ଭୁବନେଶ୍ୱର, ୩୦/୦୮: ଧାରଣା ଅଛି ଯେ ଭୋଟ୍ ପଇଲା ପରେ ନେତା ଭୁଲି ଯାଆନ୍ତି । ନିର୍ବାଚନରେ ଜିତିଲା ପରେ ୫ ବର୍ଷ ସେମାନଙ୍କର ଦେଖା ମିଳେନି । କେହି ଅଭିଯୋଗ କଲେ ମଧ୍ୟ ସେମାନେ ଶୁଣନ୍ତିନି । ନିର୍ବାଚନ ପ୍ରଚାରରେ ଦେଇଥିବା ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟେ । ହେଲେ ଏସବୁକୁ ଭୁଲ ପ୍ରମାଣିତ କରିଛନ୍ତି ରେଙ୍ଗାଲିର ବିଜେଡି ବିଧାୟକ ସୁଦର୍ଶନ ହରିପାଲ । ସେ ନିଜର ପ୍ରଥମ ଦରମାକୁ ଶିକ୍ଷା ପାଇଁ ଖର୍ଚ୍ଚ କରିଛନ୍ତି । ଦରମାରେ ସେ ପିଲାଙ୍କ ପାଇଁ ଖାତା ବହି ଏବଂ ଶିକ୍ଷକଙ୍କ ପାଇଁ ବ୍ଲାକବୋର୍ଡ କିଣିଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ସୁଦର୍ଶନ ଏକ ଅନନ୍ୟ ଉଦ୍ୟମ ଆରମ୍ଭ କରିଥିଲେ । କିପରି ଆର୍ଥିକ ବର୍ଗର ଦୁର୍ବଳ ପିଲାମାନେ ଭଲରେ ପାଠ ପଢିପାରିବେ ସେଦିଗରେ ସେ ପଦକ୍ଷେପ ନେଇଥିଲେ । ଏଥିପାଇଁ ଗାଁରେ କୋଚିଂ ସେଣ୍ଟର ଖୋଲିବା ପାଇଁ ସେ ପ୍ରୟାସ କରିଥିଲେ । ଯାହାର ନାଁ ରହିଥିଲା ଉଦ୍ୟମ । ଏବେ ଏହାର ୧୦୦ରୁ ଅଧିକ ଶାଖା ରହିଛି । ବିଭିନ୍ନ ଶାଖାରେ ମୋଟ୍ ୧୫୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଯେତେବେଳେ ସୁଦର୍ଶନ ଜିଲ୍ଲା ପରିଷଦ ସଦସ୍ୟ ଥିଲେ ସେବେଠୁ ସେ ଗରିବ ପିଲାଙ୍କୁ ପାଠ ପଢାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସେ ଏକଦା ସରକାରୀ ସ୍କୁଲ ଭ୍ରମଣ କରିଥିଲେ । ଏହି ସମୟରେ ପିଲାଙ୍କ ଅବସ୍ଥା ଦେଖି ତାଙ୍କ ହୃଦୟ କାନ୍ଦିଥିଲା । ଅନେକ ଗରିବ ପିଲା ଟ୍ୟୁସନ କରିପାରୁ ନଥିଲେ । ସେମନଙ୍କ ପାଖରେ ଅର୍ଥର ଅଭାବ ଥିବାରୁ କେବଳ ସ୍କୁଲରେ ହିଁ ପାଠ ପଢୁଥିଲେ । ଏହା ଦେଖି ସୁଦର୍ଶନ ନିଜେ କିଛି ବ୍ୟବସ୍ଥା ନେବେ ବୋଲି ଭାବିଥିଲେ । କୌଣସି ସରକାରୀ ସହାୟତାକୁ ଅପେକ୍ଷା ନକରି ସେ ପ୍ରୟାସ ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ସେ ବିଧାୟକ ମଧ୍ୟ ହୋଇଥିଲା । ବିଧାୟକ ହେଲା ପରେ ସେ ନିଜର ପ୍ରଥମ ଦରମାରୁ ଲକ୍ଷେ ଟଙ୍କା ପିଲାଙ୍କ ପାଠପଢା ପାଇଁ ଖର୍ଚ୍ଚ କରିଥିଲେ । ଏପରି ପ୍ରୟାସକୁ କିପରି ସେ ଆଗକୁ ନେବେ ସେଦିଗରେ ମଧ୍ୟ ବନ୍ଧୁ ଏବଂ ଶୁଭେଚ୍ଛୁଙ୍କ ସହ ଆଲୋଚନା କରିଥିଲେ ।

ପ୍ରଥମେ ମାନେଶ୍ୱର ବ୍ଲକ ଅନ୍ତର୍ଗତ ଜୟଘଣ୍ଟା ଗ୍ରାମରେ ସେ ଏକ କୋଚିଂ ସେଣ୍ଟର ଖୋଲିଥିଲେ । ଗତ ଜାନୁଆରୀରେ ଏହା ଖୋଲା ଯାଇଥିଲା । ଏଠାରେ ସେହି ଗାଁର ଜଣେ ଅତି ଶିକ୍ଷିତ ମହିଳା ପିଲାଙ୍କୁ ପାଠ ପଢାଇବେ ବୋଲି ଆଗ୍ରହ ପ୍ରକାଶ କରିଥିଲେ । କୋଚିଂର ବ୍ଲାକବୋର୍ଡ, ଖଡି, ଖାତା ବହି ଆଦି ସୁଦର୍ଶନ ଯୋଗାଇ ଦେଇଥିଲେ । ଏସବୁକୁ ନେଇ ବିଧାୟକ କୁହନ୍ତି ଯେ, ଏପରି ପ୍ରୟାସ ପାଇଁ କୌଣସି ବଡ଼ ଚ୍ୟାଲେଞ଼୍ଜ୍ ନାହିଁ । ଆର୍ଥିକ ସହଯୋଗ ସେ କରିପାରୁଛନ୍ତି । ଅନେକ ଗ୍ରାମରେ ସେ କମ୍ୟୁନିଟି ସେଣ୍ଟଟର, କ୍ଲବ୍ ଏବଂ କ୍ଲାସରୁମ୍ ତିଆରି କରିଛନ୍ତି । କିଛି ଘରେ ଅନେକ ସ୍ୱେଚ୍ଛାସେବୀ କୋଚିଂ ପାଇଁ ନିଜ ଘର ଦେବାକୁ ରାଜି ଅଛନ୍ତି । ଏହାଦ୍ୱାରା ଆଗକୁ ଏହି ପ୍ରୟାସ ଆହୁରି ସଫଳତା ପାଇବ ।

Also Read :- ରକ୍ଷାକଲେ ମହାଦେବ : ମାଡ଼ି ଆସିଲା କାଦୁଅ ମିଶା ପାଣି, ସବୁ ଭାସିଗଲା, ହେଲେ ଘରକୁ ଧରିଥିଲା ଅଦୃଶ୍ୟ ହାତ !

ସୁଦର୍ଶନଙ୍କ ଏହି ନିଆରା ଉଦ୍ୟମ ବର୍ତ୍ତମାନ ତିନୋଟି ବ୍ଲକ ରେଙ୍ଗାଲି, ମାନେଶ୍ୱର ଏବଂ ଧାନକାଉଡାରେ ଚାଲିଛି । ପରେ ଏହା ଆହୁରି କାୟା ମେଲାଇବ । ଦିନକୁ ଦିନ ଏହି ପ୍ରୟାସରେ ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇଛନ୍ତି । ସେମାନେ ଆର୍ଥିକ ରୂପରେ ସାହାଯ୍ୟ କରୁଛନ୍ତି । ଅନେକ ବ୍ୟକ୍ତି ନିଜ ପରିଚୟ ଲୁଚାଇ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । କେବଳ ଚଳିତ ମାସରେ ୧୫ଟି କୋଚିଂ ଆରମ୍ଭ ହୋଇଛି ।

ବିଜୁ ଜନତା ଦଳର ରେଙ୍ଗାଲି ବିଧାୟକ ସୁଦର୍ଶନ ଆହୁରି କୁହନ୍ତି ଯେ, ଜଣେ ଆର୍ଥିକ ବର୍ଗରେ ସୁଦୃଢ ହୋଇପାରିଲେ ନିଜର ସ୍ୱପ୍ନକୁ ସାକାର କରିପାରିବ । ଏପରି ଭାବେ ଗରିବ ପିଲାଙ୍କୁ ସମର୍ଥନ କଲେ ସେମାନେ ଆଗକୁ ବଢିପାରିବେ । ଦେଶ ମଧ୍ୟ ଆଗକୁ ବଢିବ । ଉଦ୍ୟମ ଦ୍ୱାରା ସେମାନଙ୍କୁ ନୂଆ ଆଶା ମିଳିଛି । ମାତ୍ର କିଛି ମାସରେ ସେ ଏତେ ସଫଳତା ପାଇବେ ବୋଲି ଭାବିନଥିଲେ । ଏବେବି ବହୁତ କିଛି କରିବାକୁ ବାକି ରହିଥିବା ସେ ପ୍ରକାଶ କରିଛନ୍ତି । ନିଜ ନିର୍ବାଚନମଣ୍ଡଳୀର ସବୁ ଗାଁରେ ସେ ଏହି ପ୍ରୟାସର ଲାଭ ପିଲାଙ୍କୁ ଦେବେ ବୋଲି ପ୍ରକାଶ କରିଛନ୍ତି । ପାଠପଢା ସହ ପିଲାଙ୍କ କୌଶଳ କିପରି ବିକାଶ ହେବ ସେନେଇ ସେ ପଦକ୍ଷେପ ନେବା ନେଇ କହିଛନ୍ତି ।