ଭୁବନେଶ୍ଵର: ପେଟ୍ରୋଲ ଡିଜେଲ ବ୍ୟବହାର ନେଇ ଆଜି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର। ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ କିଛି ନିର୍ଦ୍ଦେଶ ଜାରି ହୋଇପାରେ । ସରକାରୀ ଗାଡି ବ୍ୟବହାର ପାଇଁ ଲାଗିପାରେ ଅଙ୍କୁଶ । କେତେକ ବିଭାଗରେ Work From Home ବ୍ୟବସ୍ଥା ମଧ୍ୟ ଆସିପାରେ। ସଚିବମାନଙ୍କୁ ବିଦେଶ ଗସ୍ତ ମନା ହୋଇପାରେ । ପବ୍ଲିକ ଟ୍ରାନ୍ସପୋର୍ଟ ବାଧ୍ୟତାମୂଳକ ହୋଇପାରେ । ଏପରିକି ତେଲ ସଂକଟ ଦେଖି ପାଇଲଟ ଭ୍ୟାନ ଫେରାଇଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

ପେଟ୍ରୋଲ ଡିଜେଲ ଖର୍ଚ୍ଚ କମ କରିବାକୁ ବଡ଼ ନିଷ୍ପତ୍ତି ନେବେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ୟୁପି, ଏମପି, ଦିଲ୍ଲୀ, ଗୁଜରାଟ ନିଜ ନିଜ ରାଜ୍ୟ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆଜି ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଏସବୁ ରାଜ୍ୟଙ୍କ ନିର୍ଦ୍ଦେଶନାମାକୁ ଦେଖିଲେ ଓଡ଼ିଶା ସରକାର ମଧ୍ୟ ଅନୁରୂପ ପଦକ୍ଷେପ ନେଇପାରନ୍ତି । ସେହି ଅନୁସାରେ...

୧- ରାଜ୍ୟ କର୍ମଚାରୀଙ୍କୁ ସପ୍ତାହକରେ ଦିନେ କିମ୍ବା ଦୁଇଦିନ ୱାର୍କ ଫ୍ରମ ହୋମ୍ କରିବାକୁ ପଡ଼ିପାରେ।

୨- ସରକାରୀ ଗାଡି ବ୍ୟବହାର ପାଇଁ ଲାଗିପାରେ ଅଙ୍କୁଶ । ଅତି ଜରୁରୀ କାର୍ଯ୍ୟ ବ୍ୟତୀତ ସରକାରୀ ଗାଡି ବ୍ୟବହାରରେ କଟକଣା ଲାଗିପାରେ।

୩- ପ୍ରତି ବିଭାଗ ଓ ଅଧିକାରୀଙ୍କ ପାଇଁ ମାସିକ ତେଲ ଖର୍ଚ୍ଚ ଧାର୍ଯ୍ୟ ହେବ ।

୪- ଅଧିକାରୀଙ୍କ ପାଇଁ ବ୍ୟକ୍ତିଗତ ଗାଡି ବଦଳରେ ସାମୁହିକ ଯାତାୟତକୁ ମିଳିପାରେ ଗୁରୁତ୍ବ।

୫- ସରକାରୀ ବୈଠକ ଅନଲାଇନରେ କରିବାକୁ ପ୍ରସ୍ତାବ।

୬- ଅନାବଶ୍ୟକ ଟୁର୍ ଓ ଭ୍ରମଣ ବନ୍ଦ କରିବାକୁ ପରାମର୍ଶ, ବର୍ଷେ ଯାଏଁ ବିଦେଶ ଗସ୍ତ ବନ୍ଦ।

୭- ସପ୍ତାହର କିଛି ଦିନ “No Vehicle Day” ଘୋଷଣା ହୋଇପାରେ।

୮- ସରକାରୀ ଅଫିସରେ ବିଦ୍ୟୁତ ଓ AC ବ୍ୟବହାର କମାଇବା ପାଇଁ ପରାମର୍ଶ ଆସିପାରେ।

୯- EV ବ୍ୟବହାରକୁ ପ୍ରାତ୍ସାହିତ କରିବାକୁ ଆସିପାରେ ପରାମର୍ଶ ।

୧୦ - ପୋଲିସ, ସ୍ବାସ୍ଥ୍ୟ ଓ ଜରୁରୀ ସେବାକୁ ପ୍ରଥମେ ଇନ୍ଧନ ଯୋଗାଣ ପାଇଁ ବ୍ୟବସ୍ଥା ।

୧୧- ସରକାରୀ ଗାଡ଼ି ପାଇଁ GPS ମନିଟରିଂ ଲାଗୁ କରାଯିବ। ବିଦେଶ ଗସ୍ତ ମନା ହୋଇପାରେ।

ପ୍ରଧାନମନ୍ତ୍ରୀ ନିଜ କାରକେଡ ଗାଡ଼ି ୨କୁ ହ୍ରାସ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି। ନିଜ କାରକେଡ ଗାଡ଼ି ହ୍ରାସ କରିଛନ୍ତି। ଆଜି ଦୁଇ ଉପମୁଖ୍ୟମନ୍ତ୍ରୀ ବିନା ପାଇଲଟରେ ଲୋକସେବା ଭବନ ଆସିଥିଲେ । ତେଲ ସଂକଟ ଦେଖି ପାଇଲଟ ଭ୍ୟାନ ଫେରାଇଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏଣିକି ଗୋଟିଏ ମାତ୍ର ଗାଡି ବ୍ୟବହାର କରିବେ। ସେହିପରି ଆଜିଠାରୁ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଇଭିର ବ୍ୟବହାର କରିବା ଆରମ୍ଭ କରିଛନ୍ତି | ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ନିଜ ପାଇଲଟ ଗାଡ଼ି ଛାଡ଼ିଛନ୍ତି।

Also Read: ଭୁବନେଶ୍ୱରରେ ତେଲ ଅଭାବ ! ୩ ଦିନରେ ୫୦% ବିକ୍ରି ବୃଦ୍ଧି, ସରକାରଙ୍କୁ ଦାୟୀ କଲା ଡିଲର୍ ସଂଘ

ତେବେ କଥା କେବଳ ମନ୍ତ୍ରୀ, ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପାଖରେ ସୀମିତ ରହୁନାହିଁ। ସାଧାରଣ ଲୋକେ ଏବଂ ଘରୋଇ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ମଧ୍ୟ ଅନୁରୂପ ପଦକ୍ଷେପ ନେବା ଜରୁରୀ ହୋଇଛି। କାରଣ ସମସ୍ତେ ଚାହିଁଲେ ସଙ୍କଟକୁ ବହୁ ଅଂଶରେ ହାଲୁକା କରାଯାଇପାରିବ। ସେହିପରି ସାଧାରଣ ଲୋକଙ୍କ ପାଇ ମଧ୍ୟ କିଛି ଏସଓପି ରାଜ୍ୟ ସରକାର ଆଣିପାରନ୍ତି ।