ଲାହୋର, ୩୧। ୦୭ : ପାକିସ୍ତାନର ବେଲୁଚିସ୍ତାନରେ ଗୁରୁବାର ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଠାରେ ଥିବା ଏକ କୋଇଲା ଖଣିରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୨ରୁ ଅଧିକ ଶ୍ରମିକ ନିଖୋଜ ଅଛନ୍ତି ।

ରିପୋର୍ଟ ଅନୁସାରେ, ବେଲୁଚିସ୍ତାନର ରାଜଧାନୀ କ୍ୱେଟା ନିକଟରେ ଥିବା ସୂରାଞ୍ଜ୍ ଅଞ୍ଚଳରେ ବିସ୍ଫୋରଣ ହୋଇଛି । ଖଣି ଏବଂ ଖନନ ମନ୍ତ୍ରୀ ଶୋଏବ ନୋସେରଓ୍ୱାନୀ କହିଛନ୍ତି ଯେ, ଯେଉଁ ସମୟରେ ଖଣିରେ ବିସ୍ଫୋରଣ ହୋଇଥିଲା ସେଠାରେ ଅନେକ ଶ୍ରମିକ କାମ କରୁଥିଲେ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ଏହାସହ ସେମାନଙ୍କୁ କ୍ଷତିପୂରଣ ଦିଆଯିବ । ଘଟଣାର ତଦନ୍ତ ଚାଲିଛି । ଉଦ୍ଧାରକାର୍ଯ୍ୟକୁ ଜୋରଦାର କରାଯାଇଛି ।

ଅଘଟଣର ଖବର ପାଇବା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଁଚିଥିଲେ । ମାଟିର ୪ ହଜାର ଫୁଟ୍ ତଳେ ରେସ୍କ୍ୟୁ ଅପରେସନ ଆମ୍ଭ ହୋଇଥିଲା । ସ୍ଥାନୀୟ କୋଇଲା ଶ୍ରମିକ ୟୁନିଅନ କହିଛି ଯେ, ଗୁଜବ ପାଇଁ ବିସ୍ପୋରଣ ଘଟିଛି । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ।

ସେହିପରି ପାକିସ୍ତାନର ସେଣ୍ଟ୍ରାଲ୍ ମାଇନ୍ସ ଲେବର ଫେଡେରେସନ ଶ୍ରମିକଙ୍କ ସୁରକ୍ଷା ସମ୍ବନ୍ଧୀୟ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସରକାରଙ୍କୁ କହିଛି । ଖଣିର ନିୟମ ଉଲ୍ଲଙ୍ଘନ କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରାଯାଇଛି ।

Also Read ;- ରବିବାରଠୁ ବଢିବ ବର୍ଷା : ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ଛେଚିବ !

ଅନ୍ୟ ଦିଗରେ ୪ ହଜାର ଫୁଟ ତଳେ ବିସ୍ଫୋରଣ ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ସୁରୁଖୁରୁରେ ଚାଲିପାରୁନି । ବିଷାକ୍ତ ଗ୍ୟାସ୍ ପାଇଁ ଉଦ୍ଧାରକାରୀ ଟିମ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ନିଖୋଜ ଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ପ୍ରୟାସ ଚାଲିଛି ।