ବେଙ୍ଗାଲୁରୁ: ବେଙ୍ଗାଲୁରୁ ଆଇଟି କମ୍ପାନୀଗୁଡ଼ିକ କନ୍ନଡ ଭାଷାଭାଷୀ ଯୁବକ-ଯୁବତୀଙ୍କୁ ଚାକିରିରୁ ବଞ୍ଚିତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି, କର୍ଣ୍ଣାଟକର ଲୋକଙ୍କ ସ୍ବାଭିମାନ ସହ କୌଣସି ସାଲିସ କରାଯାଇପାରିବ ନାହିଁ । ଯଦି କୌଣସି ଆଇଟି କମ୍ପାନୀ ଜାଣିଶୁଣି କନ୍ନଡ ଭାଷାଭାଷୀଙ୍କୁ ଚାକିରିରୁ ବଞ୍ଚିତ କରୁଥିବା ନେଇ ପ୍ରମାଣ ମିଳେ, ତେବେ ପରିଣାମ ବହୁତ ଖରାପ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

IT କମ୍ପାନୀଙ୍କ ଅଡ଼ୁଆ ବଢ଼ିବ !
ସୋସିଆଲ ମିଡିଆ ଟ୍ୱିଟରରେ ଶିବକୁମାର ଲେଖିଛନ୍ତି ଯେ, ଯଦି କୌଣସି ବେସରକାରୀ ସଂସ୍ଥା କନ୍ନଡ଼ିଗାମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଚାକିରିରୁ ବଞ୍ଚିତ କରୁଥିବା ପ୍ରମାଣିତ ହୁଏ, ତେବେ ରାଜ୍ୟ ସରକାର ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସମଗ୍ର ବିଶ୍ୱ ବେଙ୍ଗାଲୁରୁକୁ ଭାରତର ଟେକ୍‌ କ୍ୟାପିଟାଲ୍‌ ଭାବରେ ଦେଖେ । ଆମ ସ୍ଥାନୀୟ ଯୁବକ-ଯୁବତୀଙ୍କ ଦକ୍ଷତା ଓ ପ୍ରତିଭା ଉପରେ ରାଜ୍ୟ ଗର୍ବିତ। କନ୍ନଡ଼ିଗାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।

ତେଲୁଗୁ-ତାମିଲ ଲୋକଙ୍କୁ ପ୍ରାଧାନ୍ୟ !
ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ, ଚାକିରି ସାକ୍ଷାତକାର କିମ୍ବା ସର୍ଟଲିଷ୍ଟିଂ ସମୟରେ ଯେଉଁ ପ୍ରାର୍ଥୀମାନେ ନିଜର ମାତୃଭାଷା କନ୍ନଡ଼ ବୋଲି ଉଲ୍ଲେଖ କରୁଛନ୍ତି, ସେମାନଙ୍କୁ ଚୟନ କରାଯାଉ ନାହିଁ । କିନ୍ତୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଆସୁଥିବା ତେଲୁଗୁ ଏବଂ ତାମିଲ ଭାଷାଭାଷୀ ପ୍ରାର୍ଥୀମାନଙ୍କୁ କମ୍ ଦରମାରେ କମ୍ପାନୀଗୁଡ଼ିକ ପ୍ରାଧାନ୍ୟ ଦେଉଛନ୍ତି। ଏପରିକି ବେଙ୍ଗାଲୁରୁର କଲେଜଗୁଡ଼ିକରେ କ୍ୟାମ୍ପସ ଇଣ୍ଟରଭ୍ୟୁ ମଧ୍ୟ ହେଉନଥିବା ସେ ଅଭିଯୋଗ କରିଥିଲେ । ଏହା ସହ ଯୁବତୀ ଜଣକ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ
​​​​​​​ଏହି ସମସ୍ୟାକୁ ନେଇ ସ୍ଥାନୀୟ କନ୍ନଡ଼ ସଂଗଠନଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୨୦୨୪ ରେ ସିଦ୍ଦରମୈୟା ସରକାର ବେସରକାରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ସଂରକ୍ଷଣ ସମ୍ବନ୍ଧୀୟ ଏକ ବିଲ୍ ଆଣିଥିଲେ । କିନ୍ତୁ ଶିଳ୍ପସଂସ୍ଥାଗୁଡ଼ିକର ବିରୋଧ ଯୋଗୁଁ ତାହାକୁ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ, ଏହି ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ବିଜେପି ପ୍ରବକ୍ତା ଅଶୋକ ଗୌଡ଼ା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କେବଳ ଚେତାବନୀ ନଦେଇ ସରକାର ବାସ୍ତବରେ କନ୍ନଡ଼ିଗାମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କି ପ୍ରକାର ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ତେବେ ବେଙ୍ଗାଲୁରୁରେ ଗଢ଼ିଉଠିଥିବା ଆଇଟି କମ୍ପାନୀଗୁଡ଼ିକ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀକୁ ନେଇ ଚେତିବେ ନା ଆଗକୁ ଆକ୍ସନ ହେବ, ତା ଉପରେ ଲୋକଙ୍କ ନଜର ରହିବ ।