ଇସଲାମାବାଦ: ଋଣ ଜାଲରେ ଛନ୍ଦି ହୋଇଗଲାଣି ପାକିସ୍ତାନ। ପାକିସ୍ତାନ କେନ୍ଦ୍ର ସରକାରଙ୍କର ଋଣ ପରିମାଣ ଏବେ ସର୍ବୋଚ୍ଚ ସ୍ତର ୮୧.୯୩ ଟ୍ରିଲିୟନ ପାକିସ୍ତାନ ଟଙ୍କାରେ ପହଞ୍ଚିଛି। ଏକ ରିପୋର୍ଟ ଅନୁଯାୟୀ, କେବଳ ଏପ୍ରିଲ ମାସରେ ଏହି ଋଣ ୧.୪ ଟ୍ରିଲିୟନ ଟଙ୍କା ବୃଦ୍ଧି ପାଇଛି। ଦେଶର ବଢ଼ୁଥିବା ଆର୍ଥିକ ଚାପ ଏବଂ ସରକାରୀ ଖର୍ଚ୍ଚ ପାଇଁ ପାକିସ୍ତାନ ଯେ ଋଣ ଉପରେ ନିର୍ଭରଶୀଳ ଏଥିରୁ ତାହା ସ୍ପଷ୍ଟ ହେଉଛି।

ଏନେଇ ବିଜନେସ୍ ରେକର୍ଡର ଜାରି କରିଥିବା ରିପୋର୍ଟରେ କହିଛି ଯେ ସଦ୍ୟତମ ଋଣର ମାତ୍ରା ଦର୍ଶାଉଛି ଯେ ପାକିସ୍ତାନର ସରକାରୀ ଆର୍ଥିକ ବ୍ୟବସ୍ଥାରେ ସ୍ଥାୟୀ ଗଠନମୂଳକ ଦୁର୍ବଳତା ରହିଛି। ଋଣର ସ୍ଥାୟିତ୍ୱ ଏବଂ ଦେଶର ବଢ଼ୁଥିବା ଋଣ ଭାର ନେଇ ବାରମ୍ବାର ସତର୍କ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ ବିଶେଷ ସୁଧାର ଆସି ନାହିଁ ବୋଲି ରେକର୍ଡର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ଋଣରେ ୪ ଟ୍ରିଲିୟନ ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଏହି ମୋଟ ବୃଦ୍ଧି ମଧ୍ୟରୁ ଘରୋଇ ଋଣର ଅଂଶ ୩.୬ ଟ୍ରିଲିୟନ ଟଙ୍କାରୁ ଅଧିକ ଥିବା ବେଳେ ବୈଦେଶିକ ଋଣ ୪୦୦ ବିଲିୟନ ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏପ୍ରିଲ ମାସରେ ଯେଉଁ ହଠାତ୍ ବଡ଼ ଧରଣର ଋଣ ବୃଦ୍ଧି ହୋଇଛି ଏଥିରେ ଉଭୟ ଘରୋଇ ଓ ବୈଦେଶିକ ଋଣ ରହିଛି। ଏହା ସରକାର ବଜେଟ ନିଅଣ୍ଟ ପୂରଣ କରିବା ଏବଂ ପୂର୍ବ ଋଣ ପରିଶୋଧ ପାଇଁ ମଧ୍ୟ ଋଣ ଉପରେ ନିର୍ଭର କରୁଥିବା ସ୍ପଷ୍ଟ ଜଣାପଡ଼ୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପୂର୍ବ ଋଣ ଓ ସୁଧ ସୁଝିବାକୁ ପୁଣି ଋଣ କରୁଛି ପାକିସ୍ତାନ

ପ୍ରକୃତରେ ଋଣର ଏକ ଜଟିଳ ସମସ୍ୟାରେ ପଡ଼ିଯାଇଛି ପାକିସ୍ତାନ। ତାହା ହେଲା ପାକିସ୍ତାନର ପୂର୍ବ ସରକାରମାନେ ଯେଉଁସବୁ ଋଣ ନେଇଥିଲେ, ତାର ସୁଧା ଏବେ ଭାରି ପଡ଼ୁଛି। ତେଣୁ ଏହି ଋଣ ଓ ସୁଧକୁ ସୁଝିବାକୁ ବର୍ତ୍ତମାନର ସରକାର ପୁଣି ଋଣ କରୁଛନ୍ତି। ସେହିପରି ବର୍ତ୍ତମାନର ସରକାରୀ ଖର୍ଚ୍ଚ ଉଠାଇବା ପାଇଁ ମଧ୍ୟ ଋଣ କରି ଚାଲିଛନ୍ତି ପାକିସ୍ତାନ ସରକାର। ଆଉ ଏଭଳି ଧାରା ନିୟମିତ ଜାରି ରହିଛି। ତେଣୁ ଏକ ଋଣ ଚକ୍ର ସୃଷ୍ଟି ହୋଇଛି। ଯେଉଁଥିରୁ ବାହାରିବା ପାକିସ୍ତାନ ପାଇଁ ଦିନକୁ ଦିନ ଅଧିକ କଷ୍ଟସାଧ୍ୟ ହେଉଛି।

ଅର୍ଥଶାସ୍ତ୍ରୀ, ଆନ୍ତର୍ଜାତିକ ଆର୍ଥିକ ସଂସ୍ଥା ଏବଂ ନୀତି ନିର୍ଦ୍ଧାରକମାନେ ଦୁର୍ବଳ ରାଜସ୍ୱ ସଂଗ୍ରହ ଓ ଲଗାତାର ରାଜକୋଷୀୟ ନିଅଣ୍ଟକୁ ନେଇ ବାରମ୍ବାର ସତର୍କ କରିଥିଲେ ମଧ୍ୟ ପାକିସ୍ତାନର ଋଣ ଭାର ଲଗାତାର ବଢ଼ିଚାଲିଛି ବୋଲି ରିପୋର୍ଟରେ କୁହାଯାଇଛି। ବଢ଼ୁଥିବା ଋଣର ବ୍ୟାପକ ଆର୍ଥିକ ପ୍ରଭାବ ମଧ୍ୟ ରହିଛି। କାରଣ ସରକାରୀ ସମ୍ବଳର ଏକ ବଡ଼ ଅଂଶ ଏବେ ଋଣ ପରିଶୋଧରେ ଖର୍ଚ୍ଚ ହେଉଛି। ଫଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଭିତ୍ତିଭୂମି ବିକାଶ ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ବିନିଯୋଗ ପାଇଁ କମ୍ ସମ୍ବଳ ବଞ୍ଚୁଛି। ଯାହାଫଳରେ ଏଗୁଡ଼ିକର ବିକାଶ ହୋଇପାରୁ ନାହିଁ।

Also Read- ପ୍ରେସ୍ ସ୍ୱାଧୀନତାକୁ ମାନେନି, ଟିଭି-ଖବରକାଗଜ ବନ୍ଦ କର...ଉଗାଣ୍ଡା ଲିଲିଟାରୀ ମୁଖ୍ୟଙ୍କ ଏକଛତ୍ରବାଦ ନିର୍ଦ୍ଦେଶ

ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟ ପାକିସ୍ତାନର ଅର୍ଥନୀତି ପାଇଁ ନୂଆ ଅନିଶ୍ଚିତତା ସୃଷ୍ଟି କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ବିଶ୍ୱ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି କରିବା ସହ ଅଧିକ ତୈଳ ଆମଦାନୀ ଖର୍ଚ୍ଚ ଯୋଗୁ ପାକିସ୍ତାନର ବୈଦେଶିକ ଆର୍ଥିକ ସ୍ଥିତି ଉପରେ ଅଧିକ ଚାପ ସୃଷ୍ଟି କରୁଛି।

ରିପୋର୍ଟ ଅନୁଯାୟୀ, ଦେଶର ଆର୍ଥିକ ସ୍ଥିତିକୁ ଦୀର୍ଘମିଆଦି ଭିତ୍ତିରେ ସ୍ଥିର କରିବା ପାଇଁ ପାକିସ୍ତାନକୁ ଅଧିକ ରାଜସ୍ୱ ସଂଗ୍ରହ, ସରକାରୀ ବ୍ୟୟ ଉପରେ କଡ଼ା ନିୟନ୍ତ୍ରଣ ଏବଂ ଲଗାତାର ଗଠନମୂଳକ ସଂସ୍କାର କାର୍ଯ୍ୟକାରୀ କରିବାକୁ ପଡ଼ିବ।

ଋଣ ବୃଦ୍ଧିର ମୂଳ କାରଣଗୁଡ଼ିକର ସମାଧାନ ନ କରାଗଲେ ଆଗାମୀ ବର୍ଷଗୁଡ଼ିକରେ ପାକିସ୍ତାନକୁ ଆହୁରି ଗୁରୁତର ରାଜକୋଷୀୟ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ବିଜନେଶ ରେକର୍ଡର ରିପୋର୍ଟ ପ୍ରକାଶ କରି ସତର୍କ କରାଇଛି।