ଭୁବନେଶ୍ୱର ୧୬।୦୩ : ଓଡ଼ିଶା ଉମେନ୍‌ ଇନ୍‌ ମିଡିଆ (ଓଡବ୍ଲୁଏମ୍‌) ର ତୃତୀୟ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି । ସୋଆ ବିଶ୍ୱବିଦ୍ୟାଳୟ ଓ ବେଦାନ୍ତର  ମିଳିତ ଆନୁକୂଲ୍ୟରେ ଆୟୋଜିତ  ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ବକ୍ତାମାନେ ଯୋଗଦେଇ ପେଶାଗତ ଦାୟିତ୍ୱ ସହ ବ୍ୟକ୍ତିଗତ ସୁଖ ଓ ସ୍ୱାସ୍ଥ୍ୟର ସମନ୍ୱୟ ରଖିବାର ଆବଶ୍ୟକତା  ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ପାମେଲା ଫିଲିପୋଜ୍‌ ଅତିଥି ଭାବେ ଯାଗଦେଇ ଦୀର୍ଘ ନ୍ୟୁଜରୁମ୍‌ର ଅନୁଭବ ବାଣ୍ଟି  କହିଥିଲେ ଯେ, ପୂର୍ବରୁ ମହିଳାଙ୍କ  ପାଇଁ ସୁବିଧା କମ୍‌ ଥିଲେ ମଧ୍ୟ ସହଯୋଗମୂଳକ ପରିବେଶ କାମକୁ  ସହଜ କରୁଥିଲା ।

ସେହିପରି ବେଦାନ୍ତା ଏଲୁମିନିୟମ୍‌ର ସିଏସ୍‌ଆର୍‌ ମୁଖ୍ୟ ହରମିତ୍‌ ସେହରା ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସୁଖ  ଏକ ଚୟନ ଓ ମନୋଭାବ । ଆମେ  ନିଜ ନିୟମ ନିଜେ ଲେଖିପାରୁ । ଏହି ଅବସରରେ ପ୍ରଥମ ଓଡବ୍ଲଏମ୍‌ର ‘ଜୀବନ ବ୍ୟାପୀ ସାଧନା ପୁରସ୍କାର’ ବରିଷ୍ଠ ସାମ୍ବାଦିକା ଶାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶ୍ରୀମତୀ ମିଶ୍ର ଡେସ୍କ କାମର ଚାପ ଓ ସତର୍କତା ବିଷୟରେ କହିଥିଲେ  ଯେ, ସାମ୍ବାଦିକମାନେ ସହକର୍ମୀ ଓ ପାଠକଙ୍କ ପ୍ରଶଂସାରେ ଅନେକ ଆନନ୍ଦ ପାଆନ୍ତି । ଏଥିସହିତ ପାରିବାରିକ  ଜୀବନ ଓ ବୃତ୍ତିଗତ ଜୀବନ ମଧ୍ୟରେ ମହିଳାମାନେ କେମିତି ସନ୍ତୁଳନ ରକ୍ଷା କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ଶ୍ରେଷ୍ଠ ଟେଲିଭିଜନ  ସାମ୍ବାଦିକା ଭାବେ ସ୍ୱାତୀ ଜେନା ଓ ଶ୍ରେଷ୍ଠ ଖବରକାଗଜ ସାମ୍ବାଦିକା  ଭାବେ ଗାର୍ଗୀ ଶତପଥୀଙ୍କୁ ସମ୍ମାନିତ  କରାଯାଇଥିଲା । କାର୍ଯ୍ୟକ୍ରମରେ  ଅନୁଷ୍ଠାନର ବାଷି ର୍କ ପତ୍ରିକା  "ଆରୋହୀ' ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଆଇଏମ୍‌ଏସ୍‌  ଓ ସମ୍‌ ହସ୍ପିଟାଲର ଅତିରିକ୍ତ ମେଡିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଡା. ତପସୀ ପତିଙ୍କ ସହ ଏକ ଆଲୋଚନା  ଅନୁଷ୍ଠିତ ହୋଇଥିଲା । ଏଥିରେ ସେ ମହିଳାମାନଙ୍କ ମାନସିକ ଓ  ଶାରୀରିକ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏଥିସହିତ ସମୟ ସମୟରେ ସାମାଜିକ ଗଣମାଧ୍ୟମରୁ ବିରତି ନେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଜଣ  ମହିଳା ସାମ୍ବାଦିକା ଓ ପିଆର୍‌ ପେଶାଜୀବୀ ଯୋଗଦେଇଥିଲେ ।