ଭୁବନେଶ୍ଵର: ଚିନି ଦର ବଢ଼ିବାକୁ ନେଇ ଯେତେବେଳେ ସାଧାରଣ ଲୋକ ଚିନ୍ତାରେ ଅଛନ୍ତି, ସେତେବେଳେ ଓଡ଼ିଶାରେ ବନ୍ଦ ହୋଇପଡ଼ିଥିବା ଚିନିକଳ ଗୁଡ଼ିକ କେବେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ଏହାରି ଭିତରେ ବନ୍ଦ ପଡ଼ିଥିବା ୩ ଚିନି କଳକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଯୋଜନା ରଖିଛନ୍ତି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ଓଡିଶାରେ ଚାରି ଚିନି କଳ ଯଦି ଏକାସାଙ୍ଗରେ ଚାଲେ ତାହେଲେ ଏହା ରାଜ୍ୟବାସୀଙ୍କ ଚାହିଦା ମେଣ୍ଟାଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମନ୍ତ୍ରୀ ।

ମାର୍କେଟରେ ନାହିଁ ଆବଶ୍ୟକ ପରିମାଣର ଚିନି । ତେଣୁ ଅହେତୁକ ଭାବେ ବୃଦ୍ଧି ପାଇଛି ଚିନି ଦର । ଯାହାକୁ ନେଇ ଚିନ୍ତାରେ ସାଧାରଣ ଲୋକେ । ଠିକ୍ ଏତିକି ବେଳେ ରାଜ୍ୟରେ ବନ୍ଦ ପଡ଼ିଥିବା ତିନି ତିନିଟି ଚିନି କ’ଣ କେବେ କାର୍ଯ୍ୟକ୍ଷମ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ଯାହାର ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଗୋଟିଏ ଚିନିକଳ ଚାଲୁ ରହିଛି । ବାକି ତିନିଟି ଚିନି କଳ କାର୍ଯ୍ୟକ୍ଷମ ହେଲେ ଏହା ରାଜ୍ୟବାସୀଙ୍କ ଚିନି ଚାହିଦା ପୂରଣ କରିପାରିବ ।

Also Read: ସରକାରଙ୍କ ହସ୍ତକ୍ଷେପ ପରେ ୧୮% କମିଲା ଚିନି ଦର; ଖାଦ୍ୟ ସଚିବ କହିଲେ, ଆଗକୁ ଆହୁରି କମିବ

ମନ୍ତ୍ରୀ ଆହୁରି ବି କହିଛନ୍ତି ଯେ, ରାଜ୍ୟରେ ଥିବା ୪ଟି ଚିନିକଳ ମଧ୍ୟରୁ ଗୋଟିଏ ଅର୍ଥାତ୍ ଆସ୍କା ଚିନି କଳ ଚାଲୁ ରହିଛି । ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବଡ଼ମ୍ବା ଚିନି କଳ । ବଲାଙ୍ଗୀର ଚିନି କଳ ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି । ନୟାଗଡ଼ ଚିନି କଳ ନେଇ ଆଇନ ଗତ ପ୍ରକ୍ରିୟା ଖୁବ ଶୀଘ୍ର ସମାଧାନ ହେବ । ଏହା ପରେ ନୟାଗଡ଼ ଚିନି କଳକୁ ମଧ୍ୟ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଛନ୍ତି ସରକାର । ଏଥି ସହ ଆଗକୁ ଆଖୁଚାଷୀଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦିଆଯିବ । ସେମାନଙ୍କୁ ଆଖୁ ଚାଷ ପାଇଁ ଟ୍ରେନିଂ ମଧ୍ୟ ଦିଆଯିବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଅଧୀନରେ ଆଇପିଏଲ ସଂସ୍ଥା ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବ ଏବଂ ସଂସ୍ଥାର କର୍ମଚାରୀ ମଧ୍ୟ ଆସି ସର୍ଭେ ଶେଷ କରିଛନ୍ତି | ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ଠାରେ ଥିବା ଏସିଆ ମହାଦେଶର ସର୍ବ ପ୍ରଥମ ସମବାୟ ଚିନି ଶିଳ୍ପ ଦିନକୁ ଦିନ ଆଖୁ ଚାଷ କମୁଥିବାରୁ ଉତ୍ପାଦନ ମଧ୍ୟ ବହୁମାତ୍ରାରେ କମିଛି | ତେବେ ଆଖୁ ଚାଷ ପାଇଁ ଚାଷୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ଆସିକା ସମବାୟ ଚିନି ଶିଳ୍ପର ପରିଚାଳନା ପରିଷଦ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରଦେକ୍ଷ୍ୟେପ ଗ୍ରହଣ କରୁଛନ୍ତି l

Also Read: ପିଆଜ ଦର ଆକାଶଛୁଆଁ, ସପ୍ତାହକ ତଳେ ଥିଲା ୨୦ ଟଙ୍କା, ଏବେ ହେଲାଣି ୬୦…

୨୦୨୭ ପାଇଁ ଆଖୁର ଟନ୍ ପିଛା ମୂଲ୍ୟ ୪୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି | ଆଖୁଚାଷ ବୃଦ୍ଧି ପାଇଲେ ଚିନି ଉତ୍ପାଦନ ମଧ୍ୟ ବୃଦ୍ଧି ପାଇପାରିବ ବୋଲି କହିଛନ୍ତି ସ୍ଥାନୀୟବାସିନ୍ଦା। ସେହିଭଳି ୨୦୧୨ ମସିହାରୁ ବଲାଙ୍ଗୀର ଚିନି କଳ ବନ୍ଦ ପଡିଛି | ବଲାଙ୍ଗୀର ଚିନି କଳ ଦିନକୁ୨୮ ହଜାର କୁଇଣ୍ଟାଲ ଚିନି ଉତ୍ପାଦନ କରୁଥିଲା | ସେହିପରି ବଡମ୍ବା ଚିନିକଳ ୨୦୧୧ ମସିହାରୁ ମଧ୍ୟ ହୋଇ ପଡିଥିବା ବେଳେ ଏହାକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ | ତେବେ ନୟାଗଡ ଚିନି କଳକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଯୋଜନା ଆରମ୍ଭ କରିଛନ୍ତି । କେବେ ରାଜ୍ୟରେ ବନ୍ଦ ପଡ଼ିଥିବା ବାକି ୩ଟି ଚିନି କ’ଣ ଚାଲିବ ତାକୁ ହିଁ ଅପେକ୍ଷା । ସେହିଭଳି ରାଜ୍ୟରେ ଆଖୁ ଚାଷୀଙ୍କୁ ପ୍ରୋତ୍ସାହନ ଓ ଆଖୁ ଚାଷ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ପଡ଼ିବ ।