ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ମେଘାଳୟର ରାଜନୀତିରେ ଏକ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି । ଏଠାରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଜେପିରେ ଯୋଗ ଦେଇଛନ୍ତି । ଏହାସହ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।

ବୁଧବାର ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ୮ ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ମେଘାଳୟ ବିଧାନସଭାରେ ବିଜେପି, ନ୍ୟାସନାଲ ପିପୁଲ୍ସ ପାର୍ଟି ପରେ ଦ୍ୱିତୀୟ ସବୁଠାରୁ ବଡ଼ ଦଳ ପାଲଟିଛି । କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ, ବିଜେପି ସାଂସଦ ସମ୍ବିତ ପାତ୍ର, ମେଘାଳୟ ବିଜେପି ସଭାପତି ଓ ରାଜ୍ୟ ପ୍ରଭାରୀ ଅନିଲ ଆଣ୍ଟୋନିଙ୍କ ଉପସ୍ଥିତିରେ ଏହି ୮ ଜଣ ବିଧାୟକ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଇଛନ୍ତି ।

ବିଜେପିରେ ଯୋଗ ଦେଇଥିବା ବିଧାୟକମାନଙ୍କ ମଧ୍ୟରେ ମେଘାଳୟର କ୍ୟାବିନେଟ୍ ମନ୍ତ୍ରୀ ଲଖମେନ୍ ରିମ୍ବୁଇ, ପିୟସ୍ ମାର୍‌ୱେନ୍, କିର୍ମେନ୍ ଶ୍ୟଲ୍ଲା, ମାଇରାଲବୋର୍ଣ୍ଣ ସିଏମ୍, ମ୍ୟାଥ୍ୟୁ କୁର୍ବାଃ, ଓଲନ୍ ସିଂହ ସୁଇନ୍, ବାଲାଜିଦ୍ କୁପର ସିନରେମ୍ ଏବଂ ସିନଶର ଲିଙ୍ଗଦୋହ ଥବାହ ସାମିଲ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହାପୂର୍ବରୁ ଏହି ବିଧାୟକମାନେ କିର୍ମେନ୍ ଶ୍ୟଲ୍ଲାଙ୍କ ନେତୃତ୍ୱରେ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପୂର୍ବରୁ ସେପ୍ଟେମ୍ବର ୧୨ରେ ୟୁଡିପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡଃ ଜେମିନୋ ମାବଥୋହ ବିଜେପିରେ ଯୋଗ ଦେଇଥିଲେ, ଯାହା ପରଠାରୁ ୟୁଡିପି ଭାଙ୍ଗିବା ନେଇ ଆଶଙ୍କା କରାଯାଉଥିଲା ।

​​​​​​​

କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, "ମେଘାଳୟର ଲୋକପ୍ରିୟ ବିଧାୟକମାନେ ବୁଧବାର ବିଜେପି ପରିବାରରେ ଯୋଗ ଦେଉଛନ୍ତି । ଏହା କେବଳ ଉତ୍ତର-ପୂର୍ବ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାବଳୀ । ମୁଁ ଏହି ୮ ଜଣ ନିର୍ବାଚିତ ବିଧାୟକଙ୍କୁ ହୃଦୟରୁ ସ୍ୱାଗତ କରୁଛି ।"

 

ସେ ଆହୁରି କହିଛନ୍ତି ଯେ, ଏହି ବିଧାୟକମାନେ ଏକ ପ୍ରମୁଖ ଆଞ୍ଚଳିକ ଦଳ ୟୁଡିପି ସହ ଜଡ଼ିତ ଥିଲେ, କିନ୍ତୁ ବିଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉତ୍ତର-ପୂର୍ବ ଏବଂ ମେଘାଳୟରେ ହୋଇଥିବା ପ୍ରଗତିକୁ ଦେଖି ସେମାନେ ପ୍ରଭାବିତ ହୋଇଛନ୍ତି ।

'ହଠାତ୍ ନିଆଯାଇନି ଏହି ନିଷ୍ପତ୍ତି'

ଅନ୍ୟପଟେ ମେଘାଳୟ କ୍ୟାବିନେଟ୍ ମନ୍ତ୍ରୀ ଲଖମେନ୍ ରିମ୍ବୁଇ କହିଛନ୍ତି ଯେ, ୟୁଡିପିର ୮ ଜଣ ବିଧାୟକ ବିଜେପିରେ ସାମିଲ ହେବା ନିଷ୍ପତ୍ତି ହଠାତ୍ ନିଆଯାଇନାହିଁ । ରାଜ୍ୟ ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୀର୍ଘ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । ରିମ୍ବୁଇ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରାଯାଇଥିବା ୪ଟି ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେଗୁଡ଼ିକ ମଧ୍ୟରେ, ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଖାସି ଏବଂ ଗାରୋ ଭାଷାକୁ ସାମିଲ କରିବା । ମେଘାଳୟ ରେସିଡେଣ୍ଟସ୍ ସେଫଟି ଆଣ୍ଡ ସିକ୍ୟୁରିଟି ଆକ୍ଟ (MRSSA)ରେ ସଂଶୋଧନ । ମେଘାଳୟରେ କୋଇଲା ଖନନ ପ୍ରକ୍ରିୟାକୁ ସହଜ କରିବା ଏବଂ ରାଜ୍ୟର ସୀମା ବିବାଦର ସମାଧାନ । ରାଜ୍ୟରେ ୨୦୨୮ରେ ବିଧାନସଭା ନିର୍ବାଚନ ହେବ, ଏହା ପୂର୍ବରୁ ଏହି ଘଟଣାକ୍ରମ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ।