ଭୁବନେଶ୍ୱର: ଆଉ ୨୪ ଘଣ୍ଟା ପାଇଁ ରହିବ କାଳବୈଶାଖୀ ପ୍ରଭାବ। ଦିନକ ପରେ ମାଡ଼ି ଆସିବ ତାତି। ବଢ଼ିବ ଦିନ ତାପମାତ୍ରା। ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା। ଏନେଇ ଆଲର୍ଟ କରିସାରିଛି ପାଣିପାଗ ବିଭାଗ। ୧୧ରୁ ଗରମ ଗୁଳୁଗୁଳି ବଢ଼ିବ । ୧୨ ରୁ ୧୪ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଗୁଳୁଗୁଳି ଅନୁଭୂତ ହେବ। କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆଜି ରାଜ୍ୟରେ କାଳବୈଶାଖୀ ପ୍ରକୋପ ରହିବ । ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ସମେତ ୧୧ ଜିଲ୍ଲାକୁ ଝଡ଼ବର୍ଷାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବ ଦିଗରୁ ପବନ ବହୁଥିବା ବେଳେ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହୁଛି । ବାୟୁମଣ୍ଡଳ ଉପରି ଭାଗରେ ମଧ୍ୟ ଶୁଖିଲା ପବନ ବହୁଛି । ଯାହା ଫଳରେ ଆଜି କାଳବୈଶାଖୀ ପ୍ରଭାବ ରହିବ। କିନ୍ତୁ ଆଜିଠୁ ବର୍ଷା କମିବ ।

​​​​​​​

କିଛିଦିନ ଧରି କାଳବୈଶାଖୀ ପାଇଁ ତାତିରୁ ବଡ଼ ଆଶ୍ଵସ୍ତି ମିଳିଥିଲା । ହେଲେ ଏବେ ପୁଣି ଉପରମୁହାଁ ହେବ ପାରଦ । ୧୧ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଘାଣ୍ଟି ହେବ । ଏଭଳି ପୂର୍ବାନୁମାନ ଦେଖାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢ଼ିବ । ୨ ଦିନ ପରେ ତାପମାତ୍ରା ପ୍ରାୟ ୪ରୁ ୬ ଡିଗ୍ରୀ ବଢ଼ିଯିବ ।

ଅନ୍ୟପଟେ ୧୨ରୁ ଉପକୂଳ ଓଡ଼ିଶା ଗରମ, ଗୁଳୁଗୁଳିରେ ଛଟପଟ ହେବ। ସମସ୍ତ ଉପକୂଳ ଜିଲ୍ଲା ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗରମ, ଗୁଳୁଗୁଳି ଅନୁଭୂତ ହେବ। କିନ୍ତୁ ୧୫ ପରେ ରାଜ୍ୟରେ ୪୦ ଡ଼ିଗ୍ରୀ ପାର କରିବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି।