ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଜବାବରେ ଭାରତର ଅପରେସନ ସିନ୍ଦୁର କରିଥିଲା। ଯାହାପର ଠାରୁ ଦୁଇ ଦେଶର ସେନା ମଧ୍ୟରେ ଏବେ ବି ଉତ୍ତେଜନା ଦେଖା ଦେଇଛି। ସେହିପରି କ୍ରିକେଟରେ ମଧ୍ୟ ଏସିଆ କପ୍‌ ଠାରୁ ଦୁଇ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ଜିତିଥିବା ଏସିଆ କପ୍ ଟ୍ରଫିକୁ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହଶୀନ ନକବୀ ନେଇଯିବା ପରଠାରୁ ଉଭୟ ବୋର୍ଡ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି।
ଏଥର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବ)କୁ ଏକ ନୂଆ ଅଭିଯୋଗ ଆଧାରରେ ଘେରିବାକୁ ଉଦ୍ୟମ ଆରମ୍ଭ କରିଛି। ଦୁବାଇରେ ଚାଲିଥିବା ଆଇସିସି ବୈଠକରେ ବିସିସିଆଇ ପିସିବିକୁ ଟାର୍ଗେଟ୍ କରିବ ବୋଲି ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି।
ବିଶେଷ ସୂତ୍ରରୁ ଖବର ନେଇ ଟେଲିକମ୍ ଏସିଆ ସ୍ପୋର୍ଟର ରିପୋର୍ଟ ପ୍ରକାଶ କରିଛି ଯେ ବିସିସିଆଇ ମୋହସିନ୍ ନକଭିଙ୍କ ବିରୁଦ୍ଧରେ ଅଭିଯୋଗର ଏକ ତାଲିକା ପ୍ରସ୍ତୁତ କରିଛି। ଏବଂ ତାଙ୍କର ଦୁଇଟି ସାର୍ବଜନୀନ ଏବଂ କ୍ରୀଡ଼ା ପଦବୀରେ ରହିବାର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇବାକୁ ଯୋଜନା କରୁଛି। ନକଭି ବର୍ତ୍ତମାନ ପିସିବି ଚେୟାରମ୍ୟାନ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ଅଛନ୍ତି। ତା ସହିତ ସେ ପାକିସ୍ତାନର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ICC ନିୟମାବଳୀ ଉଲ୍ଲଂଘନ କରୁଛି ବୋଲି ବିସିସିଆଇ ଅଭିଯୋଗ କରିଛି।


ଦୁଇବାଇରେ ଚାଲିଥିବା ଆଇସିସି ବୈଠକରେ ଭାରତ ଏହି ଅଭିଯୋଗ ଉଠାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ଏହାକୁ ସମର୍ଥନ କରିପାରେ ବୋଲି ଆଶା କୁହାଯାଉଛି। କାରଣ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଦୌ ଭଲ ନାହିଁ। ବଡ଼ କଥା ହେଲା ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ରେ ୩ ଆଫଗାନିସ୍ତାନ କ୍ରିକେଟରଙ୍କ ମୃତ୍ୟୁ ପରେ ଏସିବି ପିସିବି ଉପରେ ଖପ୍ପା ହୋଇଛି। ଏବଂ ପାକିସ୍ତାନ ସହିତ ଖେଳିବାକୁ ଥିବା ଟି-୨୦ ଟ୍ରାଇ ସିରିଜ୍‌ରୁ ଓହରି ଯାଇଛି।
ଟେଲିକମ୍ ଏସିଆ ସ୍ପୋର୍ଟ ୱେବ୍‌ସାଇଟ୍‌କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ସମ୍ପର୍କିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି “ଆଫଗାନିସ୍ତାନ ଭାରତର ମତକୁ ସମର୍ଥନ କରିବ। ନକଭିଙ୍କୁ ତାଙ୍କର ଗୋଟିଏ ପଦବୀ ଛାଡିବାକୁ ଦାବି କରିବ। କିନ୍ତୁ ନକଭି ପଛକୁ ହଟିବାର ସମ୍ଭାବନା କମ୍।”
ଆଇସିସି ବୈଠକରେ ଯୋଗ ଦେବେ ତ ନକଭି?
ଆଇସିସି ବୋର୍ଡ ବୈଠକରେ ପିସିବି ମୁଖ୍ୟ ନକବୀଙ୍କ ଯୋଗ ଦେବା ଅନିଶ୍ଚିତା ଭିତରେ ରହିଛି। ପୂର୍ବରୁ ପିଟିଆଇ ରିପୋର୍ଟରେ କହିଥିଲା ଯେ ଘରୋଇ ରାଜନୈତିକ ସମସ୍ୟା ଯୋଗୁ ନକୀବ ହୁଏତ ବୈଠକରେ ଯୋଗ ଦେବେ ନାହିଁ। ତାଙ୍କ ସ୍ଥାନରେ ପିସିବିର ମୁଖ୍ୟ ପରିଚାଳନା ଅଧିକାରୀ ସୁମୈର ସୟଦ ଯୋଗ ଦେଇପାରନ୍ତି। ହେଲେ ଟେଲିକମ୍ ଏସିଆ ସ୍ପୋର୍ଟ ରିପୋର୍ଟ କହିଛି ଯେ ନକବୀ ଏବେ ନଭେମ୍ବର ୭ ରେ ଦୁବାଇ ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ହେଲେ ପାକିସ୍ତାନ ସଂସଦରେ ତାଙ୍କ ସମ୍ବିଧାନ ସଂଶୋଧନ ଜନିତ ଏକ ଆଲୋଚନା ରହିଛି। ଯଦି ଏହା ସମାନ ସମୟରେ ନ ପଡ଼େ ତେବେ ନକବୀ ବୈଠକରେ ନିଶ୍ଚୟ ଯୋଗ ଦେବେ ବୋଲି ଟେଲିକମ ଏସିଆ କହିଛି। ଯଦି ନକଭି ବୈଠକରେ ଯୋଗ ଦିଅନ୍ତି, ତେବେ ବିସିସିଆଇର ସର୍ବପ୍ରଥମେ ଏସିଆ କପ୍ ଟ୍ରଫି ବିଷୟରେ ଉଠାଇବ। ଯାହା ଏବେ ବି ଦୁବାଇର ଏସିସି ମୁଖ୍ୟାଳୟରେ ପଡ଼ି ରହିଛି।


ଏସିଆ କପ ଟ୍ରଫି ବିବାଦ
ସେପ୍ଟେମ୍ବର ୨୮ ତାରିଖ ଏସିଆ କପ୍ ଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ହରାଇ ଟ୍ରଫି ଜିତି ଥିଲା। ଏସୀୟ କ୍ରିକେଟ୍ ପରିଷଦ ସଭାପତି ଭାବେ ଟ୍ରଫି ଦେବାକୁ ଆସିଥିଲେ ପିସିବି ମୁଖ୍ୟ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହଶୀନ ନକବୀ। ହେଲେ ପାକିସ୍ତାନ  ସଂସଦରେ ତାଙ୍କର ପଦବୀ ପାଇଁ ଭାରତ ତାଙ୍କ ହାତରୁ ଟ୍ରଫି ନେବାକୁ ଅସ୍ୱୀକାର କରିଥିଲା। ଏହାପରେ ନକବୀ ଅତି ଅସୌଜନ୍ୟତା ଦେଖାଇ ଟ୍ରଫି ନିଜ ସହ ନେଇ ପଳାଇଯାଇଥିଲେ। ଯାହା ଏବେ ବି ଏସିସି ମୁଖ୍ୟାଳୟରେ ପଡ଼ି ରହିଛି।  
ସେବେଠାରୁ, ବିସିସିଆଇ ଟ୍ରଫି ହସ୍ତାନ୍ତର ପାଇଁ ବାରମ୍ବାର ଅନୁରୋଧ କରିଆସିଛି, କିନ୍ତୁ ନକଭି ଟ୍ରଫି ନିଜ ହାତରେ ଭାରତକୁ ଦେବେ ବୋଲି ଜିଦ୍ ଧରି ବସିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତର ବିରୋଧ ପରେ ନକଭି ପରେ ନଭେମ୍ବର ୫ ରେ ଦୁବାଇରେ ସ୍ୱନ୍ତ୍ର  ଭାବେ ଆୱର୍ଡ ହସ୍ତାନ୍ତର ଉତ୍ସବ ଆୟୋଜନ କରି ଟ୍ରଫି ନିଜ ହାତରେ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ। ହେଲେ ବିସିସିଆଇ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା ଆଉ ICC ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଥିଲା। ମାମଲା ସେବେଠାରୁ ଅମିମାଂଶିତ ହୋଇ ପଡ଼ି ରହିଛି।