ରାୟଗଡ଼ା ୨୫।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ରାୟଗଡ଼ା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଚାଷୀଙ୍କୁ ବର୍ଷା ଓ ପବନକୁ ନେଇ ଚିନ୍ତା ଘାରିଛି । ବର୍ତ୍ତମାନ ଧାନ ପାଚି ଆରମ୍ଭ ହୋଇଯାଇଥିବା ବେଳେ ପ୍ରବଳ ବର୍ଷା ହେଲେ ଧାନ କେଣ୍ଡା ଝଡିଯିବାର ଆଶଙ୍କା ଦେଖାଦେଇଛି ।

ଜିଲ୍ଲାର ୧୧ଟି ବ୍ଲକର ଅଧିକାରୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ୮୪ଟି ଆଶ୍ରୟସ୍ଥଳୀକୁ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ ପାଇଁ ନିଷ୍ପତ୍ତି ହୋଇଛି । ଓଡ୍ରାଫ୍,ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ରାୟଗଡ଼ା ଜିଲ୍ଲାରେ ଚଳିତ ଖରିଫରେ ୪୮ ହଜାର ୯୮୧ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେହିପରି ୧ ଲକ୍ଷ ୬୧ ହଜାର ହେକ୍ଟର ଜମିରେ ଅଣଧାନ ଚାଷ ହୋଇଛି । ଅନେକ ଚାଷୀ କପା ଲଗାଇଥିବା ବେଳେ ଶହ ଶହ ଚାଷୀ ପନିପରିବା ଓ ଡାଲି ଜାତୀୟ ଫସଲ କରିଛନ୍ତି । ତେବେ ବାତ୍ୟା ଆସିଲେ ଚାଷୀକୂଳ ଅନେକ କ୍ଷତି ସହିବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବେଶ୍ ସଜାଗ ରହିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଭୂସ୍ଖଳନ ଘଟୁଥିବା ୧୧ଟି ସ୍ଥାନକୁ ଚିହ୍ନଟ କରାଯାଇ ସେହି ସ୍ଥାନ ମାନଙ୍କ ପ୍ରତି ସତର୍କ ରହିବାକୁ କ୍ଷେତ୍ର ଅଧିକାରୀଙ୍କୁ କୁହାଯାଇଛି । ଗୁଣପୁରରେ ଦୁଇଟି ଓଡ୍ରାଫ୍ ଟିମ୍ ରହିଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯିବା ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି ।

Also Read:- ଦକ୍ଷିଣ ଓଡ଼ିଶାରେ ODRAF-NDRF ମୁତୟନ, ଜିରୋ କାଜୁଆଲିଟି ଲକ୍ଷ୍ୟରେ ଓଡ଼ିଶା ସରକାର

ସେହିପରି ଏନଡିଆରଏଫ୍ ର ଏକ ଟିମ୍କୁ ମଧ୍ୟ ନିୟୋଜିତ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ସମସ୍ତ ଅଧିକାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ଯେଉଁ ମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Watch Video: