ସୁବର୍ଣ୍ଣପୁର :  ମେଣ୍ଢା ପଲଙ୍କ ଭିତରେ ଜୀବନ। ମେଣ୍ଢା ଚରେଇଲେ ଆଉ ବିଲକୁ ଗଲେ, ଘର ଚଳେ। ନହେଲେ ଭଲ କରି ଖାଇବା ବି ହୋଇ ପଡ଼େ ମୁସ୍କିଲ। ଏମିତି କହିବାକୁ ଗଲେ ନିଇତି ଖଟିଲେ ଖାଇବେ। ଏ ଦୃଶ୍ୟ ବା ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ କଣ ଲାଗୁଛି ଏହି ଘରେ କଣ ଜଣେ ପାଠ ପଢ଼ି ବଡ଼ ଅଫିସର କି ଡାକ୍ତର ହୋଇ ପାରିବ। କିଛି ସମୟ ପାଇଁ ମନରେ ଆସୁଥିବ ନା। କିନ୍ତୁ ଏକଥାକୁ ଭୁଲ୍ ସାବ୍ୟସ୍ତ କରିଛନ୍ତି ମେଣ୍ଢା ଚରାଳିଙ୍କ ପୁଅ। ସଂକଳ୍ପ, ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର୍ ମାନିଛି ପରିସ୍ଥିତି। ସୁବର୍ଣ୍ଣପୁରର ସଚିନ ବେହେରା ମେଡିକାଲ ପ୍ରବେଶିକ ପରୀକ୍ଷା ନିଟ୍ କ୍ଵାଲିଫାଏ କରିଛନ୍ତି। ଆଉ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଖୁସିର କଥା ଯେ, ଏବେ ଡାକ୍ତର ହେବେ ମେଣ୍ଢା ଚରାଳିଙ୍କ ପୁଅ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କନ୍ଦାଗାଡ ଗ୍ରାମର ମେଘା ବେହେରା ଓ ପତ୍ନୀ ପଙ୍କଜିନୀ ବେହେରା । ମେଘା ଦିବ୍ୟାଙ୍ଗ ଥିବାରୁ ବାହାର କାମ ଧନ୍ଦା କରି ନ ପାରିବାରୁ ମେଣ୍ଢା ପୋଷି ପରିବାର ଚଳାଇଥାନ୍ତି। ବେଳେ ବେଳେ ଚାଷ କାମ ବି କରନ୍ତି। ଏଥିରେ ଯାହା ଦୁଇ ପଇସା ରୋଜଗାର ହୁଏ ପରିବାର ଚଳେ। ଏଥିରେ ପୁଅକୁ ବାହାର ସହରକୁ ପାଠ ପଢ଼ିବାକୁ ପଠେଇବା କିମ୍ବା ଦାମୀ କୋଚିଂ ସେଣ୍ଟର ଦେବା ସମ୍ଭବ ନୁହେଁ। ଏସବୁକୁ ବୁଝିଥିଲେ ସଚିନ୍। ସେଥିପାଇଁ ସେ ଦିନକୁ 14 ରୁ 16 ଘଣ୍ଟା ପରିଶ୍ରମ କରୁଥିଲେ । ଆଉ ଅନଲାଇନ୍ କ୍ଲାସ୍ ନେଇ ପାଠ ପଢ଼ିଥିଲେ। ଏବେ ସଚିନ ବେହେରା ନିଟ୍ ପରୀକ୍ଷାରେ ପାଇଛନ୍ତି ସଫଳତା।ସେ ନିଟ୍ ପରୀକ୍ଷାରେ 720 ମାର୍କରୁ 560 ମାର୍କ ଆଣି ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ । ଏହି ସଫଳତାର ଶ୍ରେୟ ତାଙ୍କ ଭଉଣୀ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି l

ସଂକଳ୍ପ ଓ ଅଧ୍ୟବସାୟ ସାଙ୍ଗକୁ ଦୃଢ଼ ଇଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରେ l ଏହାକୁ ପ୍ରମାଣ କରିଛନ୍ତି ସଚିନ୍। ସେଥିପାଇଁ ତ ପିଲାନିନରୁ ହି ସେ ନିଜ ପରିସ୍ଥିତି ବୁଝି ପାଠକୁ ନିଜର ସାଥୀ କରିଥିଲେ। ମେଧାବୀ ଛାତ୍ର ଭାବେ ସ୍କୁଲ୍ ଜୀବନରୁ ହିଁ ଅନେକ ମେଡାଲ ହାତେଇଛନ୍ତି। ଶେଷରେ ଏତିକି କହିବା ନିଷ୍ଠା ଓ ପରିଶ୍ରମ ଆଗରେ ହାର୍ ମାନିଛି ଗରିବୀ। ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ସଚିନ l ନିଟ ପରୀକ୍ଷାରେ ସଫଳତା ପାଇବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l ସଚିନଙ୍କ ସ୍ୱପ୍ନ ସେ ଡାକ୍ତର ହେବେ , ତାଙ୍କ ଭଲି ଅଭାବ ଅନଟନରେ ଜୀବନ ବିତାଉଥିବା ଲୋକଙ୍କ ସେବା କରିବେ। ସଚିନଙ୍କ ସଫଳତା କୁ ନେଇ ଗ୍ରାମ ତଥା ପରିବାରରେ ଖୁସିର ଲହରି ଖେଳି ଯାଇଛି ।

Also Read- ବହୁଚର୍ଚ୍ଚିତ ଅନୁଗୁଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ସଚିନଙ୍କ ପାଇଁ କିନ୍ତୁ ଏବେ ଅର୍ଥ ସାଜିଛି ବାଧକ। ଆଗକୁ ପିଲାକୁ କିପରି ଡ଼ାକ୍ତରୀ ପାଠ ପଢାଇବେ ସେଥିପାଇଁ ଖୁସିଠୁ ବେଶି ଚିନ୍ତାରେ ପରିବାର। ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପରିବାର ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି l