ସମ୍ବଲପୁର: ଅନାଥ ପାଇଁ ଆଧାର ଅଡ଼ୁଆ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅନାଥଙ୍କ ଅଭାବନୀୟ କାହାଣୀ ଦେଖାଇବୁ ଯିଏ କି ଆଜିର ସଭ୍ୟ ସମାଜରେ ପ୍ରତିଟି କ୍ଷେତ୍ରରେ ନିଜର ପ୍ରକୃତ ପରିଚୟକୁ ନେଇ ସଂଘର୍ଷ କରୁଛନ୍ତି । ଛୋଟ ବେଳୁ ନିଜର ବାପା-ମାଆ କିଏ ଜାଣିନାହାନ୍ତି । ଅନାଥାଶ୍ରମରେ କଟିଛି ଶୈଶବ । ସମୟର ସ୍ରୋତରେ ସ୍କୁଲ ଶିକ୍ଷା ସାରିବା ପରେ କଲେଜରେ କଟିଲାଣି ୪ବର୍ଷ । ଏସବୁ ଭିତରେ ସେ ଏବେ ସାର୍ଟିଫିକେଟ୍ ଠାରୁ ଆରମ୍ଭ କରି ଅଧାରକାର୍ଡ଼ ଯାଏ ନିଜ ଅଭିଭାବକଙ୍କ ଭିନ୍ନ ଭିନ୍ନ ନାଁକୁ ନେଇ ଘାଣ୍ଟି ହେଉଛନ୍ତି । ଆଉ ଶିକ୍ଷା କ୍ଷେତ୍ରରେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ଦେଖନ୍ତୁ ପିଲାଙ୍କୁ ଟ୍ୟୁସନ କରି ନିଜ ଗୁଜରାଣ ମେଣ୍ଟାଉଥିବା ସୁନ୍ଦରଗଡ଼ ଜିଲ୍ଲାର କରନ୍ ଏକ୍କାଙ୍କ କରୁଣ କାହାଣୀ ।

ଆମ ବ୍ୟବସ୍ଥାକୁ କରନ୍ ପଚାରୁଛି, ମୋର ଭୁଲ୍ କ’ଣ ? ପିଲାଟି ବେଳେ ତା’ର ବାପା-ମାଆ କିଏ ସେ ଜାଣିନି। ଅନାଥାଶ୍ରମରେ କଟିଛି କରନର ଶୈଶବ । ସ୍କୁଲରେ ଆଡମିଶନ ବେଳେ ଖୋଜା ହେଲା କରନଙ୍କ ବାପାଙ୍କ ନାଁ । ଅନାଥ ପିଲାଟିକୁ ପାଠ ପଢ଼ାଇବାକୁ କରନଙ୍କ ବାପାଙ୍କ ନାଁ ଜାଗାରେ ନିଜ ନାଁ ଲେଖିଦେଲେ ଅନାଥାଶ୍ରମର କେୟାର ଟେକର । ମାଟ୍ରିକ୍ ପରୀକ୍ଷା ସାର୍ଟିଫିକେଟ୍ରେ କରନଙ୍କ ବାପାଙ୍କ ନାଁ ଜାଗାରେ ରହିଗଲା ସେହି କେୟାର ଟେକରଙ୍କ ନାଁ । ସ୍କୁଲ ଶିକ୍ଷା ପରେ କଲେଜରେ ପଢ଼ିଲେ କରନ୍ । ଯେଉଁ ସହୃଦୟ ବ୍ୟକ୍ତି ଜଣକ କରନକୁ କଲେଜ ଶିକ୍ଷା ପାଇଁ ସାହାଯ୍ୟ କଲେ ତାଙ୍କ ନାଁରେ ହୋଇଗଲା କରନଙ୍କ କଲେଜ୍ ଆଡମିଶନ ।

Also Read: ଜଗା ଦର୍ଶନ ହେଲା ଶେଷ ଦର୍ଶନ, ମହାପ୍ରଭୁଙ୍କ ଦର୍ଶନ ପରେ ଚାଲିଗଲା ପ୍ରାଣ

ସେହିଭଳି ସେହି ବ୍ୟକ୍ତିଙ୍କ ନାଁରେ ମଧ୍ୟ କରନଙ୍କ ନାଁରେ ହେଲା ଆଧାର କାର୍ଡ଼ । ପିଲାଟି କାନକୁ ଭଲ ଶୁଭୁନଥିବାରୁ ଭିନ୍ନକ୍ଷମ ସାର୍ଟିଫିକେଟରେ ବି କରନଙ୍କ ବାପାଙ୍କ ନାଁ ଜାଗାରେ ସେ ତାଙ୍କ ନାଁ ଲେଖିଦେଲେ । ବାପା-ମାଆ ଛେଉଣ୍ଡ କରନ୍ ଏବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ +୩ ଦ୍ବିତୀୟ ବର୍ଷ ଛାତ୍ର । ହେଲେ ଏବେ ତାଙ୍କୁ ଏବେ ପ୍ରତିଟି କ୍ଷେତ୍ରରେ ତାଙ୍କୁ ନିଜର ପ୍ରକୃତ ପରିଚୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ପାଠ ପଢ଼ିବାକୁ ସେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । କାରଣ ଅନାଥ କରନଙ୍କୁ ଏବେ କିଏ ମାଗୁଛି ଜାତି ପ୍ରମାଣ ପତ୍ର ତ ଆଉ କିଏ ମାଗୁଛନ୍ତି ରେସିଡେଣ୍ଟ ସାର୍ଟିଫିକେଟ୍ ।

ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଓ ଆଧାରକାର୍ଡ଼ରେ ବାପାମାଆଙ୍କ ନାଁ ଅଲଗା ଅଲଗା ଥିବାରୁ କରନଙ୍କୁ ମିଳୁନି ସ୍କଲାରସିପ୍ । ପାଠପଢ଼ାରେ ଆଗୁଆ ଥିଲେ ବି ନିଜର ସାର୍ଟିଫିକେଟ୍ ଓ ଆଧାରକାର୍ଡ଼ରେ ବାପାଙ୍କ ଭିନ୍ନ ଭିନ୍ନ ନାଁ ପାଇଁ ଏବେ ସବୁ କ୍ଷେତ୍ରରେ ପଛରେ ପଡ଼ିଯାଉଛନ୍ତି ଅସହାୟ କରନ୍। ଏଭଳି ପରିସ୍ଥିତିରେ ଆଗକୁ ପାଠପଢ଼ା ସାରି କରନ୍ କେମିତି ଚାକିରି କରିବେ ତାକୁ ନେଇ ମଧ୍ୟ ଦ୍ବନ୍ଦ୍ବରେ ଅଛନ୍ତି ।

Also Read: ରାକ୍ଷୀ ପୂର୍ବରୁ ମିଠା ବଜାରକୁ ଲାଗିପାରେ ଝଟ୍କା, ଚିନି ଦର ବଢ଼ିବାରୁ ଦର ବଢ଼ାଇବାକୁ ବ୍ୟବସାୟୀଙ୍କ ସଙ୍କେତ

ପିଲାଙ୍କୁ ଟ୍ୟୁସନ କରି ନିଜର ପାଠପଢ଼ା ଜାରି ରଖିଛନ୍ତି କରନ୍ । କିନ୍ତୁ ଭିନ୍ନ ଭିନ୍ନ ଜାଗାରେ ବାପାଙ୍କ ଭିନ୍ନ ଭିନ୍ନ ନାଁକୁ ନେଇ ସେ ଏବେ ଅଡ଼ୁଆରେ ପଡ଼ିଛନ୍ତି । CWC ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ନନ୍ଦଙ୍କ କହିବା କଥା, କରନଙ୍କ ଭଳି ଅନାଥ ପିଲାମାନଙ୍କ ପାଇଁ ସରକାରୀ ସ୍ତରରେ କିଛି ଗୋଟେ ନୀତିଗତ ନିଷ୍ପତି ନିଆଯିବାର ଆବଶ୍ୟକତା ରହିଛି । ଏଭଳି ଅନାଥ ପିଲାମାନେ ଯେଉଁଠି ବଢ଼ିଲେ, ସେଇଠି ପଢ଼ିଲେ। ଭିନ୍ନ ଭିନ୍ନ ଜାଗାରେ ବାପାଙ୍କ ନାଁ ସ୍ଥାନରେ ଲେଖା ହୋଇଗଲା ପାଳନକର୍ତ୍ତାଙ୍କ ନାଁ । ସମସ୍ତ କାଗଜପତ୍ରରେ କେବଳ ସନ୍ ଅଫ୍ କିମ୍ବା ଡଟର ଅଫ୍ ବଦଳରେ କେୟାର ଅଫ୍ ଅପ୍ସନ୍ ଥିଲେ ଆଜି ଅନାଥ କରନ୍ଙ୍କ କ୍ଷେତ୍ରରେ ଏଭଳି ଅସୁବିଧା ହୋଇନଥାନ୍ତା ।

ଆଜି ଆଧାର କାର୍ଡ଼ରେ ସଂଶୋଧନ ପାଇଁ ଆଧାର କେନ୍ଦ୍ରକୁ ଯାଇଥିବା ବେଳେ କରନ୍ ଏକ୍କାଙ୍କ ସହ ଆମର ଦେଖା ହୋଇଥିଲା । କରନ୍ଙ୍କ ଠାରୁ ଏହି କରୁଣ କାହାଣୀ ଶୁଣିବା ପରେ ଏହାକୁ ନ୍ୟୁଜ୍ 7 ମାଧ୍ୟମରେ ସରକାରଙ୍କ ନଜରକୁ ଆଣିବାକୁ ଚାହିଁଲୁ । କାରଣ ଆମ ସମାଜରେ କେବଳ ଜଣେ କରନ୍ ନୁହନ୍ତି , ତାଙ୍କ ଭଳି ଆହୁରି ଅନେକ ଅନାଥ କରନ ବି ସମାନ ଅସୁବିଧାର ସମ୍ମୁଖୀନ ହେଉଥିବେ । ସେମାନଙ୍କ ପାଇଁ ସରକାର କିଛି ଗୋଟେ ଚିନ୍ତା କରିବାର ଆବଶ୍ୟକତା ରହିଛି ।