ରାଉରକେଲା: ଟିକେଟ୍ ଦର ୧୦ କି ୧୫ ଟଙ୍କା ନୁହେଁ, ଏକାଥରକେ ବଢ଼ିଛି ୫୨୫ ଟଙ୍କା । ସମାନ ଗନ୍ତବ୍ୟସ୍ଥଳ ପାଇଁ ଘରୋଇ ବସ୍ ଭଡ଼ା ଠାରୁ ଦୁଇଗୁଣରୁ ଅଧିକ । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି ) ପକ୍ଷରୁ ଯେଉଁ ଟିକେଟ୍ ଏକ ହଜାର ଟଙ୍କା ଥିଲା ତାହା ବଢ଼ି ହୋଇଛି ୧୫୨୫ । ସମାନ ଧରଣର ଟିକେଟ୍ ଘରୋଇ ବସ୍‌ରେ ଅଧାରୁ କମ୍ ଦାମ୍‌ରେ ମିଳୁଛି । ପାର୍ବଣ ଋତୁରେ ହଠାତ ବସ୍ ଭଡ଼ା ବୃଦ୍ଧିକୁ ନେଇ ଯାତ୍ରୀ ମହଲରେ ଦେଖା ଦେଇଛି ତୀବ୍ର ଅସନ୍ତୋଷ ।

ରାଉରକେଲାରୁ ପୁରୀ ମଧ୍ୟରେ ଚଳାଚଳ କରେ ଓଏରଟିସିର ଭଲ୍‌ଭୋ ବସ୍ । ଯାହାର ଟିକେଟ୍ ମୂଲ୍ୟ ପୂର୍ବରୁ କମ୍ ଥିଲା । ପୁରୁଷଙ୍କ ପାଇଁ ସ୍ଲିପର ଟିକେଟ ମୂଲ୍ୟ ଏକ ହଜାର ଟଙ୍କା ଥିବାବେଳେ ମହିଳା ଯାତ୍ରୀଙ୍କ ପାଇଁ ଥିଲା ୪୭୭ ଟଙ୍କା । ଏହି ବସ୍‌ରେ ବେଶ ସୁରକ୍ଷିତ ବ୍ୟବସ୍ଥା ଥିବା ଓ ଆରାମ ଦାୟକ ହୋଇଥିବାରୁ ଯାତ୍ରୀ ଏଥିରେ ଯିବାକୁ ପସନ୍ଦ କରୁଥିଲେ ।

ମହିଳା ମାନେ ବେଶୀ ଆଗ୍ରହ ରଖୁଥିଲେ । ରାଉରକେଲାରୁ ରାତି ୧୦ଟାରେ ଏହି ବସ୍ ବାହାରି ପୁରୀରେ ସକାଳ ୮ଟାରେ ପହଞ୍ଚୁଥିଲା । ବସରେ ଯିବା ଲାଗି ଦୁଇ ଚାରି ଦିନ ପୂର୍ବରୁ ସବୁ ସିଟ୍ ପାଇଁ ଟିକଟ ବିକ୍ରି ହୋଇ ଯାଉଥିଲା । ଲୋକେ ଆଗୁଆ ଅନଲାଇନ୍‌ରେ ଟିକେଟ୍ ବୁକିଂ କରୁଥିଲେ । ରଥଯାତ୍ରା ସମୟରୁ ବସ୍ ଭଡ଼ା ବୃଦ୍ଧି ନେଇ ଓଏସ୍ଆର୍‌ଟିସି ପକ୍ଷରୁ ନୀତିଗତ ନିଷ୍ପରି ହୋଇଥିଲା । ହେଲେ, ଅଳ୍ପ ଦିନ ତଳେ ବସ୍ ଭଡ଼ା ବୃଦ୍ଧି ଘୋଷଣା ହୋଇଛି ।

ପୁରୁଷଙ୍କ ପାଇଁ ଥିବା ଟିକେଟ୍ ମୂଲ୍ୟରେ ୫୨୫ ଟଙ୍କା ବଢ଼ାଇ ଦିଆଯାଇଛି । ଅର୍ଥାତ୍ ଜଣପିଛା ୧୫୨୫ ଟଙ୍କା ହୋଇଛି ଟିକେଟ ମୂଲ୍ୟ । ସେହିପରି ମହିଳା ଯାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଭଡ଼ା ୨୯୩ ଟଙ୍କା ବଢ଼ି ଜଣପିଛା ୭୭୦ ଟଙ୍କା ହୋଇଛି । ବସିକି ଯିବା ପାଇଁ ପ୍ରତି ସିଟ୍ ସକାଶେ ଟିକେଟ ମୂଲ୍ୟ ପୁରୁଷଙ୍କ ଲାଗି ୯୩୬ ଏବଂ ମହିଳାଙ୍କ ପାଇଁ ରହିଛି ୪୭୭ ଟଙ୍କା ।

ପାର୍ବଣ ସମୟରେ ବସ୍ ଭଡ଼ା ବୃଦ୍ଧିକୁ ଅନେକ ଯାତ୍ରୀ ନାପସନ୍ଦ କରିଛନ୍ତି । ଘରୋଇ ବସ୍ ଭଡ଼ା ଠାରୁ ସରକାରୀ ବସ୍ ଭଡ଼ା ଦୁଇଗୁଣରୁ ଅଧିକ ହୋଇଗଲା ବୋଲି ଅନେକ ଯାତ୍ରୀ କହିଛନ୍ତି । ରାଉରକେଲା- ପୁରା ମଧ୍ୟରେ ୩ଟି ଘରୋଇ ବସ୍ ଚଳାଚଳ କରୁଛି । ଏଥିରେ ସ୍ଲିପର ଦର ୭୦୦ ଏବଂ ସିଟ୍ ପିଛା (କେବଳ ବସିବା ପାଇଁ)ମୂଲ୍ୟ ରହିଛି ୬୫୦ ଟଙ୍କା । ବସଗୁଡ଼ିକ ରାତି ସାଢ଼େ ୮ଟରେ ରାଉରକେଲା ଛାଡୁଛି ଏବଂ ସକାଳ ସାଢ଼େ ୬ରୁ ୭ଟା ମଧ୍ୟରେ ପୁରୀରେ ପହଞ୍ଚି ଯାଉଛି । ସୂଚନା ମୁତାବକ, ଲୋକେ ଏବେ ଓଏସ୍ଆରଟିସି ବସ୍ ଛାଡ଼ି ଘରୋଇ ବସ୍ ମୁହଁ ହେଉଛନ୍ତି । ପୁରୀ ଅଭିମୁଖେ ଚଳାଚଳ କରୁଥିବା ଘରୋଇ ବସ ଡ଼ିକରେ ୪ରୁ ୫ ଦିନ ପୂର୍ବରୁ ଟିକେଟ୍ ବୁକିଂ ହୋଇଯାଉଛି ବୋଲି ସେକ୍ଟର-୨ ଟିକେଟ୍ କଉଣ୍ଟରରେ ବସୁଥିବା କେତେକ କର୍ମକର୍ତ୍ତା କହିଛନ୍ତି । ବର୍ତ୍ତମାନ ଡିଜେଲ ଦର ବୃଦ୍ଧି ପାଇନାହିଁ । ତେବେ ହଠାତ କଣ ପାଇଁ ସରକାରୀ ବସର ଟିକେଟ୍ ମୂଲ୍ୟ ବୃଦ୍ଧି କରାଗଲା ତାହା ସହରବାସୀଙ୍କୁ ଚକିତ କରିଛି । ପୁରୀ ଯାଉଥିବା ଘରୋଇ ବସ୍ କର୍ତ୍ତୃପକ୍ଷଙ୍କୁ ତୁଷ୍ଟିକରଣ ସହ ଘରୋଇ ବସ୍ ଚଳାଚଳକୁ ପ୍ରୋତ୍ସାହନ ଏବଂ ସରକାରୀ ବସ୍ ଚଳାଚଳ ବନ୍ଦ ପାଇଁ ଏକ ଷଡ଼ଯନ୍ତ୍ର ଚାଲୁନାହିଁ ତ ବୋଲି ବହୁ ଯାତ୍ରୀ ପ୍ରଶ୍ନ କରିଛନ୍ତି ।