ଅନୁଗୁଳ :ଅନୁଗୁଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଆସିଛି ରାୟ। ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଜଣ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅଦାଲତ। ଓଡ଼ିଶା ପୋଲିସର ବୈଜ୍ଞାନିକ ଓ ପ୍ରମାଣଭିତ୍ତିକ ତଦନ୍ତ ଯୋଗୁଁ ଅପରାଧୀମାନେ ଆଜି ଆଇନର କାଠଗଡ଼ାରେ ଦଣ୍ଡିତ ହୋଇଛନ୍ତି ୪ ଅଭି।

ଅନୁଗୋଳ ଜିଲ୍ଲାରେ ଘଟିଥିବା ସେହି ସାଂଘାତିକ ଓ ଜଘନ୍ୟ କାଣ୍ଡର ରାୟ ଶୁଣାଇଛନ୍ତି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ (ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ) ମାମଲାର ଶୁଣାଣି କରି ୪ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ପୋକ୍ସୋ (POCSO) ଆଇନର ଧାରା–୬ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ବିଭିନ୍ନ ଧାରା ଆଧାରରେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି।ଜିତୁ ସାହୁ, ହୃଦୟ ଚନ୍ଦ୍ର ପ୍ରଧାନ, ଅସିତ କୁମାର ସାହୁ ଏବଂ ଦୀପୁ ଓରଫ ଦିବ୍ୟରଞ୍ଜନ ଅମାନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଘଟଣାର ବିବରଣୀ ଅନୁଯାୟୀ, ୨୦୨୪ ମସିହା ଅଗଷ୍ଟ ୬ ତାରିଖରେ ଜଣେ ୨୧ ବର୍ଷୀୟା ଯୁବତୀ ଓ ଜଣେ ନାବାଳିକାଙ୍କୁ ବଳପୂର୍ବକ ମଦ୍ୟପାନ କରାଇ ଏହି ୪ ଜଣ ଗଣଦୁଷ୍କର୍ମ କରିଥିଲେ। ମାମଲା ରୁଜୁ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଅନୁଗୋଳ ଜିଲ୍ଲା ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବ୍-ଇନ୍ସପେକ୍ଟର ସଂଘମିତ୍ରା ଶତପଥୀ ମାମଲାର ତଦନ୍ତ ଭାର ସମ୍ଭାଳିଥିଲେ। ପୋଲିସର ଉଦ୍ୟମ ଯୋଗୁଁ ମାତ୍ର୫୯ ଦିନମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇପାରିଥିଲା।

ତଦନ୍ତ ସମୟରେ ସଂଗୃହୀତ ଦୃଢ଼ ବୈଜ୍ଞାନିକ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଆଜି ଏହି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ଦ୍ରୁତ ଓ ପ୍ରମାଣଭିତ୍ତିକ ତଦନ୍ତ ଯୋଗୁଁ ଯେଉଁଭଳି ଭାବେ ଅପରାଧୀମାନଙ୍କୁ କମ୍ ସମୟ ମଧ୍ୟରେ ସଜା ମିଳିଛି, ତାହା ଓଡ଼ିଶା ପୋଲିସର'ଜିରୋ ଟଲରେନ୍ସ'ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। ମହିଳା ଓ ଶିଶୁ ସୁରକ୍ଷା ପାଇଁ ପୋଲିସର ଏହି ଦୃଢ଼ ପ୍ରତିବଦ୍ଧତା ସମାଜରେ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବ। ଅପରାଧ ଯେତେ ବଡ଼ ହେଉନା କାହିଁକି, ଆଇନର ହାତରୁ ବର୍ତ୍ତିବା ଅସମ୍ଭବ—ଏହା ଅନୁଗୋଳ କୋର୍ଟଙ୍କ ଏହି ରାୟରୁ ସ୍ପଷ୍ଟ ହୋଇଛି।