ପୁରୀ ୧୧।୪: ଆଗାମୀ ଦିନରେ ଅନଲାଇନ୍ ଜରିଆରେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆଗୁଆ ଅନଲାଇନରେ ସ୍ଲଟ୍ ବୁକିଂ କରିପାରିବେ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତେବେ ଅନଲାଇନ ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ସେବାୟତ ମାନେ ନାପସନ୍ଦ କରିଥିବା ବେଳେ କିଛି ଭକ୍ତମାନେ ମାନେ ମଧ୍ୟ ସ୍ଲଟ୍ ବୁକିଂ ସପକ୍ଷରେ ନାହାନ୍ତି । କେବଳ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଲେ ସମସ୍ତ ଦର୍ଶନ ବ୍ୟବସ୍ଥା ସଠିକ୍ ହୋଇପାରିବ ବୋଲି ମତପ୍ରକାଶ ପାଇଛି । ସେପଟେ ଖରାଦିନ ଯୋଗୁଁ ପ୍ରବଳ ଗୁଳୁଗୁଳି, ଗରମ ଅନୁଭୁତ ହେଉଥିବା ବେଳେ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିର ନିକଟରେ ସେଡ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭକ୍ତମାନେ ମତ ଦେଇଛନ୍ତି ।

ଆଗାମୀ ଦିନରେ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ ହେବ ଅନଲାଇନରେ ଦର୍ଶନ ବ୍ୟବସ୍ଥା । ଭକ୍ତମାନେ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆଗୁଆ ସ୍ଲଟ୍ ବୁକିଂ କରିପାରିବେ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଏଭଳି କିଛି ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଶ୍ରୀମନ୍ଦିରରେ ଅନଲାଇନ ଦର୍ଶନ ବ୍ୟବସ୍ଥାକୁ ସେବକ ମାନେ ନାପସନ୍ଦ କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଥିବାରୁ ଅନେକ ସମୟରେ ନୀତିକାନ୍ତି ମଧ୍ୟ ବିଳମ୍ବ ହେଉଛି । ତେଣୁ ଅନଲାଇନ ସ୍ଲଟ୍ ବୁକିଂ କରାଗଲେ ଭକ୍ତମାନେ ବହୁତ ହଇରାଣ ହେବେ । ନୀତିକାନ୍ତି ବିଳମ୍ବ ଘଟିଲେ ଭକ୍ତମାନେ ଅନଲାଇନ ସ୍ଲଟ୍ ବୁକିଂ ସମୟ ଅନୁସାରେ ଦର୍ଶନ କରିପାରିବେ ନାହିଁ । ଏଣୁ ଅନଲାଇନ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯାଇ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ସବୁଠାରୁ ଭଲ ହେବ ବୋଲି ମତ ରଖିଛନ୍ତି ଭକ୍ତ ଓ ସେବାୟତ । ସେପଟେ ଅନଲାଇନ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ କେତେକ ଭକ୍ତ ଗ୍ରହଣ କରିପାରୁନାହାନ୍ତି । ଏହାଦ୍ବାରା ଭକ୍ତଙ୍କ ମଧ୍ୟରେ ଏକ ପାତର ଅନ୍ତର ନୀତି ସୃଷ୍ଟି ହେବ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି । ଏଣୁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଭକ୍ତ ଓ ସେବାୟତ ମତ ଦେଇଛନ୍ତି ।

Also Read:- ବାପାଙ୍କୁ ମେଡିକାଲରେ ଆଡମିଟ୍ କଲେ, ସେହି ଆମ୍ବୁଲାନ୍ସରେ ଫେରୁଥିଲେ ହେଲେ ପହଞ୍ଚି ପାରିଲେନି ଘରେ

ଏପ୍ରିଲ ମାସରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଶ୍ରୀମନ୍ଦିର ଚାରିଦ୍ବାରରେ ଥିବା ସେଡ୍ ପର୍ଯ୍ୟାପ୍ତ ହେଉନଥିବାରୁ ଅନେକ ଭକ୍ତ ଖରାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ବରିଷ୍ଠ ନାଗରିକ, ମହିଳା ଏବଂ ଛୋଟ ପିଲାମାନେ ପ୍ରଚଣ୍ଡ ଗରମ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଭକ୍ତ ମଧ୍ୟ ପ୍ରଚଣ୍ଡ ଗରମରେ ଚେତା ଶୂନ୍ୟ ହୋଇପଡ଼ିବା ସହ ଅସୁସ୍ଥ ମଧ୍ୟ ହୋଇପଡୁଛନ୍ତି । ଏଣୁ ଶ୍ରୀମନ୍ଦିର ଚାରି ଦ୍ବାରରେ ପ୍ରଶାସନ ପକ୍ଷରୁ ଅଧିକ ସେଡ୍ ବ୍ୟବସ୍ଥା କରାଯାଇ ଭକ୍ତଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି ।