ଭୁବନେଶ୍ୱର ୨୭।୧୧ : ଓଡ଼ିଶାର ଲୋକସଭା ଆସନ ୨୧ରୁ ବଢ଼ି କେତେ ଛୁଇଁବ? ଲୋକସଭାରେ ରାଜ୍ୟର ପ୍ରତିନିଧିତ୍ୱ ହାର ବଢ଼ିବ ନା କମିବ? ୭ ମାସ ପରେ ପୁଣି ଥରେ ଏହି ଚର୍ଚ୍ଚା ଫେରିଛି । ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକରା ପରେ ବଢ଼ିଛି ରାଜନୈତିକ ଉତ୍କଣ୍ଠା । ସବୁଠି ଚର୍ଚ୍ଚା-ଲୋକସଭା ଆସନ ସଂଖ୍ୟା ବଢ଼ିଯିବ । ୫୪୩ରୁ ଡେଇଁ ୮୫୦ ଛୁଇଁପାରେ । ଖାଲି ସେତିକି ନୁହେଁ, ମହିଳା ସଂରକ୍ଷଣ ବିଲ୍ ବଳରେ ୩୩% ଆସନ ମହିଳାଙ୍କ ସଂରକ୍ଷିତ ହୋଇଯିବ । ଏ ଗଣିତ ଓଡ଼ିଶାର ନିର୍ବାଚନମଣ୍ଡଳୀ ରାଜନୀତିରେ ବଡ଼ ଓଲଟପାଲଟ ଆଣିବ ।

ସମ୍ବିଧାନ ବିଶାରଦ ଓ ରାଜନୈତିକ ବିଶ୍ଳେଷକଙ୍କ ଅଙ୍କ କହୁଛି, ଲୋକସଭାର ଆସନ ସଂଖ୍ୟା ବୃଦ୍ଧି ପାଇ ୮୧୫ରୁ ୮୫୦ ପର୍ଯ୍ୟନ୍ତ ଯାଇପାରେ । ବର୍ତ୍ତମାନର ଆସନ ସଂଖ୍ୟା ୫୦% ବୃଦ୍ଧି ପାଇବା ନେଇ କୁହାଯାଉଛି । ଏମିତି ହେଲେ ଲୋକସଭା ଆସନ ସଂଖ୍ୟା ୮୧୫ ହେବ । ବିବାଦକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବିତ ବିଲ୍ରେ ସବୁ ରାଜ୍ୟର ଲୋକସଭା ଆସନ ସଂଖ୍ୟା ୫୦% ଅଧିକ କରିପାରନ୍ତି । ଏଭଳି କ୍ଷେତ୍ରରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ବଢ଼ି ୩୨ ଛୁଇଁପାରେ ।

ଏଥିରେ ଓଡ଼ିଶାର ଜାତୀୟ ଭାଗିଦାରୀ ୩.୯୩% ରହିବ । କିନ୍ତୁ, ମୋଟ ଆସନ ୮୫୦ ଛୁଇଁଲେ ଓଡ଼ିଶାର ଲୋକସଭା କ୍ଷେତ୍ର ସଂଖ୍ୟା ୨୮-୨୯ ରହିପାରେ । କେବଳ ଲୋକସଭା ନୁହେଁ, ଏ ଫର୍ମୁଲା ବିଧାନସଭା ପାଇଁ ବି ଲାଗୁ ହେବ । ଯଦି ବିଧାନସଭାର ଆସନ ସଂଖ୍ୟା ୫୦% ବଢ଼ିବ, ମୋଟ ସଂଖ୍ୟା ୧୪୭ରୁ ବଢ଼ି ୨୨୦ ଟପିପାରେ ।

କେବଳ ସେତିକି ନୁହେଁ, ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରସ୍ତାବିତ ବିଲ୍ ପାରିତ ହେଲେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ୩୩% ମହିଳା ସଂରକ୍ଷଣ ଲାଗୁ ହେବ । ବର୍ତ୍ତମାନ ଲୋକସଭାରେ ୭୪ ଜଣ ମହିଳା ସାଂସଦ ଅଛନ୍ତି । ସେଥିରୁ ଓଡ଼ିଶାରୁ ୩ଜଣ । ବର୍ତ୍ତମାନ ସ୍ଥିତିରେ ମହିଳା ସଂରକ୍ଷଣ ବିଲ୍ ଲାଗୁ ହେଲେ ଓଡ଼ିଶାର ୭ଟି ଲୋକସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବ । ୨୯ଟି ସଂସଦୀୟ ଆସନ ହେଲେ ଏ ସଂଖ୍ୟା ୧୦ଟି ଓ ୩୨ଟି ଆସନରେ ୧୧ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ରାଜ୍ୟ ବିଧାନସଭାରେ ମହିଳା ବିଧାୟିକାଙ୍କ ସଂଖ୍ୟା ଏବେ ୧୧ । ୧୪୭ ବିଧାନସଭା ଆସନକୁ ନେଇ ୩୩% ସଂରକ୍ଷଣ ଲାଗୁ ହେଲେ ମହିଳାଙ୍କ ପାଇଁ ୪୯ଟି ଆସନ ସଂରକ୍ଷିତ କରିବାକୁ ହେବ । ବିଧାନସଭା ଆସନ ୨୨୦ ଛୁଇଁଲେ, ମହିଳାଙ୍କ ପାଇଁ ଅନ୍ୟୁନ ୭୪ଟି ଆସନ ସଂରକ୍ଷିତ ରହିବ ।

Also Read:-ଡିସେମ୍ବର ୧୫ ପୂର୍ବରୁ ସଂସଦ ଅଧିବେଶନ ! ଆସିପାରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍

୨୦୨୪ ନିର୍ବାଚନରେ ଲୋକସଭା ପାଇଁ ବିଜେଡି ୭, ବିଜେପି ୩ ଓ କଂଗ୍ରେସ ୨ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ବିଧାନସଭା ପାଇଁ ବିଜେଡି ୩୪, କଂଗ୍ରେସ ୧୨, ବିଜେପି ୧୦ ମହିଳାଙ୍କୁ ଟିକଟ ଦେଇଥିଲା । ଆଗକୁ ଏ ସଂଖ୍ୟା ବଢ଼ିବ । ବର୍ତ୍ତମାନ ୨୧ ଆସନ ସହ ଲୋକସଭାରେ ଓଡ଼ିଶାର ପ୍ରତିନିଧିତ୍ୱ ହାର ୩.୯% ରହିଛି । ବିଜେଡିର ଯୁକ୍ତି, ଲୋକସଭା ଆସନ ୨୯ ହେଲେ ଓଡ଼ିଶାର ଅନୁପାତ ୩.୪% ରହିବ । ଏହାକୁ ନେଇ ଗତ ୭ ମାସ ତଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆପତ୍ତି ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ ଭାବେ କହିଥିଲେ, ବିରୋଧୀଙ୍କ ଆଶଙ୍କା ଅମୂଳକ । ଓଡ଼ିଶା ଆଦୌ କ୍ଷତିଗ୍ରସ୍ତ ହେବନି । ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଗତ ଏପ୍ରିଲ ୩୦ରେ ଦିନିକିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିଥିଲେ ସରକାର । ମହିଳା ସଶକ୍ତିକରଣ ପାଇଁ ସମସ୍ତେ ମହିଳା ସଂରକ୍ଷଣକୁ ସମର୍ଥନ ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଗଣିତ ଏଯାଏ ଅସ୍ପଷ୍ଟ । ତେବେ ମହିଳା ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନରେ ମୁଖ୍ୟ ଆଧାର ହେବ ଜନସଂଖ୍ୟା ଓ ଭୌଗଳିକ କ୍ଷେତ୍ର । ଏହାକୁ ନେଇ ହିଁ ନୂଆ ନିର୍ବାଚନମଣ୍ଡଳୀ ସୃଷ୍ଟି ହେବ । ଭୁବନେଶ୍ୱର, ସମ୍ବଲପୁର, ସୁନ୍ଦରଗଡ଼, ପୁରୀ, ବାଲେଶ୍ୱର, କଟକ, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବଲାଙ୍ଗୀର, କଳାହାଣ୍ଡି ଆଦି ଲୋକସଭା ଆସନରେ ଭୋଟର ସଂଖ୍ୟା ପ୍ରାୟ ୧୫ ଲକ୍ଷରୁ ୧୭ ଲକ୍ଷ ମଧ୍ୟରେ । ଏଥିରୁ କେଉଁ ଆସନର ରୂପରେଖ ବଦଳିବା ସମ୍ଭାବନା ଅଧିକ । ଗଞ୍ଜାମ ଜିଲ୍ଲାରେ ଦୁଇଟି ଲୋକସଭା ଆସନ ଅଛି । କିନ୍ତୁ, ଜନସଂଖ୍ୟା ସହ ଭୌଗଳିକ ଦୃଷ୍ଟିକୋଣରୁ ଆଉ ଗୋଟିଏ ଆସନ ବଢିପାରେ । ସେହିପରି କୋରାପୁଟ ଓ ରାୟଗଡ଼ା ଆଗକୁ ଦୁଇଟି ଲୋକସଭା ଆସନ ହୋଇପାରେ ।

ବିଧାନସଭା କ୍ଷେତ୍ରକୁ ଦେଖିଲେ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଗଞ୍ଜାମ, ଭଦ୍ରକ, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଜଗତସିଂହପୁର, ପୁରୀ, କନ୍ଧମାଳ, ବୌଦ୍ଧ ଜିଲ୍ଲାର ଭୋଟରବହୁଳ ନିର୍ବାଚନମଣ୍ଡଳୀର ରୂପରେଖ ବଦଳି ନୂଆ ନିର୍ବାଚନମଣ୍ଡଳୀ ସୃଷ୍ଟି ହେବା ସମ୍ଭାବନା ରହିଛି । ବର୍ତ୍ତମାନ ସଂରକ୍ଷଣ କିମ୍ବା ସୀମା ନିର୍ଦ୍ଧାରଣ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ସମ୍ଭାବ୍ୟ ଆକଳନକୁ ନେଇ ଏବେଠାରୁ ଅନେକ ନେତାଙ୍କ ମୁଣ୍ଡରେ ଡର ପଶିଲାଣି । ଦଶନ୍ଧି ଦଶନ୍ଧି ଧରି ଯେଉଁ ନେତାମାନେ ନିର୍ଦ୍ଦିଷ୍ଟ ଆସନକୁ ଜାବୁଡ଼ି ଧରି ପତିଆରା ଦେଖାଉଛନ୍ତି, ସେମାନଙ୍କୁ କ୍ଷମତା ଖସିଯିବା ଭୟ ଘାରିଛି । ସଂରକ୍ଷଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଆଧାରରେ କାହା ପତ୍ତା କଟିବ, କହିବା ମୁସ୍କିଲ । ଅନେକ ଏବେଠାରୁ ନିଜ ପତ୍ନୀ, ଝିଅ, ମା’, ବୋହୂ ଏବଂ ପରିବାରର ମହିଳା ସଦସ୍ୟାଙ୍କୁ ପ୍ରସ୍ତୁତ କଲେଣି । ଅନ୍ୟପଟେ ନୂଆ ନିର୍ବାଚନମଣ୍ଡଳୀ ଓ ନୂଆ ସଂରକ୍ଷଣ ପଦ୍ଧତିକୁ ନେଇ ଅନେକ ଯୁବପିଢ଼ିଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଛି । ତେବେ ସୁଯୋଗ ମିଳିବା ଆଶାରେ ମହିଳା ନେତ୍ରୀ, ସଂଗଠକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।