ଭୁବନେଶ୍ଵର: ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନାହିଁ କିମ୍ବା ଅଧୁରା ଅଛି, ତେବେ ସାବଧାନ ହୋଇଯାଆନ୍ତୁ। ରାସ୍ତାରେ ଯାଞ୍ଚ ପାଇଁ ପୋଲିସ କିମ୍ବା ଏମଭିଆଇ ନଥିଲେ ବି ଆପଣ ଆଉ ଖସିପାରିବେ ନାହିଁ। ବିନା କାଗଜପତ୍ରରେ ଚାଲୁଥିବା ଯାନବାହାନଗୁଡ଼ିକୁ ଠିକ୍ ବାଟକୁ ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗ (STA) ପକ୍ଷରୁ ଆରମ୍ଭ ହୋଇଛି ବିଶେଷ 'ଇ-ଡିଟେକ୍ସନ' (e-Detection) ବ୍ୟବସ୍ଥା।

ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଛି ନୂଆ ବ୍ୟବସ୍ଥା

ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବର୍ତ୍ତମାନ ଗାଡ଼ିର ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC), ଫିଟନେସ୍, ରୋଡ୍ ଟ୍ୟାକ୍ସ ଏବଂ ବୈଧ ବୀମା ନଥିଲେ 'e-Detection' ସିଷ୍ଟମ୍ ସହାୟତାରେ ସ୍ୱୟଂଚାଳିତ ଭାବେ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯିବ।

କେମିତି କାମ କରିବ 'e-Detection'?

ରାଜ୍ୟର ପ୍ରମୁଖ ରାଜପଥ, ଟୋଲ୍ ଗେଟ୍ ଏବଂ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଲଗାଯାଇଥିବା ସ୍ୱଚ୍ଛାକୃତ କ୍ୟାମେରା ଓ ସିଷ୍ଟମ୍ ଦେଇ ଗାଡ଼ି ଅତିକ୍ରମ କରିବା ମାତ୍ରେ ତାହାର ନମ୍ବର ପ୍ଲେଟ୍ ସ୍କାନ୍ ହୋଇଯିବ। ବାହାନ (VAHAN) ଡାଟାବେସରୁ ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ ହେବା ପରେ ଯଦି କୌଣସି ନଥିପତ୍ର ଅସମ୍ପୂର୍ଣ୍ଣ ଥାଏ, ତେବେ ସାଙ୍ଗେ ସାଙ୍ଗେ ଅନ୍ଲାଇନ୍ରେ 'ଇ-ଚାଲାଣ' (e-Challan) କଟିଯିବ। ଏହି ଚାଲାଣ ସିଧାସଳଖ ଗାଡ଼ି ମାଲିକଙ୍କ ମୋବାଇଲ୍ ନମ୍ବରକୁ ମେସେଜ୍ ଆକାରରେ ପଠାଯିବ।

ଇ-ଚାଲାଣ ଅନାଦେୟ ରହିଲେ ହେବେ 'Not to be Transacted'

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗାଡ଼ି ଚାଳକଙ୍କୁ ଏହି ଇ-ଚାଲାଣର ଜରିମାନା ଅର୍ଥ ପରିଶୋଧ କରିବାକୁ ପଡ଼ିବ। ଯଦି କୌଣସି ଚାଳକ ଜରିମାନା ନ ଭରନ୍ତି କିମ୍ବା ପୁରୁଣା ଚାଲାଣ ବକେୟା ରଖନ୍ତି, ତେବେ ସେହି ଗାଡ଼ିକୁ ପରିବହନ ପୋର୍ଟାଲରେ 'ନଟ୍ ଟୁ ବି ଟ୍ରାନଜାକ୍ଟେଡ୍' ( Not to be Transacted) ଭାବେ ଚିହ୍ନଟ କରାଯିବ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ଗାଡ଼ିର ମାଲିକାନା ହସ୍ତାନ୍ତର, ନବୀକରଣ (Renewal) କିମ୍ବା ଅନ୍ୟ କୌଣସି ପରିବହନ ସମ୍ବନ୍ଧୀୟ ସେବା ପାଇବାରେ ଗାଡ଼ି ମାଲିକ ବଞ୍ଚିତ ହେବେ।

ତେଣୁ ଜରିମାନାରୁ ବଞ୍ଚିବା ଏବଂ ଅନାବଶ୍ୟକ ହଇରାଣ ହେବାରୁ ରକ୍ଷା ପାଇବା ପାଇଁ ନିଜ ଗାଡ଼ିର ସମସ୍ତ କାଗଜପତ୍ର, ବିଶେଷ କରି ଇନସ୍ୟୁରାନ୍ସ ଏବଂ PUCC ତୁରନ୍ତ ଅପଡେଟ୍ ରଖିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Also Read: ଶିକ୍ଷକ ନିଯୁକ୍ତି ଲାଗି ବିଜ୍ଞପ୍ତି, ୩୨,୩୮୮ ପଦବୀ ପାଇଁ ସେପ୍ଟେମ୍ବର ୧ରୁ ଆବେଦନ