ଢାକା: ନିର୍ବାଚନ ନେଇ ତାରିଖ ଘୋଷଣା ପରେ ବାଂଲାଦେଶରେ ପ୍ରଥମ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ନିର୍ବାଚନମଣ୍ଡଳୀ ନମ୍ବର ୮ ର ସମ୍ଭାବ୍ୟ ପ୍ରାର୍ଥୀ ଓସମାନ ହାଦିଙ୍କୁ ଢାକାରେ ପ୍ରଚାର କରୁଥିବା ସମୟରେ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ସମଗ୍ର ସହରରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ସରକାର ହାଦିଙ୍କ ସମର୍ଥକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ପ୍ରଥମ ଆଲୋ ଅନୁଯାୟୀ, ହାଦି ଅପରାହ୍ନ ପ୍ରାୟ ୨ଟା ସମୟରେ ଢାକାର ଇକବାଲ ମଞ୍ଚରୁ ଭାଷଣ ଦେଉଥିଲେ । ସେହି ସମୟରେ ଏକ ମୋଟର ସାଇକେଲରେ ଦୁଇଜଣ ଅପରାଧୀ ତାଙ୍କ ଉପରେ ଗୁଳି ଚଳାଇଥିଲେ। ହାଦିଙ୍କ ମୁଣ୍ଡରେ ଅନେକ ଗୁଳି ବାଜିଥିବା ଜଣାପଡ଼ିଛି। ଢାକା ମେଡିକାଲ କଲେଜର ଡାକ୍ତରମାନେ ଏହା ସ୍ପଷ୍ଟ କରିଛନ୍ତି।

ଓସମାନ ହାଦି ଇକବାଲ ମଞ୍ଚର ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିଲେ। ସେ ଜୁଲାଇ ୨୦୨୪ ରେ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ପ୍ରତିବାଦର ନେତୃତ୍ୱ ନେଇଥିଲେ। ଓସମାନ ତାଙ୍କର ବକ୍ତବ୍ୟ ପାଇଁ ଜଣାଶୁଣା ଥିଲେ। ପ୍ରତିବାଦ ପରଠାରୁ ସେ ସକ୍ରିୟ ଥିଲେ। ସେ ଢାକା-୮ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିଲେ। ଓସମାନ ଢାକା ବିଶ୍ୱବିଦ୍ୟାଳୟରେ ପଢିଥିଲେ। ବାଂଲାଦେଶର ଝାଲୋକାଠି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଓସମାନ । ହାଦିଙ୍କ ପିତା ଜଣେ ଇମାମ।

ହାଦି ତିନି ଭାଇଭଉଣୀଙ୍କ ମଧ୍ୟରେ ବଡ଼ ଥିଲେ। ଫେସବୁକରେ ଓସମାନ ହାଦିଙ୍କର ପ୍ରାୟ ୯୦୦,୦୦୦ ଫଲୋୟର୍ସ ଅଛନ୍ତି। ବଂଲାଦେଶରେ ସରକାର ପରିବର୍ତ୍ତନ ହେବା ପରେ ହାଦି,  ଆନ୍ଦୋଳନକାରୀଙ୍କ ସ୍ମାରକୀ ନିର୍ମାଣ ପାଇଁ ଦାବି କରି ଚର୍ଚ୍ଚାରେ ରହିଥିଲେ । ତାଙ୍କ ନେତୃତ୍ବରେ କିଛି ଯୁବକ ମୁଜୀବୁର ରହମାନଙ୍କ ପ୍ରତିପୂର୍ତ୍ତୀ ଭଙ୍ଗାରୁଜା କରିଥିଲେ ।

ଢାକା ପୋଲିସ ମୁଖପାତ୍ର ମହମ୍ମଦ ତାଲେବୁର ରହମାନ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟରେ ହାଦିଙ୍କୁ ପଛରୁ ଗୁଳି କରାଯାଇଛି । ପୋଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଅପରାଧୀଙ୍କୁ ଚିହ୍ନଟ କରୁଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ସମଗ୍ର ଘଟଣାର ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି। ୟୁନୁସ୍ ଜନତାଙ୍କୁ କହିଛନ୍ତି ଯେ, ତାଙ୍କର ପ୍ରୟାସ ହେଉଛି ଏକ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା। ଯେକୌଣସି ପରିସ୍ଥିତିରେ ବିଶୃଙ୍ଖଳାକାରୀଙ୍କୁ ଛଡ଼ାଯିବ ନାହିଁ ।