ଢେଙ୍କାନାଳ ୧୧।୪: ରୋଗାଗ୍ରସ୍ତ ବାପାଙ୍କୁ ଭଲ କରିବେ । କେତେ ଆଶା କରିଥିଲେ । ଅନୁଗୁଳରୁ ଧରି କଟକ ଆସିଥିଲେ । ବାପାଙ୍କୁ ମେଡିକାଲରେ ଭର୍ତ୍ତି ବି କଲେ । ହେଲେ ନିଜ ଫେରିପାରିଲେନି ଘରକୁ । ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ପୁଅର ଜୀବନ । ​​​​​​​ରୋଗାଗ୍ରସ୍ତ ବାପାଙ୍କୁ କଟକ ଏସସିବିରେ ଚିକିତ୍ସା ପାଇଁ ଭର୍ତ୍ତି କଲେ । ଆଉ ସେହି ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ । ସେତିକି ବେଳେ ଦୁର୍ଘଟଣାରେ ପୁଅର ମୃତ୍ୟୁ ଘଟିଛି । ଏନଏଚ-୫୫ର ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ହଳଦିଆ ବାହାଳ ଛକ ନିକଟରେ ଶନିବାର ଭୋର ସମୟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା ପାର୍ଶ୍ଵରେ ଠିଆ ହୋଇ ରହିଥିବା ଏକ ଟ୍ରକ୍ ପଛରେ ଆମ୍ବୁଲାନ୍ସଟି ଖୁବ୍ ଜୋରରେ ଧକ୍କା ଦେଇ ଭାଙ୍ଗି ଚୁରମାର ହୋଇଯାଇଛି ।

ଦୁର୍ଘଟଣାରେ ଆମ୍ବୁଲାନ୍ସ ଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଏହି ଆମ୍ବୁଲାନ୍ସଟି ତାଳଚେର ଏମସିଏଲର ବୋଲି ଜଣାପଡିଛି । ମୃତ ଯୁବକ ଜଣଙ୍କ ତାଳଚେର ଥାନା ବନବାସୀପୁର ଗାଁର ୨୮ ବର୍ଷୀୟ ଗୁଣନିଧି ଜ୍ୟୋତିଷ ବୋଲି ଜଣାପଡିଛି । ତେବେ ଗୁରୁତର ଆମ୍ବୁଲାନ୍ସ ଡ୍ରାଇଭର ମୁରଲୀଧର ନାୟକଙ୍କ ଘର ତାଳଚେର ବିକ୍ରମପୁର ଥାନା ବଡ଼ ଜୋରଡ଼ା ଗ୍ରାମରେ ।

Also Read:- ସିଜିମାଳିରେ ଆଦିବାସୀଙ୍କ ଉପରେ ଆକ୍ରମଣ ଘଟଣା, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେଡି ସାଂସଦ

ଶୁକ୍ରବାର ରାତିରେ ଗୁଣନିଧି ତାଙ୍କ ରୋଗାଗ୍ରସ୍ତ ବାପା ପ୍ରଫୁଲ୍ଲ ଜ୍ୟୋତିଷ ଗୁରୁତର ହେବାରୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ବାପାଙ୍କ ପାଖରେ ପରିବାର ଲୋକଙ୍କୁ ଛାଡି ସେ ନିଜେ ସେହି ଆମ୍ବୁଲାନ୍ସରେ ତାଳଚେର ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି ।ତେବେ ଦୁର୍ଘଟଣାର ଖବର ପାଇ ମୋଟଙ୍ଗା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଆମ୍ବୁଲାନ୍ସରୁ ଉଦ୍ଧାର କରିଥିଲେ । ଗୁଣନିଧିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ହସ୍ତାନ୍ତର କରିଛି । ସେପଟେ ଆମ୍ବୁଲାନ୍ସଟି ଧକ୍କା ହୋଇଥିବା ଟ୍ରକ୍‌ଟି ଦୁର୍ଘଟଣାସ୍ଥଳରୁ ପଳାଇଯାଇଥିବା ସୂଚନା ମିଳିଛି ।