କାଠମାଣ୍ଡୁ, ୩୦/୦୮: କଥାରେ ଅଛି ରଖେ ହରେ ତ ମାରେ କିଏ । ଯେତେ ବଡ ବିପଦ ଆସିଲେ ବି ଯଦି ଭଗବାନଙ୍କ ଆଶୀର୍ବାଦ ରହିଛି ତାହାଲେ କିଛି କ୍ଷତି ହୁଏନି । ବିନାଶକାରୀ ବନ୍ୟା ବି ପାଖ ମାଡେନି । କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନେପାଳରେ ।

ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସେଠାରେ ଧ୍ବଂସଲୀଳା ରଚିଛି। ଅଚାନକ ଆସିଥିବା ଏହି ଜଳପ୍ରଳୟ ଯୋଗୁ ଆଖି ପିଛୁଳାକେ ଶତାଧିକ ଘର, ପୋଲ, ରାସ୍ତା, ଜଳବିଦ୍ୟୁତ ପ୍ରକଳ୍ପ ସମେତ ଅନେକ ଭିଭିଭୂମି ଭାସିଯାଇଥିଲା। ସେହି ଛାତିଥରା ଦୃଶ୍ୟକୁ ବୟାନ କରୁଥିବା ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଇତିମଧ୍ୟରେ ସବୁଠାରୁ ଭିନ୍ନ ଆଉ ଏକ ଭିଡିଓ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି। ସେଥିରେ ସୁନାମି ଭଳି ମାଡ଼ି ଆସୁଥିବା ଉଛୁଳା ପାଣିର ଭୟଙ୍କର ସୁଅ ମଧ୍ୟରେ ଏକ ସବୁଜ ରଙ୍ଗର ଦୁଇମହଲା ଘର ସୁରକ୍ଷିତ ଥିବା ଦେଖିବାକୁ ମିଳୁଛି।

Also Read :- ବନ୍ୟାରେ ଭାସି ଆସିଲା 'ବ୍ୟାଙ୍କ୍ ଲକର', ତାଲା ଖୋଲି ଲକ୍ଷ ଲକ୍ଷ ଟଙ୍କା ନେଇଗଲେ ଗାଁ ଲୋକ !

ବନ୍ୟା ପାଣି କମିବା ପରେ ସେହି ଘରେ ରହୁଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ଏପରି ସ୍ଥଳେ ଲୋକେ ଏହାକୁ କୌଣସି ଚମତ୍କାରଠାରୁ କମ୍ ନୁହେଁ ବୋଲି କହୁଛନ୍ତି। ଭାଇରାଲ୍ ଭିଡିଓରେ ସେହି ଘର ଚାରିପାଖରେ କାଦୁଅ ମିଶା ପାଣି ଭୟଙ୍କର ଗତିରେ ପ୍ରବାହିତ ହେଉଥିବା ଏବଂ ସେଥିରେ ଟ୍ରକ୍, ବହୁ ଗାଡ଼ି, ଲୋକଙ୍କ ଘରକରଣା ଜିନିଷ ଭାସିଯିବା ଦେଖିବାକୁ ମିଳୁଛି। ପାଣିର ପ୍ରଚଣ୍ଡ ପ୍ରବାହରେ ଆଖପାଖର ଅନେକ ଘର ଏବଂ ଗଛ ବି ଧରାଶାୟୀ ହୋଇପଡ଼ିଥିଲା। କିନ୍ତୁ ସେହି ଘର ସୁରକ୍ଷିତ ରହିଥିଲା।

ଘରର ଦ୍ଵିତୀୟ ମହଲାର ବାଲକୋନୀରେ ପରିବାରର ସଦସ୍ୟ ଶାନ୍ତ ଭାବେ ଛିଡ଼ା ହୋଇ ପାଣି କମିବାକୁ ଅପେକ୍ଷା କରିଥିଲେ। ପାଣି କମିବା ପରେ ସେମାନଙ୍କ ମଧ୍ୟରୁ ଜଣେ ନିଜର ପୋଷାକ ହଲାଇ ଉଦ୍ଧାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନ୍ୟପଟେ ଏଭଳି ବିପର୍ଯ୍ୟୟ ସତ୍ତ୍ୱେ ଘରଟି ସୁରକ୍ଷିତ ରହିବାରୁ କିଛି ସୋସିଆଲ୍ ମିଡିଆ ୟୁଜର ଘରର ମଜଭୁତ ସଂରଚନା ଏବଂ ଏହାକୁ ବନାଇଥିବା ମିସ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି। ତେବେ ଘରଟି କେଉଁ ଅଞ୍ଚଳରେ ରହିଛି ତାହା ଜଣାପଡ଼ିନାହିଁ।