ନୂଆଦିଲ୍ଲୀ, ୦୬/୧୦:ବହୁ ବାଦ ବିବାଦ ପରେ ସବ୍ ଇନ୍ସପେକ୍ଟର(ଏସଆଇ) ପରୀକ୍ଷା ପାଇଁ ବାଟ ଫିଟିଛି। ପ୍ରାର୍ଥୀମାନଙ୍କ ଡାଟା ପୂର୍ବରୁ ଫରେନସିକ୍ ଲ୍ୟାବ୍ ଓ ତଦନ୍ତ ଯୋଗୁ ଫସି ରହିଥିଲା । ଏବେ ଏହି ଆଇନଗତ ସମସ୍ୟାର ସମାଧାନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଆସନ୍ତା ସପ୍ତାହ ପରୀକ୍ଷା ନେଇ ପ୍ରାର୍ଥୀମାନଙ୍କୁ ସୂଚନା ଦିଆଯିବ ବୋଲି ଓଡ଼ିଶା ୟୁନିଫର୍ମଡ୍ ଷ୍ଟାଫ ସିଲେକ୍ସନ ସର୍ଭିସ (ଓୟୁଏସଏସଏସ୍) କମିଶନ ଅଧ୍ୟକ୍ଷ ରଶ୍ମୀରଞ୍ଜନ ସ୍ପାଇଁ ସୂଚନା ଦେଇଛନ୍ତି। ତା’ଛଡା ରାଜ୍ୟର ସମସ୍ତ ୟୁନିଫର୍ମ ସର୍ଭିସରେ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଓ ସ୍ବଚ୍ଛ କରିବା ନିମନ୍ତେ‘ଏକକ ପରୀକ୍ଷା’ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Also Read :- ବନ୍ଧା ହେଲେ ଡିଆଇଜି : ସୁପ୍ରିମକୋର୍ଟଙ୍କ ନକଲି ଆଦେଶରେ କଏଦୀକୁ କରିଥିଲେ ଖଲାସ

ପ୍ରାର୍ଥୀମାନେ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ଓ ଇମେଲକୁ ଆସିବାକୁ ଥିବା ଓଟିପି ଜରିଆରେ ନିଜର କ୍ରେଡେନ୍ସିଆଲକୁ ରିଭାଲିଡେଟ୍ କରିବେ।ଏହି ତଥ୍ୟ ଯାଞ୍ଚ କରିବା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ। ପୂର୍ବରୁ ଥିବା ନୋଟିଫିକେସନରେ ଥିବା ସମସ୍ତ ନିୟମ,ସର୍ତ୍ତାବଳୀ ଓ ପାଠ୍ୟକ୍ରମ ଅନୁସାରେ ହିଁ ଏହି ପରୀକ୍ଷା ପରିଚାଳନା କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତିIପରୀକ୍ଷା କେବେ କରାଯିବ ସେନେଇ କମିଶନଙ୍କ ସାମୂହିକ ବୈଠକ ପରେ ତାରିଖ ଚୂଡ଼ାନ୍ତ କରାଯିବ ଓ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ଜରିଆରେ ଏହା ଘୋଷଣା ହେବ ବୋଲି ସେ କହିଛନ୍ତି। ଚଳିତ ଶୀତ ଋତୁ ଶେଷ ହେବା ପୂର୍ବରୁ ଶାରୀରିକ ଦକ୍ଷତା ପରୀକ୍ଷା ସହିତ ସମସ୍ତ ପ୍ରକ୍ରିୟା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ପ୍ରିଜନ,ଫରେଷ୍ଟ,ଏକ୍ସାଇଜ୍,ଟ୍ରାନ୍ସପୋର୍ଟ,ଆର୍ମଡ୍ ପୁଲିସ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଭଳି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୭ରୁ ୮ହଜାର କନଷ୍ଟେବଳ ଓ ସମତୁଲ ପଦବୀଗୁଡ଼ିକ ପାଇଁ ଗୋଟିଏ କମ୍ବାଇଣ୍ଡ୍ ପରୀକ୍ଷା କରାଯିବ । ବର୍ଷତମାମ ବାରମ୍ବାର ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଯେପରି ହଇରାଣ ନହୁଅନ୍ତି ଓ ସେମାନଙ୍କ ସମୟ ଓ ଅର୍ଥ ଅଯଥାରେ ନଷ୍ଟ ନ ହୁଏ,ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

ସୂଚନାମୁତାବକ,ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ବାରା ପରିଚାଳିତ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ପାଇଁ ଅନେକ ସମସ୍ୟା ଦେଖା ଦେଇଥିଲା । ପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ବାତିଲ କରିବା ସହ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡକୁ ଭାଙ୍ଗି ଦେଇଥିଲା। ବର୍ତ୍ତମାନ ପ୍ରଶ୍ନପତ୍ର ଲିକ୍ର ତଦନ୍ତ ସିବିଆଇ କରୁଛି।