ବେଙ୍ଗାଲୁରୁ: ପ୍ରୟୁକ୍ତି ସହର ବେଙ୍ଗାଲୁରୁରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଏଠାରେ ଅବୈଧ ସମ୍ବଦ୍ଧ ସନ୍ଦେହରେ ଜଣେ ୨୫ ବର୍ଷ ବୟଷ୍କ ଯୁବକ ତାର ୩୪ ବର୍ଷୀୟ ପତ୍ନୀ କୁ ଗଳାକାଟି ହତ୍ୟା କରିଛି। ଏହି ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଶବକୁ ଏକ ଅଖାରେ ଭର୍ତ୍ତି କରି ନିକଟସ୍ଥ ପାର୍କ କୋଣରେ ଥିବା ଅଳିଆ ଗଦାରେ ଫିଙ୍ଗି ଫେରାର ହୋଇଯାଇଥିଲା। ଏହି ଜଘନ୍ୟ ହତ୍ୟାକାଣ୍ଡ ୨ ମାସରୁ ଅଧିକ କାଳ ହେଲା ଲୋକଲୋଚନକୁ ଆସି ନଥିଲା। ତେବେ ଏକ ବୁଲା କୁକୁର ଯୋଗୁ ହତ୍ୟାର ରହସ୍ୟ ଖୋଲି ଯାଇଛି। ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ ଯେ ଏହି ଘଟଣାଟି ବେଙ୍ଗାଲୁରୁର ଗୁଣ୍ଡାଜନେୟ ମନ୍ଦିର ପାର୍କ ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କୁ ସୂଜାତା (୩୪) ଭାବେ ଚିହ୍ନଟ କରାଯାଇଛି। ଅନ୍ୟପଟେ ଗିରଫ ଅଭିଯୁକ୍ତ ତାର ଦ୍ୱିତୀୟ ସ୍ୱାମୀ ଫୟାଜ ପାସା ଓରଫ କାଲୁ ଓ ସେ ଚିକ୍କାବଲ୍ଲାପୁରର ବାସିନ୍ଦା ଭାବେ ଚିହ୍ନଟ କରାଯାଇଛି। ପୋଲିସ ଅନୁସାରେ ଏହି ହତ୍ୟାକାଣ୍ଡ ପାଖାପାଖି ୨ ମାସ ପୂର୍ବେ ହୋଇଥିଲା। ସକାଳେ ପାର୍କକୁ ବୁଲି ଯାଇଥିବା ଲୋକେ ସେଠାରେ ଏକ ମଣିଷ ଖପୁରି ପଡିଥିବାର ଦେଖି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ମିଳିବାମାତ୍ରେ କୋଡିଗେହଲ୍ଲୀ ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ସହ ଆଖପାଖ ଅଞ୍ଚଳର ତଲାସ କରିଥିଲା। ଏହି ସମୟରେ ଖପୁରି ନିକଟରୁ ପାଖାପାଖି ୩୦ ମିଟର ଦୂର ଅଳିଆ ଗଦାରେ ଏକ ବସ୍ତା ପୋତା ହୋଇଥିବା ଦେଖି ଏହାକୁ ଖୋଳି ବାହାର କରାଯାଇଥିଲା। ସେଥିରୁ ମହିଳାର କଙ୍କାଳ ମିଳିଛି।

ଏହି କଙ୍କାଳ ନିକଟରୁ ପୋଲିସକୁ ଏକ ଛୋଟ ପାଉଚ୍ ମିଳିଛି, ଏଥିରେ ମହିଳାଙ୍କ ଆଧାରକାର୍ଡ ଓ ପାନ କାର୍ଡ ମିଳିଥିଲା। ଏଥିରୁ ମହିଳାଙ୍କ ପରିଚୟ ମିଳିବା ସହ ପୋଲିସ ଯାଞ୍ଚ ଆଗକୁ ବଢାଇବାରୁ ସେ ଫୟାଜ ପାସାକୁ ଦ୍ୱିତୀୟ ବିବାହ କରିଥିବା ଜଣାପଡିଛି। ପ୍ରାରମ୍ଭିକ ତଦନ୍ତ ଅନୁସାରେ ସୁଜାତାର ପ୍ରଥମ ସ୍ୱାମୀର ପାଖାପାଖି ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ଏହା ପରେ ସୁଜାତା ତାର ୫ଟି ପିଲାଙ୍କ ସହ ଭଉଣୀଘର ଛାଡି ନିଜେ ଗୁଜୁରାଣ ମେଣ୍ଟାଇବା ପାଇଁ ଜରି ଗୋଟାଳି ଭାବେ କାମ କରିଥିଲା। ଏହି ସମୟରେ ସେ ଫୟାଜକୁ ଭେଟିଥିବା ବେଳେ ପାଖାପାଖି ୫ ମାସ ପୂର୍ବେ ସେମାନେ ବିବାହ କରିଥିଲେ।

ବିବାହର କିଛି ସମୟ ପରେ ପାସା ସୂଜାତାର ଚରିତ୍ରକୁ ସନ୍ଦେହ କରିଥିଲା। ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ ପ୍ରାୟ ଝଗଡା ହେଉଥିଲା। ଏଣୁ କିଛି ସମୟ ଲାଗି ପାଶା ସୁଜାତାଠୁ ଅଲଗା ହୋଇଯାଇଥିଲା। ତେବେ ପରେ ସୁଜାତା ତାକୁ ମନେଇ ଫେରାଇ ଆଣିଥିଲା। ସେମାନଙ୍କ ରହିବାର କୌଣସି ସ୍ଥାୟୀ ଠିକଣା ନଥିଲା, ଏଣୁ ସେମାନେ ପାର୍କ ଓ ବସ୍ ଷ୍ଟାଣ୍ଡରେ ସମୟ କାଟୁଥିଲେ। ପୋଲିସ ପରା ଉଚରାରେ ପାସା ତାର ଦୋଷ ସ୍ୱୀକାର କରିଛି।

୨ ମାସ ପୂର୍ବେ ସେମାନେ ପାର୍କରେ ରାତିରେ ମଦ ପିଇଥିଲେ। ଏହି ସମୟରେ କୌଣସି କଥାକୁ ନେଇ ସେମାନଙ୍କ ଭିତରେ ପୁଣି ଝଗଡା ହୋଇଥିଲା। ଏଥିରେ ପାସା ଉତ୍ତେଜିତ ହୋଇ ଛୁରିରେ ସୁଜାତାର ଗଳା କାଟି ଦେଇଥିଲା ଓ ପାର୍କ କୋଣରେ ଥିବା ଅଳିଆ ଗଦାରେ ଶବକୁ ଲୁଚାଇ ଫେରାର ହୋଇଯାଇଥିଲା। ଶବ ଓ କାଗଜପତ୍ର ପ୍ରମାଣ ଆଧାରରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ପାସାକୁ ୟେଲହଙ୍କାର ରୈତାରା ସନ୍ଥେ ଅଞ୍ଚଳରୁ ଧରିଥିଲା। ଅଭିଯୁକ୍ତ ଏବେ ପୋଲିସ ହାଜତରେ ଥିବା ବେଳେ ପରବର୍ତ୍ତି ଯାଞ୍ଚ ଜାରି ରହିଛି।