ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ପାକିସ୍ତାନ ବାୟୁସେନାର ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ପରେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମୃତ ଅଧିକାରୀଙ୍କ ପରିଚୟକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।

ମୃତ ଅଧିକାରୀଙ୍କୁ ପାକିସ୍ତାନ ବାୟୁସେନା ଗୁଇନ୍ଦା ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ 'ଗ୍ରୁପ୍ କ୍ୟାପଟେନ୍ ଆସିମ୍ ତାରିକ୍' ଭାବେ ଚିହ୍ନଟ କରାଯାଇଛି।  ଇସଲାମାବାଦ ପୋଲିସର କହିବାନୁସାରେ, ଗ୍ରୁପ୍ କ୍ୟାପଟେନ୍ ତାରିକ୍ ନିଜ କାର୍ ଭିତରେ ଥିବା ସମୟରେ ଜଣେ ମହିଳାଙ୍କ ଅପହରଣକୁ ରୋକିବାକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ଗୁଳି କରାଯାଇଥିଲା। ଘଟଣାଟି ବାୟୁସେନା ମୁଖ୍ୟାଳୟ ନିକଟରେ ଘଟିଛି।

ପୋଲିସ ଦେଇଥିବା ଅପହରଣ ମାମଲାର କାହାଣୀକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କିତ ବିବରଣୀରେ ଅସଙ୍ଗତି ଥିବାରୁ ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ଗ୍ରୁପ୍ କ୍ୟାପଟେନ୍ ଆସିମ୍ ତାରିକ୍ ନିକଟରେ ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନରେ କରାଯାଇଥିବା ବାୟୁସେନା ଆକ୍ରମଣର ଯୋଜନା ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ପାକିସ୍ତାନ ସରକାର ଏଯାବତ୍ ଏହି ତଥ୍ୟକୁ ସରକାରୀ ଭାବେ ସ୍ୱୀକାର କରିନାହାନ୍ତି।

ପୋଲିସ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଜଣେ ବରିଷ୍ଠ ବାୟୁସେନା ଅଧିକାରୀଙ୍କୁ ସୁରକ୍ଷିତ ଇସଲାମାବାଦ ସହରରେ ଗୁଳି କରି ହତ୍ୟା କରାଯିବା ଘଟଣା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।