ପୁରୀ ୧୦।୪: ତୃତୀୟ ଦିନରେ ପହଞ୍ଚିଛି ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ରତ୍ନଭଣ୍ଡାରର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରୁଛନ୍ତି। ସମ୍ପୂର୍ଣ୍ଣ ଆଧୁନିକ ଓ ଡିଜିଟାଲ ପଦ୍ଧତିରେ ସମସ୍ତ ଗଣତି ମଣତି କାର୍ଯ୍ୟ ଜାରୀ ରହିଛି। ପ୍ରତ୍ୟେକ ରତ୍ନ ଅଳଙ୍କାର କୁ ଚିହ୍ନଟ କରାଯାଇ ଏହାର ଥ୍ରୀଡି ମ୍ୟାପିଙ୍ଗ କରାଯାଉଛି। ସ୍ବର୍ଣ୍ଣକାର, ରତ୍ନ ବିଶାରଦ ଏବଂ ଆରବିଆଇ ଅଧିକାରୀ ସମସ୍ତ ରତ୍ନ ଅଳଙ୍କାର ଏବଂ ମୋତି ମାଣିକ୍ୟ କୁ ଓଜନ କରି ଏହାକୁ ଚିହ୍ନଟ କରୁଛନ୍ତି। ତେବେ ଆଜି ମଧ୍ୟ ପାରମ୍ପରିକ ପୋଷାକ ପରିଧାନ କରି ରତ୍ନଭଣ୍ଡାର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ସରିବା ପରେ ବାହାର ରତ୍ନଭଣ୍ଡାର କୁ ପ୍ରବେଶ କରିଥିଲେ। ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଉଛି।

ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଦୁଇଦିନ ଭିତରେ ୪୦ ରୁ ଉର୍ଦ୍ଧ୍ବ ପ୍ରକାରର ରତ୍ନ ଅଳଙ୍କାର ଗଣତି ମଣତି କରାଯାଇଛି। ତେବେ ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀରେ ବ୍ୟବହୃତ ହେଉଥିବା ବିଭିନ୍ନ ମୂଲ୍ୟବାନ ରତ୍ନ ଅଳଙ୍କାର ବାହାର ରତ୍ନଭଣ୍ଡାରରେ ରଖାଯାଇଛି। ୧୯୭୮ ମସିହାର ଗଣତି ମଣତି ହୋଇଥିବା ତଥ୍ୟ ଅନୁସାରେ ଚଳିତ ଥର ଚାଲିଥିବା ସବୁ ରତ୍ନ ଅଳଙ୍କାରର ମେଳକ କରାଯାଉଛି। ତେବେ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏହି କାର୍ଯ୍ୟ କରିବା ସମୟ ସାପେକ୍ଷ ବୋଲି ମୁଖ୍ୟ ପ୍ରଶାସକ କହିସାରିଛନ୍ତି। ଆଗାମୀ ସ୍ନାନଯାତ୍ରା ପୂର୍ବରୁ ଗଣତି ମଣତି କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Also Read:- Weather Update: ଦିନକ ପରେ ମାଡ଼ି ଆସିବ ତାତି, ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

ଗତ ୮ ତାରିଖରୁ ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ମଧ୍ୟ ଅନୁଷ୍ଠିତ ହେବ। ଏଥିସହ ଆସନ୍ତା ୧୩ ଏବଂ ପରେ ୧୬ ରୁ ୧୮ ତାରିଖ ଯାଏଁ ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି କାର୍ଯ୍ୟ ସମୟରେ ଶ୍ରୀମନ୍ଦିର ବାହାର କାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।