ନୂଆଦିଲ୍ଲୀ ୨୫।୦୯; ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ବର୍ତ୍ତମାନ ତାଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଚମକାଇଦେବା ଭଳି ଖବର। ବୟସ ବଢ଼ୁଛି ସତ କିନ୍ତୁ 'ବିଗ୍ ବି'ଙ୍କ ବ୍ରାଣ୍ଡ ଭାଲ୍ୟୁ କମୁନି । ବିଗ ବିଙ୍କ ସମ୍ପତ୍ତି ଲଗାତାର ବୃଦ୍ଧି ହେଉଛି, ତାହା ପୁଣିଥରେ ପ୍ରମାଣିତ ହୋଇଛି। 'ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୬' ଅନୁସାରେ, ଅମିତାଭ ବଚ୍ଚନ ଭାରତର ଦ୍ୱିତୀୟ ଧନୀ ଅଭିନେତା ଭାବେ ସ୍ଥାନ ହାସଲ କରିଛନ୍ତି।

ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୬ ଅନୁସାରେ, ଅମିତାଭ ବଚ୍ଚନଙ୍କ ଆନୁମାନିକ ମୋଟ ସମ୍ପତ୍ତି ପ୍ରାୟ ୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତବର୍ଷ ପ୍ରାୟ ୧,୬୩୦ କୋଟି ଟଙ୍କା ଥିଲା। ଏହି ତାଲିକାରେ ବଲିଉଡର 'କିଙ୍ଗ୍ ଖାନ୍' ଅର୍ଥାତ୍ ଶାହରୁଖ ଖାନ୍ ପ୍ରାୟ ୧୦,୦୦୦ କୋଟି ଟଙ୍କାର ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଛନ୍ତି।

ରିପୋର୍ଟ ମୁତାବକ, ଫ୍ୟାମିଲି ଅଫିସ୍ ମାଧ୍ୟମରେ ବିଭିନ୍ନ କମ୍ପାନୀରେ ନିବେଶ ଏବଂ ମୂଲ୍ୟବାନ୍ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତି ହିଁ ତାଙ୍କ ମୋଟ ସମ୍ପତ୍ତିକୁ ଏତେ ମାତ୍ରାରେ ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ତାଲିକାରେ ଶାହରୁଖ ଓ ଅମିତାଭଙ୍କ ପରେ ସଲମାନ ଖାନ୍ ପ୍ରାୟ ୩,୦୦୦ କୋଟି ଏବଂ ହ୍ରିତିକ ରୋଶନ ପ୍ରାୟ ୨,୫୦୦ କୋଟି ଟଙ୍କାର ସମ୍ପତ୍ତି ସହ ନାମ ସାମିଲ କରିଛନ୍ତି।

ଏହି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ କେବଳ ଅଭିନୟ ନୁହେଁ, ବରଂ ବ୍ୟବସାୟିକ ବୁଦ୍ଧି ଓ ସଠିକ୍ ନିବେଶ ମାଧ୍ୟମରେ ମଧ୍ୟ ବଲିଉଡ୍ ତାରକାମାନେ କିପରି ସଫଳତାର ଶିଖର ଛୁଇଁପାରୁଛନ୍ତି। ବୟସର ଏହି ଅପରାଜେୟ ଯାତ୍ରାରେ ଅମିତାଭ ବଚ୍ଚନ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି।