ଲମତାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ସେମିଳିଗୁଡ଼ା ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର୍ ପଛପଟୁ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ କାର୍‌ଟି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ନନ୍ଦପୁର, ଲମତାପୁଟ ଓ ମାଛକୁଣ୍ଡ ପୋଲିସର ମିଳିତ ଉଦ୍ୟମରେ ଚାଙ୍ଗୁଡ଼ିପଡ଼ା ନିକଟରେ କାର୍ ସହ ଚାଳକ ଓ ସହଯାତ୍ରୀଙ୍କୁ ଧରାଯାଇଛି।

ମୃତକ ଦୁଇଜଣ ହେଲେ ବନୁର ପଞ୍ଚାୟତ କୁମ୍ବିଗୁଡ଼ା ଗ୍ରାମର ପର୍ଶୁ ହନ୍ତାଳ (୨୦) ଏବଂ ମାଲକାନଗିରି ଜିଲ୍ଲା କେନ୍ଦୁଗୁଡ଼ା ଗ୍ରାମର ଜେମା ପାଙ୍ଗି (୨୧)। ଉଭୟ ପ୍ରାୟ ଦେଢ଼ ବର୍ଷ ତଳେ ବିବାହ କରି ନନ୍ଦପୁର ଭୈରବୀ ମନ୍ଦିର ନିକଟରେ ରହୁଥିଲେ ଏବଂ ଭାଗଚାଷ ତଥା ମଜୁରି ଲାଗି ଜୀବିକା ନିର୍ବାହ କରୁଥିଲେ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦମ୍ପତି ନିକଟସ୍ଥ କ୍ଷେତକୁ ଯାଉଥିବା ସମୟରେ ସେମିଳିଗୁଡ଼ା ପଟୁ ଦ୍ରୁତଗତିରେ ଆସୁଥିବା ଓଡି-୦୨-ଡିବି-୮୦୯୮ ନମ୍ବର ବିଶିଷ୍ଟ ଏକ କାର୍ ସେମାନଙ୍କୁ ପଛପଟୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Also Read: କାର୍ ଡୋର୍ ଖୋଲିବା ବେଳେ ଭୟଙ୍କର ଦୁର୍ଘଟଣା, ସ୍କୁଟି ଚାଳକ ମୃତ, ଭାଇଭଉଣୀ ଗୁରୁତର​​​​​​​

ଘଟଣା ପରେ ନନ୍ଦପୁର ଥାନାଧିକାରୀ ତ୍ରିନାଥ ତୋଟା ପାଡ଼ିଆ ତୁରନ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଯାଞ୍ଚରୁ ଏକ କାର୍‌ର ସମ୍ମୁଖ କାଚର ଉଭୟ ପାର୍ଶ୍ୱ ଭାଙ୍ଗିଥିବା ଏବଂ ଏହା ଦ୍ରୁତଗତିରେ ଲମତାପୁଟ ଦିଗକୁ ଯାଉଥିବା ସୂଚନା ମିଳିଥିଲା। ଏହାପରେ ଲମତାପୁଟ ଓ ମାଛକୁଣ୍ଡ ପୋଲିସର ସହାୟତାରେ ନନ୍ଦପୁର ପୋଲିସ କାର୍‌କୁ ପିଛା କରିଥିଲା। ଶେଷରେ ଲମତାପୁଟ ବ୍ଲକ ସୀମାନ୍ତ ଚାଙ୍ଗୁଡ଼ିପଡ଼ା ଗ୍ରାମ ନିକଟରେ କାର୍‌ଟିକୁ ଅଟକାଇ ଚାଳକ ଓ ସହଯାତ୍ରୀଙ୍କ ସମେତ ମୋଟ ୪ ଜଣଙ୍କୁ କାବୁ କରିଥିଲା।

ପୋଲିସର ପ୍ରାଥମିକ ପଚରାଉଚରାରୁ ଅଟକ ଥିବା ବ୍ୟକ୍ତିମାନେ ନୟାଗଡ଼ରୁ ଆସି ରାଣୀ ଡୁଡୁମା ଓ ଡୁଡୁମା ଜଳପ୍ରପାତ ବୁଲିବାକୁ ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ନନ୍ଦପୁର ପୋଲିସ ମୃତ ଦମ୍ପତିଙ୍କ ଶବକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶବଗୃହରେ ସୁରକ୍ଷିତ ରଖିଛି। ଅଟକ ଥିବା ୪ ଜଣଙ୍କୁ ପଚରାଉଚରା କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।