ମୁମ୍ବାଇ: ବଲିଉଡ୍ ଅଭିନେତା ବିବେକ ଓବେରୟଙ୍କ ପୋଷ୍ୟ କନ୍ୟା ସାହାରା ଶାହ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ବିବେକଙ୍କ ପାଇଁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗର୍ବର ମୁହୂର୍ତ୍ତ । ମୁମ୍ବାଇରେ ଆୟୋଜିତ 'କ୍ୟାନ୍ସର ରୋଜ୍ ଡେ' କାର୍ଯ୍ୟକ୍ରମରେ ସାହାରା ନିଜର ପ୍ରଥମ ନେପାଳୀ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିବା ନେଇ ଘୋଷଣା କରିଛନ୍ତି । ବିବେକ ଓବେରୟଙ୍କ ଦୁଇ ସନ୍ତାନ (ପୁଅ ବିଭାନ୍ ବୀର ଏବଂ ଝିଅ ଅମେୟା ନିର୍ବାଣ) ଥିବା ବେଳେ, ସାହାରାଙ୍କୁ ମାତ୍ର ଅଢ଼େଇ ବର୍ଷ ବୟସ ହୋଇଥିବା ସମୟରେ ସେ ଆପଣେଇ ନେଇଥିଲେ। 

ସେହି ସମୟରେ ସାହାରା କ୍ୟାନ୍ସର ସହ ସଂଗ୍ରାମ କରୁଥିଲେ। ବର୍ତ୍ତମାନ ୨୨ ବର୍ଷୀୟା ସାହାରା ସମ୍ପୂର୍ଣ୍ଣ ଭାବରେ କ୍ୟାନ୍ସରମୁକ୍ତ ହୋଇସାରିଛନ୍ତି ଏବଂ ପାଇଲଟ୍‌ ପ୍ରଶିକ୍ଷଣ ଶେଷ କରିବା ପରେ ନିଜ ପୋଷ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରି ଚଳଚ୍ଚିତ୍ର ଜଗତରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଛନ୍ତି।   ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଧିତ କରି ସାହାରା ନିଜ ପୋଷ୍ୟ ପିତା ବିବେକଙ୍କୁ 'ଦାଦା' ବୋଲି ସମ୍ବୋଧନ କରି ଗଭୀର କୃତଜ୍ଞତା ଜଣାଇଛନ୍ତି ।

ସେ କହିଛନ୍ତି ଯେ, ତାଙ୍କ ଜୀବନର ପ୍ରତ୍ୟେକ ନିଷ୍ପତ୍ତି—ତାହା ଅଭିନୟ ହେଉ କିମ୍ବା ନୃତ୍ୟ, ସବୁଥିରେ ବିବେକ ତାଙ୍କୁ ଓ ତାଙ୍କ ମା'ଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଏକ ସାଧାରଣ ପୃଷ୍ଠଭୂମିରୁ ଆସି ଏପରି ଏକ ବଡ଼ ସ୍ୱପ୍ନ ଦେଖିବା କେବଳ ବିବେକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିବା ସହ ତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସାହାରାଙ୍କ ଏହି ଘୋଷଣା ପରେ ବିବେକ ଅତ୍ୟନ୍ତ ଭାବବିହ୍ୱଳ ହୋଇ ତାଙ୍କୁ କୋଳେଇ ନେଇଥିଲେ ଏବଂ ସାହାରା ଜଣେ କ୍ୟାନ୍ସର ବିଜେତା ଭାବରେ ନିଜ କ୍ୟାରିୟରରେ ବହୁତ ଆଗକୁ ଯାଆନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି । 

ବିବେକ କହିଛନ୍ତି ଯେ, ଏତେ ଛୋଟ ଝିଅଟି କ୍ୟାନ୍ସର ସହ କିପରି ଲଢ଼ିବ ଭାବି ସେ କାନ୍ଦି ପକାଇଥିଲେ, କିନ୍ତୁ ସାହାରାଙ୍କ ସାହସ ଆଜି ତାଙ୍କୁ ଏହି ସଫଳତା ଆଣିଦେଇଛି।   ସୂଚନାଯୋଗ୍ୟ ଯେ, ବିବେକ ଓବେରୟଙ୍କୁ ଶେଷଥର ପାଇଁ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆକ୍ସନ ସିରିଜ୍ 'ଇଣ୍ଡିଆନ୍ ପୋଲିସ ଫୋର୍ସ' ଏବଂ କମେଡି ଫିଲ୍ମ 'ମସ୍ତି ୪' ରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ସେ ନିତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଏପିକ୍ ଫିଲ୍ମ 'ରାମାୟଣ' ରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ସହ ନଜର ଆସିବେ। ଏହାସହିତ ବିଶାଳ ରଞ୍ଜନ ମିଶ୍ରଙ୍କ 'ଗ୍ରେ' (Grey) ଫିଲ୍ମରେ ମଧ୍ୟ ସେ ନିତ୍ୟା ମେନନ୍ ଓ ଆଶିଷ ବିଦ୍ୟାର୍ଥୀଙ୍କ ସହ କାର୍ଯ୍ୟ କରୁଛନ୍ତି।