ଭୁବନେଶ୍ବର ୧୪।୬: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, କେନ୍ଦ୍ରାପଡ଼ାରେ ଯେଉଁ ଘଟଣା ଘଟିଛି, ରାଜ୍ୟ ସରକାର ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି । ସ୍ଥାନୀୟ ଏସ୍‌ପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ଘଟଣାର ସତ୍ୟତା କେତେ ଅଛି ଜଣା ପଡିବ ।

ଗଣମାଧ୍ୟମ ତଥା ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ଯେଉଁ ଖବର ଆସୁଛି ସେଥିରେ ସରକାର ଅବଗତ ଅଛନ୍ତି । ଘଟଣାକୁ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ କିଏ ସମ୍ପୃକ୍ତ କାହାର ଦୋଷ ଅଛି ସ୍ପଷ୍ଟତା ଆସିବ । କୌଣସି ଘଟଣା ଘଟିଲେ ତାକୁ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ । ଏହାକୁ ନେଇ ଏବେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ । ରିପୋର୍ଟ ଆସିଲେ ଯିଏ ସମ୍ପୃକ୍ତ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Also Read:- ଜଙ୍ଗଲକୁ ଯାଇଥିଲେ, ହଠାତ୍ ମାଡ଼ିଆସିଲା କାଳବୈଶାଖୀ ; ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ସେପଟେ, ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝା ଏବେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲା ୧୫ ନମ୍ବର କ୍ୟାବିନରେ ଚିକିତ୍ସିତ ହେଉଛନ୍ତି । ଶନିବାର ଚାମେଲି ଜେଲ୍ ଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଜେଲ୍ କର୍ତ୍ତୃପକ୍ଷ ଚାମେଲିଙ୍କୁ ପୁଣି ମେଡିକାଲ ପଠାଇ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

ପରେ ତାଙ୍କୁ ଡାକ୍ତର କଟକ ରେଫର କରିଥିଲେ । ଚାମେଲିଙ୍କୁ ମେଡିକାଲ କର୍ମଚାରୀ ଓ ପୋଲିସ ଆମ୍ବୁଲାନ୍ସରେ କଟକ ନେବା ପାଇଁ ଭର୍ତ୍ତି କରିଥିଲେ ଆମ୍ବୁଲାନ୍ସରେ । ଚାମେଲିଙ୍କ ବାପା ଓ ତାଙ୍କ ସହଯୋଗୀ ମାନେ ଏହାର ପ୍ରତିବାଦ କରିବାରୁ ଚାମେଲି କଟକ ସ୍ଥାନାନ୍ତର ହୋଇପାରି ନଥିଲେ l