ଭୁବନେଶ୍ଵର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଡ୍ରପଆଉଟ ନେଇ ଆସିଛି ଆଶ୍ଵସ୍ତିକର ଖବର । ରାଜ୍ୟରେ ମାଧ୍ୟମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଛି । ଗତ ବର୍ଷ ୧୫ ପ୍ରତିଶତ ଥିବା ହାର ଚଳିତ ବର୍ଷ ୧୪.୧ ପ୍ରତିଶତକୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଧାୟକ ସାଗର ଚରଣ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ୨୦୨୩-୨୪ ରେ ଡ୍ରପ୍ ଆଉଟ୍ ହାର ୧୨.୮୦ ପ୍ରତିଶତ ଥିଲା, ୨୦୨୪-୨୫ ରେ ତାହା ୧୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ହେଲେ UDISE+ ର ନୂଆ ତଥ୍ୟ ଅନୁଯାୟୀ ୨୦୨୫-୨୬ ରେ ଏହା ୧୪.୧ ପ୍ରତିଶତକୁ ଖସିଛି । ଯାହା ଏହା ଶିକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବ (Decreasing Trend)କୁ ସୂଚାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

Also Read: ଅଢ଼େଇ ବର୍ଷରେ ରାଜଧାନୀରେ କଟିଛି ୧୩, ୮୮୪ ଚାଲାଣ; ଆଦାୟ ହୋଇଛି ୧୫ କୋଟି, ଟ୍ୱିନ୍ ସିଟିରେ ବେଶି ଅମାନିଆ

ସ୍କୁଲକୁ ଫେରିଲେ ୮୦ ହଜାର ପିଲା

ସେହିପରି ସ୍କୁଲ ବାହାରେ ରହିଯାଇଥିବା (ଆଉଟ୍ ଅଫ୍ ସ୍କୁଲ) ଶିଶୁଙ୍କୁ ପୁନର୍ବାର ପାଠପଢ଼ା ମୂଳସ୍ରୋତକୁ ଆଣିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ରାଜ୍ୟରେ ଆଉଟ୍ ଅଫ୍ ସ୍କୁଲ୍ ପିଲାଙ୍କ ସଂଖ୍ୟା ହ୍ରାସ ପାଉଥିବା ମନ୍ତ୍ରୀ ତଥ୍ୟ ଦେଇଛନ୍ତି । ଓଡିଶା ଶିକ୍ଷା ସର୍ଭେକ୍ଷଣରେ ୨,୧୬,୧୩୧ ଜଣ ପିଲା ସ୍କୁଲ ବାହାରେ ଥିବା ଚିହ୍ନଟ ହୋଇଥିବା ବେଳେ ୭୯,୯୯୬ ଜଣଙ୍କୁ ପୁଣି ସ୍କୁଲକୁ ଫେରାଇ ଅଣାଯାଇଛି । ତେବେ ଆହୁରି ୧ ଲକ୍ଷ ୩୬ ହଜାର ୧୩୫ ଜଣ ପିଲା ସ୍କୁଲ ବାହାରେ ଅଛନ୍ତି ବୋଲି ମନ୍ତ୍ରୀ ତଥ୍ୟ ରଖିଛନ୍ତି ।