ନୂଆଦିଲ୍ଲୀ, ୦୪/୦୧ : ଆମେରିକାର ଭେନେଜୁଏଲା ବିରୋଧରେ ଆକ୍ସନ୍ ପରେ ଏବେ ସାରା ବିଶ୍ୱ ଚକିତ । ଯେଉଁଭଳି ଭାବେ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ୟୁଏସ ସେନା ଉଠାଇ ଆଣିଲା ତାହାକୁ ନେଇ ଚର୍ଚ୍ଚା । ଭାରତ ମଧ୍ୟ ଏପରି କିଛି ଆକ୍ସନ ନେଇ ପାକିସ୍ତାନରୁ ଆତଙ୍କବାଦୀକୁ ନେଇ ଆସୁ ବୋଲି କହିଛନ୍ତି ଅସଦୁଦ୍ଦୀନ ଓଓ୍ୱେସୀ ।

ଏଆଇଏମଆଇଏମର ନେତା ଓଓ୍ୱେସୀ କହିଛନ୍ତି ଯେ, ପାକିସ୍ତାନରେ ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି । ଆମେରିକା ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରିପାରୁଛି । ଭାରତ ସରକାର ମୁମ୍ବାଇ ୨୬-୧୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଆଣିବା ଜରୁରୀ ।

ଆମେରିକା କମାଣ୍ଡୋଙ୍କ ଅପେରସନ ସହ ତୁଳନା କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ଭାରତ କଣ ପାଇଁ ଏପରି କାର୍ଯ୍ୟାନୁଷ୍ଠାନ କରୁନାହିଁ । ଯେଉଁମାନେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି ସେମାନଙ୍କୁ ଧରିବା ଦରକାର । ଆମେରିକା ଅନ୍ୟ ଦେଶରେ ପଶି ସେଠାକାର ରାଷ୍ଟ୍ରପତିଙ୍କୁ ନେଇ ଆସୁଛି । ଭାରତ ମଧ୍ୟ ସେପରି ଭାବେ ଆତଙ୍କବାଦୀଙ୍କୁ ଆଣିବା ଦରକାର । ଆହୁରି ମଧ୍ୟ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମାସୁଦ ଅଜହର ଏବଂ ଲଶ୍କର-ଏ-ତୋଏବାର ଅନ୍ୟ ଆତଙ୍କବାଦୀଙ୍କୁ ଉଠାଇ ଆଣନ୍ତୁ ।

ସୂଚନାଯୋଗ୍ୟ, ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କୀଙ୍କ ଗୁଳିରେ ଶହଶହ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହାସହ ଅନେକ ଯବାନ ଏବଂ ପୋଲିସ ଅଧିକାରୀ ସହିଦ ହୋଇଥିଲେ । ଏହା ପଛରେ ମାସୁଦର ଷଡଯନ୍ତ୍ର ଥିବା ପ୍ରମାଣ ମିଳିଥିଲା ।