ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଦୁଷ୍କର୍ମ । ପୋଲିସ୍ ରିପୋର୍ଟ କହୁଛି ଗତ ୩ ବର୍ଷରେ ରାଜ୍ୟରେ ମୋଟ୍ ୮ ହଜାର ୮୭୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେଥିରୁ ୭୦୯ଟି ଦୁଷ୍କର୍ମ ମାମଲା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡ଼ିଛି । ସବୁ ଠାରୁ ବଡ଼ କଥା ହେଲା ଏହି ମିଛ ଦୁଷ୍କର୍ମ ମାମଲାରୁ ପୋଲିସ୍ ଏକାଧିକ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାର ନଜିର ରହିଛି ।

୨୦୨୩ରୁ ୨୦୨୫ରେ ରାଜ୍ୟରେ ମୋଟ୍ ୮ ହାଜର ୮୭୩ ଦୁଷ୍କର୍ମ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିଲା । ୨୦୨୩ରେ ୨୮୨୬ଟି, ୨୦୨୪ରେ ୩୦୫୪ ଓ ୨୦୨୫ରେ ୨୯୯୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଚାର୍ଜସିଟ୍ ଦେବା ସମୟରେ ପୋଲିସ୍ ଝୁଣ୍ଟିଥିଲା । ଏହି ୩ ବର୍ଷରେ ୭୦୯ଟି ଦୁଷ୍କର୍ମ ମିଛ ବୋଲି ପୋଲିସ୍ ଜାଣିବାକୁ ପାଇଥିଲା । ୨୦୨୩ରେ ମସିହାରେ ୧୪୧ଟି, ୨୦୨୪ରେ ୨୫୯ ଓ ୨୦୨୫ରେ ୩୦୬ଟି ଦୁଷ୍କର୍ମ ମିଥ୍ୟା ବୋଲି ଜଣାପଡ଼ିଲା । ତେବେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଥାନାକୁ ଆସିଛି । ପ୍ରତିଶୋଧ ନେବାକୁ ଯାଇ ଅନେକ ମହିଳା ଓ ଯୁବତୀ ଥାନାରେ ଏତଲା ଦେଉଛନ୍ତି । ତା'ଛଡା ଦୁଷ୍କର୍ମ ମାମଲା ରୁଜୁ ହେଲେ ଆର୍ଥିକ ଅନୁକମ୍ପର ବ୍ୟବସ୍ଥା ରହିଛି । ତେଣୁ ଟଙ୍କା ପାଇବା ଲୋଭରେ ଥାନାରେ ଏତଲା ଦେଉଥିବା ଜଣାପଡ଼ିଛି।

ତଦନ୍ତ କଲେ ପୋଲିସ୍ ବଦନାମ

ଦୁଷ୍କର୍ମ ଅଭିଯୋଗ ଆଣୁଛି ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ଆରମ୍ଭ କରୁଛି ତନାଘନା । ବିଭିନ୍ନ ପ୍ରତିଶ୍ରୁତି ଦେଇ ଯଦି କୌଣସି ବ୍ୟକ୍ତି ସହମତିରେ ଶାରିରୀର ସମ୍ପର୍କ ରଖିଛି ତା'ହେଲେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରୁଛି । କିଛି ଘଟଣାରେ ସହମତିରେ ଶାରିରୀର ସମ୍ପର୍କ ରଖି ସ୍ୱାର୍ଥ ହାସଲ୍ ନ ହେଲେ ମହିଳା ଓ ଯୁବତୀମାନେ ଦୁଷ୍କର୍ମ ଅଭିଯୋଗ କରୁଛନ୍ତି । ପୋଲିସ୍ ତଦନ୍ତ ବେଳେ ଜାଣିବାକୁ ପାଏ ଏହା ଦୁଷ୍କର୍ମ ନୁହେଁ । ହେଲେ ଯଦି ଅଭିଯୁକ୍ତ ସପକ୍ଷରେ ପୋଲିସ୍ କିଛି କୁହେ କି ଗିରଫ କରେନାହିଁ, ତେବେ ସମାଲୋଚନାର ଶିକାର ହେବାକୁ ପଡ଼ିଥାଏ । ବଦନାମ ଭୟରେ ପୋଲିସ୍ ସଠିକ୍ ତଦନ୍ତ ନକରି ଅଭିଯୋଗ ପାଇବା ମାତ୍ରେ ଗିରଫ କରି କୋର୍ଟ ଚାଲାଣ କରେ । ପରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କୋର୍ଟରୁ ନିର୍ଦ୍ଦେଷରେ ଖଲାସ ହୁଏ ।