ଭୁବନେଶ୍ଵର: ରାଜ୍ୟରେ ଗତ ଚାରି ମାସ ହେବ ଅନେକ ହିତାଧିକାରୀଙ୍କୁ ଭତ୍ତା ମିଳିନାହିଁ। ଏହାକୁ ନେଇ ରାଜ୍ୟର ଅନେକ ଅଞ୍ଚଳରେ ବୃଦ୍ଧ ବୃଦ୍ଧା ହିତାଧିକାରୀ ରାସ୍ତାକୁ ଓହ୍ଲାଇବା ସହ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏପରିକି ଭତ୍ତା ଦେଇ ନ ପାରିବା ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚିତ ମଧ୍ୟ ହେବାକୁ ପଡ଼ିଛି। ତେବେ ଅକ୍ଟୋବର ସୁଦ୍ଧା ବକେୟା ଭତ୍ତା ମିଳିବ ବୋଲି  ଶୁକ୍ରବାର ବିଧାନସଭାରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଗୃହରେ ତଥ୍ୟ ରଖି ମନ୍ତ୍ରୀ କହିଛନ୍ତି,  ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ରହିଛନ୍ତି। ଅଧିକାଂଶ  ହିତାଧିକାରୀଙ୍କୁ ଭତ୍ତା ମିଳିଥିବା ବେଳେ ଆଉ କିଛି ହିତାଧିକାରୀଙ୍କ ଭତ୍ତା ଗତ ୪ ମାସ ହେବ ପ୍ରଦାନ ହୋଇପାରି ନାହିଁ। ଏହା ପଛରେ ବିଭିନ୍ନ ବୈଷୟିକ ତ୍ରୁଟି (technical issues) କାରଣ ସାଜିଛି। ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି।

Also Read: ରାଜ୍ୟରେ ଖସିଲା ଡ୍ରପ୍ ଆଉଟ୍ ହାର, ୧୫% ରୁ ୧୪.୧% କୁ ହ୍ରାସ, ସ୍କୁଲକୁ ଫେରିଲେ ୮୦ ହଜାର ପିଲା

ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ, କେନ୍ଦ୍ର ସରକାର ଏବଂ ଟ୍ରେଜେରୀର ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।