ତେଲ୍ ଅଭିଭ୍: ମଝି ଆକାଶରେ ହଠାତ୍ ଫ୍ଲାଇଟ୍ରୁ ଆସିଲା ଜରୁରୀ ସଙ୍କେତ। ଏହାପରେ ସୃଷ୍ଟି ହେଲା ହାଇଜାକ୍ ଆତଙ୍କ। ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇର ବିମାନ FZ1073 ରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ରହସ୍ୟ ବଢ଼ିବାରେ ଲଗିଛି। ପ୍ରାଥମିକ ଆକଳନ ଅନୁସାରେ, ବିମାନର ଦୁଇ ପାଇଲଟଙ୍କ ମଧ୍ୟରେ ହୋଇଥିବା ହିଂସ୍ର ସଂଘର୍ଷ ହିଁ ଏହି ମିଡ୍-ଏୟାର୍ ଡ୍ରାମାର କାରଣ ହୋଇଥାଇପାରେ।

ବୋଇଂ 737 MAX 8 ବିମାନଟି ଦୁବାଇ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଉଡ଼ାଣ ଭରିବାର ପ୍ରାୟ ଦୁଇ ଘଣ୍ଟା ପରେ ଜରୁରୀ ସଙ୍କେତ ପଠାଇଥିଲା। ଏହାପରେ ଇସ୍ରାଏଲ୍ ଏବଂ ସାଉଦି ଆରବ ପକ୍ଷରୁ ଯୁଦ୍ଧବିମାନ ମୁତୟନ କରାଯାଇଥିଲା। ଶେଷରେ ବିମାନଟି ଉତ୍ତର ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା।

କ’ଣ ଘଟିଥିଲା?

ପ୍ରଥମେ FZ1073 ପକ୍ଷରୁ 7700 ଇମର୍ଜେନ୍ସି କୋଡ୍ ପଠାଯାଇଥିଲା। ଏହା ସାଧାରଣ ଜରୁରୀ ପରିସ୍ଥିତିର ସଙ୍କେତ। କିନ୍ତୁ ଏହାର କିଛି ସେକେଣ୍ଡ ପରେ ବିମାନରୁ 7500 କୋଡ୍ ପଠାଯାଇଥିଲା, ଯାହା ସମ୍ଭାବ୍ୟ ହାଇଜାକ୍ର ସଙ୍କେତ।

ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ବିମାନଟି ମାତ୍ର ଦୁଇ ମିନିଟ୍ରୁ ଅଧିକ ସମୟ ମଧ୍ୟରେ ପ୍ରାୟ ୧୭,୪୦୦ ଫୁଟ୍ ତଳକୁ ଖସିଥିଲା। ଏହା ଘଟଣାକୁ ଆହୁରି ଗମ୍ଭୀର କରି ଦେଇଥିଲା।

ପ୍ରାଥମିକ ରିପୋର୍ଟ ଅନୁସାରେ, କକ୍ପିଟ୍ରେ ଜଣେ ପାଇଲଟ୍ ଏବଂ ଅନ୍ୟଜଣେ କୋ-ପାଇଲଟ୍ଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଉଭୟଙ୍କ ଜାତୀୟତା ରୁଷିଆ ଓ ୟୁକ୍ରେନ୍ ସହ ଜଡିତ ବୋଲି ରିପୋର୍ଟ ଆସିଛି। ତେବେ ଏହି ଘଟଣାର କାରଣ ଭାବେ ରୁଷିଆ-ୟୁକ୍ରେନ୍ ବିବାଦକୁ ଦାୟୀ କଲା ଭଳି ଏପର୍ଯ୍ୟନ୍ତ ସରକାରୀ ସ୍ପଷ୍ଟୀକରଣ ମିଳି ନାହିଁ।

ଆତ୍ମହତ୍ୟା ଧମକ ନା କ୍ରାସ୍ କରିବାକୁ ଉଦ୍ୟମ?

ସ୍ଥାନୀୟ ଇସ୍ରାଏଲୀ ଗଣମାଧ୍ୟମର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ଯେଉଁ ରିପୋର୍ଟ ପ୍ରକାଶ କରିଛି ସେହି ଅନୁସାରେ ଜଣେ ପାଇଲଟ୍ ଅସ୍ୱାଭାବିକ ଆଚରଣ କରିବା ସହ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ସମୟରେ ଜଣେ ଇସ୍ରାଏଲୀ ଯାତ୍ରୀ କକ୍ପିଟ୍ରେ ପ୍ରବେଶ କରି କୋ-ପାଇଲଟ୍ଙ୍କୁ ସହାୟତା କରିଥିବା ଦାବି କରାଯାଇଛି।

ସେହିପରି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ଆଉ ଜଣେ ପାଇଲଟ୍ ବିମାନକୁ ଦ୍ରୁତ ଗତିରେ ତଳକୁ ଖସାଇ କ୍ରାସ୍ କରିବାକୁ ଉଦ୍ୟମ କରିଥିଲେ। ହେଲେ ଦ୍ୱିତୀୟ ପାଇଲଟ୍ ଯାତ୍ରୀମାନଙ୍କ ସହାୟତାରେ ତାଙ୍କୁ ରୋକିଥିବାରୁ ଦୁର୍ଘଟଣା ବର୍ତ୍ତି ଯାଇଥିଲା।

ଜଣେ ଯାତ୍ରୀ ମିରିଆମଙ୍କ କହିଥିବା ଅନୁସାରେ, ସେ କକ୍ପିଟ୍ ଭିତରୁ ଚିତ୍କାର ଶୁଣିଥିଲେ। ଏହାପରେ ଦ୍ୱାର ଖୋଲିବା ପରେ ଜଣେ ପାଇଲଟ୍ଙ୍କୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ହାତରେ ଏକ ଫୋଲ୍ଡିଂ ଛୁରି ଥିବା ଏବଂ ଚାରିଆଡ଼େ ରକ୍ତ ଥିବା ସେ ଦେଖିଛନ୍ତି ବୋଲି ମିରିଆମ କହିଛନ୍ତି। ରଏଟର୍ସ ମିରିଆମଙ୍କ ବୟାନ ନେଇ ଏହି ରିପୋର୍ଟ କରିଛି।

ପ୍ରାୟ ୧୮୦ ଯାତ୍ରୀ ଥିବା ଏହି ବିମାନ ଶେଷରେ ତାବୁକ୍ରେ ଅବତରଣ କରିଥିଲା। ତେବେ ବିମାନରେ ପ୍ରକୃତରେ କ’ଣ ଘଟିଥିଲା ? ଆତ୍ମହତ୍ୟା ଉଦ୍ୟମ ? ବିମାନକୁ କ୍ରାସ୍ କରିବାର ଚେଷ୍ଟା ନା ଅନ୍ୟ କୌଣସି କାରଣ ? ତାହାର ସ୍ପଷ୍ଟ ଚିତ୍ର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ।