ଭୁବନେଶ୍ବର ୬।୧୨: ରାଜ୍ୟରେ ଚାକିରି ଆଶାୟୀଙ୍କ ପରୀକ୍ଷା ଅବ୍ୟବସ୍ଥା ଘଟଣାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନବୀନ ପଟ୍ଟନାୟକ ଘଟଣାକୁ ନିନ୍ଦା କରିଛନ୍ତି ।

ଏକ୍ସ’ରେ ନବୀନ ଲେଖିଛନ୍ତି, ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି । ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି । ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ?

ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି । ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି । ସରକାର କ'ଣ ଦର୍ଶାଇବାକୁ ଚାହୁଁଛନ୍ତି ? ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ ? ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ ।