନ୍ତି। ସାମରିକ ସହୟୋଗ ନେଇ ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୭ ତାରିଖରେ ହୋଇଥିବା ମକ୍କା ପ୍ୟାକ୍ଟ ଅଧୀନରେ ପାକିସ୍ତାନ ଏହି ସୈନ୍ୟ ପ୍ରେରଣ କରିଛି। କାରଣ ଗତ କିଛିଦିନ ହେବା ସାଉଦିରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ବଢ଼ି ଯାଇଛି। ସାଧାରଣ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରି ହୁତି ଆକ୍ରମଣ ଜାରି ରଖିଛି। ତେଣୁ ପାକିସ୍ତାନ ଚୁକ୍ତି ଅନୁସାରେ ସାଉଦିକୁ ସେନା ପଠାଇଥିବା ପାକିସ୍ତାନୀ ଅଧିକାରୀ ସୂଚନା ଦେଇଛନ୍ତି।

India Condemns Houthi Attacks on Saudi

Also Read- ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ: ସାଉଦି ଉପରେ ହୁତି ଆକ୍ରମଣକୁ କଡା ନିନ୍ଦା କଲା ଭାରତ

ଏହା ପୂର୍ବରୁ ବୁଧବାର ଆମେରିକା ସେନା ସାଉଦି ଆରବରେ ମୁତୟନ ହୋଇଥିବା ନେଇ ଆମେରିକା ଗଣମାଧ୍ୟମ ସିଏନଏନ୍‌ ରିପୋର୍ଟ ପ୍ରକାଶ କରିଥିଲା। ପାକିସ୍ତାନର ସାମରିକ ଗଣମାଧ୍ୟମ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ସିଏନ୍‌ଏନ୍‌ ସିଏନଏନକୁ ଏନେଇ ସ୍ପଷ୍ଟ ସୂଚନା ଦେଇଥିଲେ। ସାଉଦିରେ ପାକିସ୍ତାନୀ ସେନା ମୁତୟନ କରାଯାଇଛି ବୋଲି ଯଦିଓ ସେ କହିଥିଲେ, ହେଲେ କେତେ ସେନା ମୁତୟନ କରାଯାଇଛି ସେ ନେଇ କୌଣସି ସୂଚନା ଦେଇ ନଥିଲେ। ଏସବୁ ଗୋପନୀୟ ଥିବାରୁ ସେ ସେମାନଙ୍କ ସଂଖ୍ୟା କିମ୍ବା କ୍ଷମତା ବିଷୟରେ ଚୌଧୁରୀ କୌଣସି ସୂଚନା ପ୍ରଦାନ କରିନାହାନ୍ତି।

୧୦ ବର୍ଷ ପରେ ବଦଳୁଛି ପାକିସ୍ତାନ ନିଷ୍ପତ୍ତି

ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷରେ ପାକିସ୍ତାନର ଭୂମିକା ଆହୁରି ବଢ଼ିପାରେ। କାରଣ ସାଉଦି ଓ ତୁର୍କୀ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସାମିରକ ଚୁକ୍ତି ପାକିସ୍ତାନକୁ ପୁଣିଥରେ ସେହି ଯୁଦ୍ଧ ଭିତରକୁ ଟାଣିପାରେ। ତେବେ ପାକିସ୍ତାନ ଦୀର୍ଘଦିନ ଧରି ସାଉଦି ଆରବ ସହ ଘନିଷ୍ଠ ସାମରିକ ଓ ଆର୍ଥିକ ସମ୍ପର୍କ ରଖିଆସିଛି। ଏପଟେ ଇରାନ ସହ ମଧ୍ୟ ଭଲ ସମ୍ପର୍କ ଥିବାରୁ ଇସ୍ଲାମାବାଦ ଦୀର୍ଘଦିନ ଧରି ଏହି ବିବାଦରୁ ଦୂରେଇ ରହୁଥିଲା। ୨୦୧୫ରେ ପାକିସ୍ତାନ ସଂସଦରେ ସାଉଦି ନେତୃତ୍ୱାଧୀନ ଇୟେମେନର ସାମରିକ ଅଭିଯାନରେ ଯୋଗ ନଦେବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା। ହେଲେ ୧୦ ବର୍ଷ ପରେ ପାକିସ୍ତାନର ନିଷ୍ପତ୍ତି ବଦଳୁଥିବା ଦେଖିବାକୁ ମିଳୁଛି।

ତେବେ ବର୍ତ୍ତମାନର ସ୍ଥିତି ପାକିସ୍ତାନ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। କାରଣ ଇସ୍ଲାମାବାଦ ସାଉଦି ଆରବ ପାଇଁ ସୁରକ୍ଷା କବଚ ହେଲେ ଏପଟେ ଇରାନ ସହ ସମ୍ପର୍କ ବିଗିଡ଼ିପାରେ। ହୁତି ଗୋଷ୍ଠୀକୁ ନେଇ ଚାଲିଥିବା ବ୍ୟାପକ ଆଞ୍ଚଳିକ ସଂଘର୍ଷରେ ପାକିସ୍ତାନ ସିଧାସଳଖ ଭାବେ ଜଡ଼ିତ ହୋଇପାରେ। ଯାହା ଇସ୍ଲାମାବାଦକୁ ଭବିଷ୍ୟତରେ ଅଡ଼ୁଆରେ ପକାଇପାରେ।