ନୂଆଦିଲ୍ଲୀ: ଅହମ୍ମଦାବାଦରେ ହେବାକୁ ଥିବା IPL-2026ର ଫାଇନାଲ୍ ମ୍ୟାଚ୍ ଦେଖିବାକୁ ମୋହସିନ ନକଭିଙ୍କୁ ଆମନ୍ତ୍ରଣ କରାଯାଇଛି । ଏନେଇ ଏକ ପତ୍ର ପାଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ମୋହସିନ ନକଭି । ପାକିସ୍ତାନର Geo TV ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପିସିବି ମୁଖ୍ୟ ମୋହସିନ ନକଭି, ପାକିସ୍ତାନର ଗୃହମନ୍ତ୍ରୀ । ଏହା ସହ ସେ ଏସୀୟ କ୍ରିକେଟ କାଉନସିଲ ମଧ୍ୟ ସଭାପତି ଅଛନ୍ତି । ତେବେ ମେ’ମାସର ଶେଷ ଆଡ଼କୁ ଅହମ୍ମଦାବାଦରେ ଆଇସିସିର ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ସେହିଭଳି ମେ’ ୩୧ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଆଇପିଏଲର ଫାଇନାଲ୍ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ । ଆଇସିସି ବୈଠକ ଏବଂ ଆଇପିଏଲ ଫାଇନାଲ୍ ମ୍ୟାଚ୍ ଲାଗି ମୋହସିନ ନକଭିଙ୍କୁ ଆମନ୍ତ୍ରଣ କରାଯାଇଛି ।

ସେପଟେ ମୋହସିନ ନକଭି ତାଙ୍କୁ ମିଳିଥିବା ନିମନ୍ତ୍ରଣ ପତ୍ରକୁ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ଭାରତ ଆସିବେ କି ନାହିଁ, ନିଷ୍ପତ୍ତି ନେବେ ଶାହବାଜ ଶରିଫ । ତେବେ ଆଇସିସି (ICC)ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC)ର ଭବିଷ୍ୟତର ରୂପରେଖକୁ ନେଇ ବୈଠକ ହେବାକୁ ଯାଉଛି । ଏଥିରେ CEC ଏବଂ ବୋର୍ଡ ବୈଠକ ସାମିଲ ରହିଛି।

‘ଜିଓ ଟିଭି’ର ରିପୋର୍ଟ ଅନୁଯାୟୀ, ମେ ୨୧ ତାରିଖରେ ଭର୍ଚୁଆଲ୍ ମାଧ୍ୟମରେ ସିଇସି (CEC) ବୈଠକ ଅନୁଷ୍ଠିତ ହେବ। ଏହା ପରେ ମେ ୩୦ ଏବଂ ୩୧ ତାରିଖରେ ଅହମ୍ମଦାବାଦଠାରେ ଆଇସିସିର ସଦସ୍ୟମାନଙ୍କ ଉପସ୍ଥିତିରେ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବିଶେଷ କଥା ହେଉଛି, ମେ ୩୧ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହିଁ ଚଳିତ ଆଇପିଏଲ୍-୨୦୨୬ (IPL 2026) ର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଢାଞ୍ଚା କିପରି ହେବ, ସେ ନେଇ ଆଇସିସି ବୈଠକରେ ନିଷ୍ପତ୍ତି ନିଆଯିବ। ମେ ୨୧ରେ ଅନ୍ଲାଇନ୍ ବୈଠକ ହେବାକୁ ଥିବା ବେଳେ ମେ ୩୦ ଓ ୩୧ରେ ଅହମ୍ମଦାବାଦରେ ମୁହାଁମୁହିଁ ଆଲୋଚନା ହେବ। ମେ ୩୧ରେ ଅହମ୍ମଦାବାଦରେ ଆଇପିଏଲ୍ ଫାଇନାଲ୍ ସହ ଆଇସିସି ବୋର୍ଡ ବୈଠକର ସମାପନ ହେଉଥିବାରୁ ଏହି ଦିନ କ୍ରିକେଟ ଜଗତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ପିସିବି ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି, ହେଲେ ସେ ଭାରତ ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ଭଲ ନାହିଁ । ଗତ ଏସିଆ କପରେ ନକଭିଙ୍କ ହାତରୁ କପ୍ ଗ୍ରହଣ କରିନଥିଲା ଚାମ୍ପିଅନ ଭାରତୀୟ କ୍ରିକେଟ ଟିମ୍ । ଏହା ପରେ ନକଭି କପକୁ ନେଇଯାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ ଏବେ ବି ବିବାଦ ଲାଗି ରହିଛି ।