ଭୁବନେଶ୍ୱର: ବୁଧବାରଠୁ ଆରମ୍ଭ ହୋଇଛି ବିଧାସନସଭାର ଶୀତକାଳୀନ ଅଧିବେଶନ। ଗୃହକାର୍ଯ୍ୟର ପ୍ରଥମ ଦିନରେ ୨୦୨୬-୨୦୨୭ ବର୍ଷ ପାଇଁ ୨୪ ହଜାର ୧୫୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥ ବିଭାଗ ଦାୟିତ୍ଵ ସମ୍ଭାଳୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅତିରିକ୍ତ ବଜେଟରେ ମହିଳା, କୃଷକ ଓ ସାଧାରଣ ଲୋକଙ୍କ କଲ୍ୟାଣକୁ ଗୁରୁତ୍ଵ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ମୂଳ ବଜେଟ୍ ଆଗତ କରିଥିଲେ। ଏବେ ଅତିରିକ୍ତ ବଜେଟ୍ ମାଧ୍ୟମରେ ବିଭିନ୍ନ ବିଭାଗ ଓ ଯୋଜନା ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରାଯାଇଛି।

ଏହି ଅତିରିକ୍ତ ବଜେଟ ମହିଳା ସଶକ୍ତିକରଣକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ମୋଟ ୧,୨୪୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିମଧ୍ୟରୁ ରାଜ୍ୟର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ 'ସୁଭଦ୍ରା' ଯୋଜନା ଲାଗି ୫୫୦ କୋଟି ଟଙ୍କା ରଖାଯାଇଛି। ଏହାଦ୍ୱାରା ଯୋଜନାର ଆର୍ଥିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

Also Read: ଗତ ୬ ଦିନ ହେଲା କମୁଛି ସୁନା ଓ ରୁପା ଦର: ଆଜି ବି ବଡ଼ଧରଣର ହ୍ରାସ, କେତେ କମିଲା ଦର ଜାଣନ୍ତୁ

ସେହିପରି ଚାଷୀଙ୍କ ଆର୍ଥିକ ସହାୟତା ଓ କୃଷି କ୍ଷେତ୍ରର ବିକାଶ ପାଇଁ 'ସମୃଦ୍ଧ କୃଷକ ଯୋଜନା'ରେ ୩୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ଲକ୍ଷ୍ୟରେ 'ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା' ପାଇଁ ୬୪୨ କୋଟି ଟଙ୍କା ରଖାଯାଇଛି।

ଅନ୍ୟପଟେ ବିଭିନ୍ନ ସରକାରୀ ବିଭାଗର ଅତିରିକ୍ତ ଖର୍ଚ୍ଚ ପାଇଁ ମଧ୍ୟ ବଡ଼ ଧରଣର ଅର୍ଥ ବ୍ୟବସ୍ଥା କରାଯାଇଛି। ସର୍ବାଧିକ ୮ ହଜାର ୩୮୯ କୋଟି ଟଙ୍କା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପାଇଁ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୪ ହଜାର ୯୯୯ କୋଟି ଟଙ୍କା ମିଳିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୧,୩୯୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।