ନୂଆଦିଲ୍ଲୀ, ୦୬/୧୦:କର୍ଣ୍ଣାଟକ ଜେଲ୍ ବିଭାଗର ଡିଆଇଜି ଏସ୍. ସୋମଶେଖରଙ୍କୁ ବେଙ୍ଗାଲୁରୁ ପୋଲିସ ସୋମବାର ଗିରଫ କରିଛି। ତାଙ୍କ ବିରୋଧରେ ୨୦୧୮ରେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲର ମୁଖ୍ୟ ଅଧୀକ୍ଷକ ଥିବା ସମୟରେ ସୁପ୍ରିମକୋର୍ଟଙ୍କ ନକଲି ଆଦେଶ ପ୍ରସ୍ତୁତ କରି ଆଜୀବନ ଜେଲ୍ କାଟୁଥିବା ଜଣେ କଏଦୀଙ୍କୁ ଖଲାସ କରିଥିବାର ଅଭିଯୋଗ ରହିଛି। କେବଳ ସେତିକି ନୁହେଁ,ସେ କଏଦୀଙ୍କ ପତ୍ନୀଙ୍କୁ ଯୌନଶୋଷଣ କରିଥିବା ମଧ୍ଯ ପୁଲିସ କହିଛି।

ଗିରଫ ପରେ ଏକ ସ୍ଥାନୀୟ କୋର୍ଟରେ ଆଜି ତାଙ୍କୁ ହାଜର କରାଯାଇଥିଲା। ସେଠାରେ କୋର୍ଟ ତାଙ୍କୁ ଅକ୍ଟୋବର ୯ ଯାଏ ପୁଲିସ ହେପାଜତକୁ ପଠାଇଛନ୍ତି। ପୁଲିସ ଅନୁସାରେ,୨୦୦୪ରେ ଅପହରଣର ଏକ ମାମଲରେ ଫାଷ୍ଟ ଟ୍ରାକ୍ କୋର୍ଟ ଶଙ୍କର ଏ.ଙ୍କୁ ଆଜୀବନ ଜେଲ୍ ଶୁଣାଇଥିଲେ। ଦଣ୍ଡାଦେଶ ବିରୋଧରେ ସେ କର୍ଣ୍ଣାଟକ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଆବେଦନ ଖାରଜ ହୋଇଯାଇଥିଲା। ତେବେ ୨୦୧୮ରେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲର ମୁଖ୍ୟ ଅଧୀକ୍ଷକ ଥିବା ଏସ୍. ସୋମଶେଖର ଶଙ୍କରଙ୍କୁ ଖଲାସ କରିବା ଲାଗି ସୁପ୍ରିମକୋର୍ଟଙ୍କ ଏକ ନକଲି ଆଦେଶ ପ୍ରସ୍ତୁତ କରିଥିଲେ।

Also Read :- ଆଜି ଦିଲ୍ଲୀରେ ଗର୍ଜିବେ ୧୯ ବିରୋଧୀ ଦଳ : ମାଗିବେ ଜ୍ଞାନେଶ କୁମାରଙ୍କ ଇସ୍ତଫା

ସେହିବର୍ଷ ନଭେମ୍ବର ୨ରେ ଶଙ୍କରଙ୍କୁ ଖଲାସ କରାଯିବା ପାଇଁ ଅଦେଶ ଦିଆଯିବା କଥା ଉଲ୍ଲେଖ ଥିଲା। ପରେ ସେହି ଆଧାରରେ ନଭେମ୍ବର ୧୩ରେ ଶଙ୍କରଙ୍କୁ ଜେଲରୁ ଖଲାସ କରାଯାଇଥିଲା। ତେବେ ଚଳିତବର୍ଷ ମେ ୨୦ରେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲର ପ୍ରଭାରୀ ଅଧୀକ୍ଷକ ପରସନା ଅଗ୍ରହାରା ପୁଲିସ ଷ୍ଟେସନରେ ଏଥିନେଇ ଅଭିଯୋଗ କରିଥିଲେ। ପୁଲିସର ଯାଞ୍ଚରୁ ତାଙ୍କର ଅଭିଯୋଗ ସତ୍ୟ ହୋଇଥିବା ଜଣାପଡ଼ିବା ପରେ ଜେଲ୍ ବିଭାଗର ଡିଆଇଜି ଏସ୍.ସୋମଶେଖରଙ୍କୁ ଆଜି ଗିରଫ କରାଯାଇଛି। ଏହି ଷଡ଼ଯନ୍ତ୍ରରେ ସାମିଲ ଅନ୍ୟ ଜେଲ୍ ଅଧିକାରୀଙ୍କ ସଂପର୍କରେ ତଦନ୍ତ ଚାଲିଛି।