ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ରୁ ବହୁ ବୈଜ୍ଞାନିକ ଓ ଟେକ୍ନିସିଆନ ଚାକିରି ଛାଡି ଚାଲିଯାଉଛନ୍ତି। ଭାରତୀୟ ବିଜ୍ଞାନର ମୂଳକେନ୍ଦ୍ର କୁହାଯାଉଥିବା ଇସ୍ରୋରୁ ବହୁ ବଡ଼ ବୈଜ୍ଞାନିକ ଇସ୍ତଫା ଦେବା ଭାରତରେ ମହାକାଶ ଗବେଷମା କ୍ଷେତ୍ର ପାଇଁ ଚିନ୍ତାର କାରଣ ପାଲଟିଛି। ଏଇ କିଛି ମାସ ଭିତରେ ଇସ୍ରୋରୁ ଶତାଧିକ ବୈଜ୍ଞାନିକ ଇସ୍ତଫା ଦେଇସାରିଲେଣି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ମହାକାଶ ବିଭାଗ (Department of Space) ଗଭୀର ଚିନ୍ତା ପ୍ରକଟ କରିଛି। ଏବଂ ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛି।

ବିଶେଷକରି ଗଗନଯାନ, ଚନ୍ଦ୍ରଯାନ ଏବଂ ଅନ୍ୟାନ୍ୟ ଜାତୀୟ ଗୁରୁତ୍ୱର ମହାକାଶ ପ୍ରକଳ୍ପରେ କାମ କରୁଥିବା ବୈଜ୍ଞାନିକମାନଙ୍କ ସ୍ୱେଚ୍ଛାକୃତ ଅବସର (VRS) କିମ୍ବା ଇସ୍ତଫା ଆବେଦନକୁ ଆଉ ସହଜରେ ଗ୍ରହଣ କରାଯିବ ନାହିଁ ବୋଲି ଡିଓଏସ୍ କହିଛି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଜୁଲାଇ ୧୪ ତାରିଖରେ ଜାରି ହୋଇଥିବା ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶନାମା ଅନୁଯାୟୀ, ଗଗନଯାନ ଓ ଅନ୍ୟ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସହ ଜଡ଼ିତ ଗ୍ରୁପ୍-ଏ ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ଆବେଦନକୁ ଇସ୍ରୋର ବିଭିନ୍ନ କେନ୍ଦ୍ର ଆଉ ନିଜସ୍ୱ ସ୍ତରରେ ମଞ୍ଜୁର କରିପାରିବେ ନାହିଁ। ସମସ୍ତ ମାମଲା ଚୂଡ଼ାନ୍ତ ଅନୁମୋଦନ ପାଇଁ ମହାକାଶ ବିଭାଗକୁ ପଠାଇବାକୁ ପଡ଼ିବ।

୧୦୦ରୁ ଅଧିକ ବୈଜ୍ଞାନିକ ଛାଡ଼ିଥିବା ଚର୍ଚ୍ଚା

ଇସ୍ରୋରୁ କେତେ ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି ଯଦିଓ ମହାକାଶ ବିଭାଗ ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ, ତେବେ ଇସ୍ରୋର ବିଭିନ୍ନ ସୂତ୍ରରୁ ଟାଇମ୍ସ ଅଫ ଇଣ୍ଡିଆକୁ ମିଳିଥିବା ସୂଚନା ଅନୁଯାୟୀ, ଏଇ କିଛି ମାସ ମଧ୍ୟରେ ୧୦୦ରୁ ୧୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇସାରିଲେଣି। ଏଥିମଧ୍ୟରୁ ବେଙ୍ଗାଲୁରୁସ୍ଥିତ ୟୁ.ଆର୍. ରାଓ ସାଟେଲାଇଟ୍ ସେଣ୍ଟର (URSC) ରୁ ପ୍ରାୟ ୮୦ ଜଣ ଏବଂ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ରୁ ପ୍ରାୟ ୨୦ ଜଣ ବୈଜ୍ଞାନିକ ସଂସ୍ଥା ଛାଡ଼ିଥିବା ଜଣାପଡ଼ିଛି। ଆହୁରି କିଛି ଇସ୍ତଫା ଆବେଦନ ବିଚାରାଧୀନ ଥିବାରୁ ପ୍ରକୃତ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି। 

ବରିଷ୍ଠ ବୈଜ୍ଞାନିକମାନେ ମଧ୍ୟ ଛାଡ଼ିଛନ୍ତି ସଂସ୍ଥା

କନିଷ୍ଠ ଓ ବରିଷ୍ଠ ବୈଜ୍ଞାନିକ ଇସ୍ରୋ ଛାଡ଼ି ଦେଉଛନ୍ତି। ଇସ୍ତଫା ଦେଇଥିବା ବୈଜ୍ଞାନିକଙ୍କ ମଧ୍ୟରେ କିଛି ପ୍ରମୁଖ ନାଁ ରହିଛି। ସେମାନଙ୍କ ମଧ୍ୟରେ LVM3 ପ୍ରକଳ୍ପ ନିର୍ଦ୍ଦେଶକ ଭିକ୍ଟର ଜୋସେଫ, SpaDeX ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଚନ୍ଦ୍ରଯାନ-୩ ମିଶନର ମୁଖ୍ୟ ବୈଜ୍ଞାନିକ ଆଦିତ୍ୟ ରଲ୍ଲାପଲ୍ଲୀ ସାମିଲ ଅଛନ୍ତି। ଆଦିତ୍ୟ ରଲ୍ଲାପଲ୍ଲୀ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପାଇଁ ୧ ଲକ୍ଷରୁ ଅଧିକ ସିମ୍ୟୁଲେସନ୍ କରି ପ୍ରାୟ ୨୫ ଟେରାବାଇଟ୍ ଡାଟା ପ୍ରସ୍ତୁତ କରିଥିଲେ।

ଇସ୍ରୋ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା

ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ଇସ୍ତଫା ଘଟଣାକୁ ସ୍ୱୀକାର କରିଥିଲେ ମଧ୍ୟ ଏହାକୁ ନେଇ ଅତ୍ୟଧିକ ଚିନ୍ତାର କାରଣ ନାହିଁ ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ସଂସ୍ଥାରେ କର୍ମଚାରୀ ଆସନ୍ତି ଓ ଯାଆନ୍ତି। କିନ୍ତୁ ଜାତୀୟ ଗୁରୁତ୍ୱର ପ୍ରକଳ୍ପଗୁଡ଼ିକ ଯେପରି ପ୍ରଭାବିତ ନହେଉ, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। କୌଣସି ବୈଜ୍ଞାନିକ ସଂସ୍ଥା ଛାଡ଼ିଲେ ଅନ୍ୟ ଜଣେ ସେହି ଦାୟିତ୍ୱ ନେବେ ବୋଲି ସେ କହିଛନ୍ତି।

୨୦୨୦ର ନିୟମରେ ପରିବର୍ତ୍ତନ

ନଭେମ୍ବର ୨୦୨୦ରେ ଇସ୍ରୋର ବିଭିନ୍ନ କେନ୍ଦ୍ରର ନିର୍ଦ୍ଦେଶକମାନଙ୍କୁ Scientist/Engineer-SG ସ୍ତର ପର୍ଯ୍ୟନ୍ତ ବୈଜ୍ଞାନିକଙ୍କ ଇସ୍ତଫା ମଞ୍ଜୁର କରିବାର କ୍ଷମତା ଦିଆଯାଇଥିଲା। କିନ୍ତୁ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମାପ୍ତ ନହେବା ପର୍ଯ୍ୟନ୍ତ ଏପରି ଆବେଦନ ଗ୍ରହଣ କରାଯିବ ନାହିଁ ଏବଂ ସମସ୍ତ ନିଷ୍ପତ୍ତି ମହାକାଶ ବିଭାଗ ନେବ।

କାହିଁକି ବଢ଼ିଛି ଚିନ୍ତା?

ଇସ୍ରୋରେ ବର୍ତ୍ତମାନ ୧୪,୬୦୦ରୁ ଅଧିକ କର୍ମଚାରୀ ଥିଲେ ମଧ୍ୟ, ସଂସ୍ଥା ଛାଡ଼ୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ଅନେକେ ଗଗନଯାନ, ଚନ୍ଦ୍ରଯାନ, SpaDeX ଭଳି ଦେଶର ମହତ୍ୱାକାଙ୍ଖୀ ମିଶନ ସହ ସିଧାସଳଖ ଜଡ଼ିତ ଥିଲେ। ତେଣୁ ଖାଲି ପଦ ପୂରଣ କରିବା ଅପେକ୍ଷା ବର୍ଷ ବର୍ଷ ଧରି ସଞ୍ଚିତ ଅଭିଜ୍ଞତା ଓ ଦକ୍ଷତାର ବିକଳ୍ପ ଖୋଜିବା ବଡ଼ ଚ୍ୟାଲେଞ୍ଜ ବୋଲି ଅଧିକାରୀମାନେ ମନେ କରୁଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ୨୦୧୨ରୁ ୨୦୨୪ ମଧ୍ୟରେ ପ୍ରାୟ ୭୦୦ ଜଣ କର୍ମଚାରୀ ଇସ୍ରୋ ଛାଡ଼ିଥିଲେ। ଯଦିଓ ଏବେ ୧,୦୫୦ରୁ ଅଧିକ ବୈଜ୍ଞାନିକ, ବୈଷୟିକ ଓ ପ୍ରଶାସନିକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି, ତେବେ ଗଗନଯାନ, ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର (Bharatiya Antariksh Station) ଏବଂ ଭବିଷ୍ୟତର ଚନ୍ଦ୍ର ଅଭିଯାନକୁ ଦୃଷ୍ଟିରେ ରଖି ଅଭିଜ୍ଞ ବୈଜ୍ଞାନିକମାନଙ୍କୁ ସଂସ୍ଥାରେ ରଖିବାକୁ ବର୍ତ୍ତମାନ ସର୍ବାଧିକ ପ୍ରାଥମିକତା ଦିଆଯାଉଛି।

ଘଟଣାରେ କ’ଣ କହିଲେ କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ?

ଇସ୍ରୋରୁ ବୈଜ୍ଞାନିକମାନଙ୍କ ଇସ୍ତଫା ଏବଂ ଗଗନଯାନ ମିଶନ ସହ ଜଡ଼ିତ ବୈଜ୍ଞାନିକଙ୍କ ସ୍ୱେଚ୍ଛାକୃତ ଅବସର ଓ ଇସ୍ତଫା ଉପରେ କଟକଣା ଲାଗିବାକୁ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ବିବାଦ କିମ୍ବା ବିଶେଷ କାରଣ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ପ୍ରଶାସନିକ କାରଣରୁ ନିଆଯାଇଛି।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜିତେନ୍ଦ୍ର ସିଂହ କହିଛନ୍ତି "ଏହା କେବଳ ପ୍ରଶାସନିକ ବ୍ୟବସ୍ଥା, ଯାହାଦ୍ୱାରା ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ସମ୍ବନ୍ଧୀୟ ନିଷ୍ପତ୍ତି ଉଚ୍ଚ ସ୍ତରରେ ଓ ଅଧିକ ପରିପକ୍ୱ ଭାବରେ ନିଆଯାଇପାରିବ।" ସେ କହିଥିଲେ ଯେ, ଇସ୍ରୋ ଏକ ବଡ଼ ସଂସ୍ଥା। ଏଠାରେ କିଛି କର୍ମଚାରୀ ଚାକିରି ଛାଡ଼ୁଥିବା ବେଳେ ନୂଆ ଲୋକ ମଧ୍ୟ ଯୋଗ ଦେଉଛନ୍ତି। "ଅନେକେ ଯାଇଛନ୍ତି, ପୁଣି ଅନେକେ ଆସିଛନ୍ତି। ଏହାକୁ ନେଇ କୌଣସି ବିବାଦ ନାହିଁ। 

ଭାରତର ମାନବ ମହାକାଶ ଅଭିଯାନ ଗଗନଯାନ ସମ୍ପର୍କରେ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, କୌଣସି ଜଣେ ବୈଜ୍ଞାନିକ ଅବସର ନେଲେ କିମ୍ବା ଚାକିରି ଛାଡ଼ିଦେଲେ ମିଶନ ବନ୍ଦ ହୋଇଯିବ ନାହିଁ। ଇସ୍ରୋରେ କାର୍ଯ୍ୟର ଏକ ନିରନ୍ତର ପ୍ରକ୍ରିୟା ରହିଛି ଏବଂ ଅବସରପ୍ରାପ୍ତ ବୈଜ୍ଞାନିକମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପରେ ନିଜର ଅଭିଜ୍ଞତା ଦେଇ ସହଯୋଗ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କାହିଁକି ଇସ୍ରାୋ ଛାଡ଼ୁଛନ୍ତି ବୈଜ୍ଞାନିକ ?

ଇସ୍ରୋରୁ ଏତେ ସଂଖ୍ୟକ ବୈଜ୍ଞାନିକମାନେ ଇସ୍ରୋ ଛାଡ଼ିବାର ମୂଳ କାରଣ ହେଉଛି ଘରୋଇ କମ୍ପାନୀରୁ ମିଳୁଥିବା ଭଲ ଅଫର। ଭାରତର ବେସରକାରି ମହାକାଶ କ୍ଷେତ୍ର (Private Space Sector) ଦ୍ରୁତ ଗତିରେ ବିକାଶ କରୁଛି। ସରକାର ବଡ଼ ବଡ଼ ସାଟେଲାଇଟ୍ ପ୍ରକଳ୍ପ ବେସରକାରି କମ୍ପାନୀଙ୍କୁ ଦେବା ସହ ଲଞ୍ଚ ଭେହିକଲ୍ ଟେକ୍ନୋଲୋଜୀ ହସ୍ତାନ୍ତର ପାଇଁ ମଧ୍ୟ ଉଦ୍ୟୋଗଗୁଡ଼ିକଠାରୁ ଆବେଦନ ଆହ୍ୱାନ କରାଯାଉଛି। ଏହା ଫଳରେ ଅଭିଜ୍ଞ ମହାକାଶ ବିଜ୍ଞାନୀ ଓ ଇଞ୍ଜିନିୟରମାନଙ୍କ ଚାହିଦା ବଢ଼ିଛି। ଉଚ୍ଚ ବେତନ, ଉନ୍ନତ ସୁଯୋଗ ଓ ନୂଆ ପ୍ରକଳ୍ପରେ କାମ କରିବାର ସୁବିଧା ମିଳୁଥିବାରୁ ଅନେକ ବୈଜ୍ଞାନିକ ବେସରକାରି ସଂସ୍ଥା ଆଡ଼କୁ ଆକର୍ଷିତ ହେଉଛନ୍ତି।

ମାନବ ସମ୍ବଳ ସଙ୍କଟ ନେଇ ବଢ଼ୁଛି ଚିନ୍ତା

ଇସ୍ରୋର ଜଣେ ଅଧିକାରୀ ନାଁ ପ୍ରକାଶ ନକରି କହିଛନ୍ତି ଯେ, ସଂସ୍ଥାରେ ପୂର୍ବରୁ କର୍ମଚାରୀଙ୍କ ଆନ୍ତଃକେନ୍ଦ୍ରୀୟ ବଦଳି ଉପରେ ରୋକ ଲଗାଯାଇଛି। ନୂଆ ବୈଜ୍ଞାନିକଙ୍କ ନିଯୁକ୍ତି ମଧ୍ୟ ଆଶାନୁରୂପ ହେଉନାହିଁ। ଫଳରେ ମାନବ ସମ୍ବଳର ଅଭାବ ଦେଖାଦେଇଛି ଏବଂ ସୀମିତ କର୍ମଚାରୀଙ୍କୁ ନେଇ ପ୍ରକଳ୍ପ କାର୍ଯ୍ୟ ଚାଲିଛି। କର୍ମଚାରୀ କମ୍ ଥିବାରୁ ବର୍ତ୍ତମାନ କାର୍ଯ୍ୟରତ ବୈଜ୍ଞାନିକଙ୍କ ଉପରେ ମଧ୍ୟ କାମର ଚାପ ବଢ଼ୁଥିବା ସେ କହିଛନ୍ତି।

କେବଳ କଡ଼ା ନିୟମରେ ସମସ୍ୟା ସମାଧାନ ହେବ କି?

ଇସ୍ରୋର କିଛି ପୂର୍ବତନ ବରିଷ୍ଠ ଅଧିକାରୀ ସରକାରଙ୍କ ଏହି ନୂଆ ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ, କେବଳ ପ୍ରଶାସନିକ କଟକଣା ଲଗାଇ ବୈଜ୍ଞାନିକଙ୍କୁ ଅଟକାଇ ରଖିହେବ ନାହିଁ। ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କହିଛନ୍ତି, ଏପରି ସର୍କୁଲାର ସଂସ୍ଥା ଭିତରେ ଥିବା ଗଭୀର ସମସ୍ୟାକୁ ଦର୍ଶାଉଛି। ଲୋକଙ୍କୁ ଚାକିରି ଛାଡ଼ିବାରୁ ରୋକିବା ପାଇଁ କେବଳ ନିୟମ କଡ଼ା କରିବା ପରିବର୍ତ୍ତେ ସେମାନଙ୍କ ସମସ୍ୟାର ସମାଧାନ ଓ କାର୍ଯ୍ୟ ପରିବେଶରେ ସୁଧାର ଆଣିବା ଆବଶ୍ୟକ।
ଆଉ ଜଣେ ପୂର୍ବତନ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରଥମେ ବୈଜ୍ଞାନିକମାନେ କାହିଁକି ସଂସ୍ଥା ଛାଡ଼ୁଛନ୍ତି ତାହାର ପ୍ରକୃତ କାରଣ ଖୋଜିବା ଦରକାର। କେବଳ ପ୍ରଶାସନିକ ନିର୍ଦ୍ଦେଶ ଜାରି କରି ସେମାନଙ୍କୁ ରୋକିବା ପ୍ରେରଣା କମାଇପାରେ। ବର୍ତ୍ତମାନ ଇସ୍ରୋ ଗଗନଯାନ ମିଶନ, ଭବିଷ୍ୟତ ମହାକାଶ ପ୍ରକଳ୍ପ ଓ PSLV କାର୍ଯ୍ୟକ୍ରମକୁ ନେଇ ବ୍ୟସ୍ତ ଥିବାବେଳେ ଅଭିଜ୍ଞ ବୈଜ୍ଞାନିକଙ୍କୁ ସଂସ୍ଥାରେ ଧରି ରଖିବା ସବୁଠାରୁ ବଡ଼ ପରିଚାଳନାଗତ ଚ୍ୟାଲେଞ୍ଜ ପାଲଟିଛି।

ଇସ୍ରୋରୁ ବୈଜ୍ଞାନିକଙ୍କ ଇସ୍ତଫାକୁ ନେଇ ପୂର୍ବତନ ବୈଜ୍ଞାନିକ ସନ୍ଦୀପ ଓଝାଙ୍କ ପ୍ରତିକ୍ରିୟା

ସରକାରଙ୍କ ପକ୍ଷରୁ ଇସ୍ରୋର ବୈଜ୍ଞାନିକମାନଙ୍କ ଇସ୍ତଫା ନିୟମକୁ କଡ଼ା କରାଯିବା ପରେ ଇସ୍ରୋର ପୂର୍ବତନ ବୈଜ୍ଞାନିକ ସନ୍ଦୀପ ଓଝା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଲୋକମାନେ ଚାକିରି ଛାଡ଼ିଥାନ୍ତି। ଏହାର ଏକ ପ୍ରମୁଖ କାରଣ ହେଉଛି ବେସରକାରି ମହାକାଶ କ୍ଷେତ୍ର ଦ୍ରୁତ ଗତିରେ ବିସ୍ତାର ହେଉଛି ଏବଂ ସେଠାରେ ନୂଆ ଚାକିରିର ସୁଯୋଗ ସୃଷ୍ଟି ହେଉଛି।"

ସେ କହିଛନ୍ତି, "ଇସ୍ରୋର ପ୍ରକଳ୍ପଗୁଡ଼ିକରେ ଏକ ସୁନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରଣାଳୀ ରହିଛି। ସେଠାରେ ପ୍ରୋଜେକ୍ଟ ମ୍ୟାନେଜର ଓ ଡେପୁଟି ପ୍ରୋଜେକ୍ଟ ମ୍ୟାନେଜରଙ୍କ ଏକ ଶୃଙ୍ଖଳା ରହିଛି। ସେହିପରି ପ୍ରଶାସନିକ କ୍ଷେତ୍ରରେ ଡିଭିଜନ ହେଡ୍, ଗ୍ରୁପ୍ ଡିରେକ୍ଟର, ଡେପୁଟି ଡିରେକ୍ଟର ଓ ଡିରେକ୍ଟର ଭଳି ପଦବୀ ମଧ୍ୟ ରହିଛି। ତେଣୁ କୌଣସି ବ୍ୟକ୍ତି ଯଦି ସେ ଦୀର୍ଘ ସମୟ ଧରି କାମ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦ ଛାଡ଼ି ଚାଲିଯାଆନ୍ତି, ତେବେ ଏହା ନିଶ୍ଚିତ ଭାବେ ଏକ ଝଟକା। ହେଲେ ଏହା ସାମୟିକ ହୋଇଥାଏ।"

ସନ୍ଦୀପ ଓଝା ଆହୁରି କହିଛନ୍ତି, "ବିଶେଷକରି ୨୦ରୁ ୨୫ ବର୍ଷର ଅଭିଜ୍ଞତା ଥିବା ଜଣେ ବରିଷ୍ଠ ବୈଜ୍ଞାନିକ ସଂସ୍ଥା ଛାଡ଼ିଲେ ପ୍ରକଳ୍ପର କାର୍ଯ୍ୟ କିଛିଟା ମନ୍ଥର ହୋଇପାରେ। ଯଦିଓ ଇସ୍ରୋର ଟିମ୍ ସେହି ଅଭାବକୁ ପୂରଣ କରିବାରେ ସକ୍ଷମ, ତଥାପି କିଛି ସମୟ ପାଇଁ ପ୍ରଭାବ ପଡ଼ିବା ସ୍ୱାଭାବିକ।"