ଭୁବନେଶ୍ୱର: ଓଡ଼ିଶା ପୋଲିସ ବାହିନୀରେ ମହିଳା ସଶକ୍ତିକରଣର ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟ ପୋଲିସ ଇତିହାସରେ ପ୍ରଥମ ଥର ପାଇଁ ୩ ଜଣ ମହିଳା କନଷ୍ଟେବଳ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) କମାଣ୍ଡୋ ପ୍ରଶିକ୍ଷଣ ପାଇଛନ୍ତି। ଅତ୍ୟନ୍ତ କଠିନ କୁହାଯାଉଥିବା ଏହି ୧୨ ସପ୍ତାହର ସ୍ୱତନ୍ତ୍ର କମାଣ୍ଡୋ ତାଲିମକୁ ସେମାନେ ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି।

ଆତଙ୍କବାଦୀ କାର୍ଯ୍ୟକଳାପର କଡ଼ା ମୁକାବିଲା ଏବଂ ଯେକୌଣସି ସ୍ୱତନ୍ତ୍ର ଅପରେସନରେ ମହିଳା ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ଓଡ଼ିଶା ପୋଲିସ ଅଧୀନରେ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ‘ସ୍ପେଶାଲ ଟାକ୍ଟିକାଲ ୟୁନିଟ୍’ ବା STU କାର୍ଯ୍ୟ କରୁଛି। ଏହି ୟୁନିଟ୍‌କୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅଧିକ ସଂଖ୍ୟକ ମହିଳା କର୍ମଚାରୀଙ୍କୁ କମାଣ୍ଡୋ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଛି।

Also Read: ପରକିୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା କରି ଅଳିଆ ଗଦାରେ ଫିଙ୍ଗିଲା ପତି, ଏପରି ଖୋଲିଲା ରହସ୍ୟ

ଏନେଇ ଆଣ୍ଟି ଟେରର ଅପରେସନ ଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଥିବା କମାଣ୍ଡୋ ଟ୍ରେନିଂ ସେଣ୍ଟରରେ NSG ସହଯୋଗରେ ନିୟମିତ ଭାବେ ମିଳିତ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଆଗକୁ କେବଳ ମହିଳା କନଷ୍ଟେବଳ ନୁହନ୍ତି, ବରଂ ଜବାନଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଫିସର ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଉଚ୍ଚସ୍ତରୀୟ ତାଲିମରେ ସାମିଲ କରାଯିବ। ବିଶେଷ କରି ସହରାଞ୍ଚଳରେ ଘଟୁଥିବା ଆତଙ୍କବାଦୀ ଆକ୍ରମଣ (ଅର୍ବାନ ଟେରରିଜିମ୍) ର ଦୃଢ଼ ମୁକାବିଲା କରିବା ପାଇଁ STU ଟିମ୍‌ରେ ମହିଳା କମାଣ୍ଡୋମାନଙ୍କୁ ସାମିଲ କରିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।