କଟକ ୧୮।୧୧: ହକି ଇଣ୍ଡିଆ ନିର୍ବାଚନ ଉପରେ ଜାରି ହୋଇଥିବା ରହିତାଦେଶ ବଳବତ୍ତର ରହିଲା। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶକୁ ଚାଲେଞ୍ଜ କରି, ହକି ଇଣ୍ଡିଆ ତରଫରୁ ଦାୟର ଆବେଦନକୁ ଆଜି ଖାରଜ କରିଛନ୍ତି ହାଇକୋର୍ଟ । ଓଡ଼ିଶା ହକି ଇଣ୍ଡିଆକୁ ବାର୍ଷିକ ୩୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଉଛି ଏବଂ ହକି ଆସୋସିଏସନ ଅଫ ଓଡ଼ିଶା, ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟ ଅଟେ ।

ସ୍ଥାୟୀ ସଦସ୍ୟତା ବଦଳରେ ସହଯୋଗୀ ସଦସ୍ୟ କରିବାକୁ ନୋଟିସ ଦେଇଥିଲା ହକି ଇଣ୍ଡିଆ। ଯାହା ଗ୍ରହଣୀୟ ନୁହେଁ ବୋଲି ଆଜି ହକି ଆସୋସିଏସନ ଅଫ ଓଡ଼ିଶା ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଯାହାକୁ ହାଇକୋର୍ଟ ଗ୍ରହଣ କରିବା ସହିତ ହକି ଇଣ୍ଡିଆର ଆବେଦନକୁ ଖାରଜ କରିଛନ୍ତି। ଆଗକୁ ମେରିଟ ଅନୁଯାୟୀ, ମାମଲାର ଶୁଣାଣି କରିବେ ହାଇକୋର୍ଟ। ନିର୍ବାଚନ ପ୍ରକ୍ରିୟାରୁ ଓଡ଼ିଶା ହକି ସଂଘକୁ ବାଦ୍ ଦେବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ହକି ଇଣ୍ଡିଆ।

Also Read:-ବାତ୍ୟାକୁ ନେଇ SRCଙ୍କ ବଡ଼ ନିଷ୍ପତ୍ତି, ୬ ଜିଲ୍ଲାରେ ତିନି ଦିନ ବନ୍ଦ ରହିବ ସ୍କୁଲ

ଗତ ୬ ତାରିଖରେ ଉକ୍ତ କାରଣ ଦର୍ଶାଅ ନୋଟିସ୍ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ। ଏବଂ କୋର୍ଟଙ୍କ ବିନା ନିର୍ଦ୍ଦେଶରେ ନିର୍ବାଚନ ହୋଇପାରିବ ନାହିଁ ବୋଲି ମଧ୍ୟ ଉକ୍ତ ଦିନ ହାଇକୋର୍ଟ ସ୍ପଷ୍ଟ କରିଥିଲେ। ଗତ ୬ ତାରିଖରେ ଜାରୀ ହୋଇଥିବା ଅନ୍ତରୀଣ ରହିତାଦେଶକୁ ହଟାଇବା ଲାଗି ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ହକି ଇଣ୍ଡିଆ। ଯାହା ଆଜି ଖାରଜ ହୋଇଛି।