ନୂଆଦିଲ୍ଲୀ, ୨୪। ୦୯:ବଲିଉଡ ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜା ପୁଣିଥରେ ଚର୍ଚ୍ଚାରେ। ଚଳିତ ବର୍ଷର ଗଣପତି ଉତ୍ସବ ସମୟରେ ଉଭୟଙ୍କୁ ଅଲଗା ଅଲଗା ଭାବେ ଦେଖାଯିବା ସହ ଗୋବିନ୍ଦାଙ୍କୁ ଅଭିନେତ୍ରୀ ତଥା ହାସ୍ୟ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ନିକଟରେ ମୁମ୍ବାଇ ବିମାନବନ୍ଦରରେ ପାପାରାଜିଙ୍କ ସହ କଥା ହେବା ସମୟରେ ସୁନିତା ନିଜ ପୋଷା କୁକୁର ‘ୱିଣ୍ଟର’ ବିଷୟରେ କଥା ହୋଇଥିଲେ। ଏହି ସମୟରେ ସେ ମଣିଷ ଏବଂ ପଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନିଜ ମତ ରଖିଥିଲେ। ସେ କହିଥିଲେ ଯେ ମଣିଷ ଅପେକ୍ଷା ପଶୁମାନେ ଅଧିକ ଭଲ ଏବଂ ସେମାନଙ୍କ ଭଲପାଇବା ନିଃସ୍ୱାର୍ଥପର।ସୁନିତାଙ୍କ ଏହି ମନ୍ତବ୍ୟରେ ମାନବୀୟ ସମ୍ପର୍କରେ ଧୋକା ମିଳିବାର ସମ୍ଭାବନା ଏବଂ ପଶୁମାନଙ୍କ ନିଃସ୍ୱାର୍ଥ ଭଲପାଇବା ସମ୍ପର୍କରେ ମଧ୍ୟ ଉଲ୍ଲେଖ ଥିଲା। ବିଶେଷକରି ‘କପଟୀ ମଣିଷ’ ସମ୍ପର୍କିତ ତାଙ୍କ କଥାକୁ ସୋସିଆଲ ମିଡିଆର ଏକ ବର୍ଗ ଗୋବିନ୍ଦାଙ୍କ ସହ ଯୋଡ଼ି ଦେଖିବା ଆରମ୍ଭ କରିଛନ୍ତି। ତେବେ ସୁନିତା ତାଙ୍କ ମନ୍ତବ୍ୟରେ ଗୋବିନ୍ଦାଙ୍କ ନାମ ନେଇନଥିଲେ। ତାଙ୍କ କଥା ପ୍ରକୃତରେ ପୋଷା କୁକୁର ‘ୱିଣ୍ଟର’କୁ ନେଇ ଥିଲା। ତେଣୁ ଏହି ମନ୍ତବ୍ୟ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟ କରି କୁହାଯାଇଥିଲା କି ନାହିଁ, ତାହା ସ୍ପଷ୍ଟ ନୁହେଁ।

ଅନ୍ୟପଟେ, ଗଣପତି ଉତ୍ସବ ସମୟରେ ଗୋବିନ୍ଦା ‘ଲାଲବାଗଚା ରାଜା’ଙ୍କ ଦର୍ଶନ କରିଥିଲେ। ସେଠାରେ ତାଙ୍କ ସହ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ଗଣପତି ବାପ୍ପାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।