ଭୁବନେଶ୍ଵର: ଆସନ୍ତା ୨୯ରେ ପୁଣି କୋଟିଆରେ ସରପଞ୍ଚ ଓ ଓ୍ବାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ଆନ୍ଧ୍ର । କିନ୍ତୁ ଗତ ଥର ଭଳି ଏଥର ମଧ୍ୟ ଆନ୍ଧ୍ରର ସବୁ ଉଦ୍ୟମକୁ ଭଣ୍ଡୁର କରିବାକୁ ପ୍ରସ୍ତୁତ ରହିଛି ଓଡ଼ିଶା ପ୍ରଶାସନ । କୋଟିଆ ସୀମାରେ ଚେକ ପୋଷ୍ଟ କରି ପହରା ଦେଉଛନ୍ତି ସୁରକ୍ଷା କର୍ମୀ । ଗାଁ ଗାଁରେ ଜନସମ୍ପର୍କ ଶିବିର କରି କୋଟିଆବାସୀଙ୍କ ସହ ସମ୍ପର୍କ ସୁଦୃଢ଼ କରୁଛି କୋରାପୁଟ ପୋଲିସ ପ୍ରଶାସନ ।

କୋଟିଆ-ଆନ୍ଧ୍ର ସୀମାରେ ପହରା ଦେଉଛି ପୋଲିସ । ଚେକପୋଷ୍ଟ ଲଗାଇ ଯାଞ୍ଚ କରୁଛି ଯାନବାହାନ । ସୀମା ଦେଇ ଯିବା ଆସିବା କରୁଥିବା ଲୋକଙ୍କୁ କରାଯାଉଛି ଯାଞ୍ଚ । ଆସନ୍ତା ୨୯ରେ ପୁଣି କୋଟିଆରେ ସରପଞ୍ଚ ଓ ଓ୍ବାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି ଆନ୍ଧ୍ର । କିନ୍ତୁ ଗତ ଥର ଭଳି ଏଥର ମଧ୍ୟ ଆନ୍ଧ୍ରର ସବୁ ଉଦ୍ୟମକୁ ଭଣ୍ଡୁର କରିବାକୁ ପ୍ରସ୍ତୁତ ରହିଛି ଓଡ଼ିଶା ପ୍ରଶାସନ । କୋଟିଆ ସୀମାରେ ଚେକ୍ପୋଷ୍ଟ କରି ପହରା ଦେଉଛନ୍ତି ସୁରକ୍ଷା କର୍ମୀ ।

ଏଠାରେ ଓଡ଼ିଶା ପକ୍ଷରୁ କୋଟିଆର ୩ଟି ସ୍ଥାନରେ କରାଯାଇଛି ପୋଲିସର ଚେକପୋଷ୍ଟ । ସୀମାନ୍ତ ଗ୍ରାମ ନେରେଡ଼ିଓ୍ବାଲସା, ଫାଟୁସିନେରି ଏବଂ ଉପରସେମ୍ବିରେ ଚେକପୋଷ୍ଟ କରି ଜଗିଛନ୍ତି ସୁରକ୍ଷା କର୍ମୀ । ଏମିତିରେ ପ୍ରଥମେ ଆମେ ପହଞ୍ଚିଥିଲୁ ନେରେଡ଼ିଓ୍ବାଲସା ଗାଁରେ । ସେଠାରେ କେମିତି ଥିଲା ସୁରକ୍ଷା ବ୍ୟବସ୍ଥା ଆସନ୍ତୁ ଦେଖିବା । ଦେଖିଲେ ତ,  ଗତ ୫ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପର ଠାରୁ ଏମିତି ସୀମାରେ ଚେକ୍ପୋଷ୍ଟ ଲଗାଇ ଜଗିଛି ପୋଲିସ । ନେରେଡ଼ିଓ୍ବାଲସା ପରେ ଉପରସେମ୍ବି ଗାଁରେ ପହଞ୍ଚିଥିଲେ ଆମ ରିପୋର୍ଟର ।

ପୂର୍ବରୁ ଆନ୍ଧ୍ର ପକ୍ଷରୁ ଉପରସେମ୍ବି ଗାଁରେ ଚେକପୋଷ୍ଟ କରାଯାଇଥିଲା । ଆନ୍ଧ୍ରର ଚେକପୋଷ୍ଟକୁ ହଟାଇ ଏବେ ସେହି ଜାଗାରେ ଜଗିଛନ୍ତି ଓଡ଼ିଶା ପ୍ରଶାସନ । ଏମିତିକି ଏଠାରେ ଏକ ପାଣି ଟାଙ୍କି ଉପରେ ଲଗାଯାଇଥିବା ଆନ୍ଧ୍ରର CCTV କ୍ୟାମେରାକୁ ବି ହଟାଇ ଦିଆଯାଇଛି । କେବଳ ଏହି ଚେକପୋଷ୍ଟ ନୁହେଁ, ପାଖରେ ଥିବା ଏକ ଘରେ ପୂର୍ବରୁ ରହୁଥିବା ଆନ୍ଧ୍ର ପୋଲିସକୁ ମଧ୍ୟ ହଟାଇ ସେଠାରେ ଓଡ଼ିଶା ପୋଲିସ ମୁତୟନ ହୋଇଛନ୍ତି ।

ଉପରସେମ୍ବି ଗାଁ ସୀମାରେ ପୋଲିସ କେବଳ ଚେକ୍ ପୋଷ୍ଟ କରି ଜଗିନି, ବରଂ ସ୍ଥାନୀୟ ଗ୍ରାମବାସୀଙ୍କୁ ଡାକି ସେଠାରେ ଜନସମ୍ପର୍କ ଶିବିର ମଧ୍ୟ ଚଳାଇଛି । ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି ଅଧିକାରୀ । ଆଉ ସେମାନେ ଫେରିବା ବେଳେ ମହିଳାମାନଙ୍କୁ ଗୋଟିଏ ଗୋଟିଏ  ଶାଢ଼ୀ ଉପହାର ଦେଉଛି ପ୍ରଶାସନ । ଏମିତିରେ ପୋଲିସ ଓ ଲୋକଙ୍କ ଭିତରେ ସମ୍ପର୍କକୁ ମଜବୁତ୍ କରିବା ଉପରେ ଗୁରୁତ୍ବ ଦିଆଯାଉଛି ।

ଅନ୍ୟପଟେ କୋଟିଆରେ ଓଡ଼ିଶା ପକ୍ଷରୁ ଶତ ପ୍ରତିଶତ SIR ପ୍ରକ୍ରିୟା ସରିଥିବା ଦାବି କରୁଛି କୋରାପୁଟ ଜିଲ୍ଲା ପ୍ରଶାସନ । କୋରାପୁଟ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ  କୋଟିଆରେ ହାଉସହୋଲଡ୍ ସର୍ଭେ ଓ ଡିଜିଟାଲ ସର୍ଭେ ହୋଇଛି । ଯେଉଁଥିରୁ ପଞ୍ଚାୟତର ୨୧ଟି ବିବାଦୀୟ ଗାଁରେ ୨୨ଶହରୁ ଅଧିକ ଘର  ରହିଥିବା ବେଳେ ୫ହଜାର ୩୦୫ ଜଣ ଭୋଟର ଥିବା ଜଣାପଡ଼ିଛି । ତେବେ ଆନ୍ଧ୍ରରେ SIR ହୋଇନଥିବା ବେଳେ ପୁରୁଣା ଭୋଟ ତାଲିକା ଅଧାରରେ କୋଟଆବାସୀଙ୍କୁ  ନିର୍ବାଚନରେ ଭୋଟର ଭାବେ ବ୍ୟବହାର କରିବାକୁ ପଛାଉ ନାହିଁ ଆନ୍ଧ୍ର ପ୍ରଶାସନ ।

ପୂର୍ବରୁ କୋଟିଆବାସୀଙ୍କୁ ଅନେକ ପ୍ରଲୋଭନ ଦେଇ ନିର୍ବାଚନରେ ଭୋଟ କରାଉଥିବା ଆନ୍ଧ୍ରକୁ ଏଥର ପଞ୍ଚାୟତ ନିର୍ବାଚନରେ  ଚେକ୍ ଦେଇଛି ଓଡ଼ିଶା । ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ଫଳରେ କେଉଁଠି ନା’ କେଉଁଠି ପଛକୁ ହଟିଛି ଆନ୍ଧ୍ର । ତେବେ ଆଗକୁ କ’ଣ ହେବ କୋଟିଆର ଭାଗ୍ୟ ତା’ ଉପରେ ରହିଛି ନଜର ।