ନୂଆଦିଲ୍ଲୀ: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ ର ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କା ଏ ଠାରୁ ହାରିଲା ଭାରତ ଏ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧରାତି ୫୦ ଓଭରରେ ୮ ୱିକେଟ ହରାଇ ୩୧୭ ରନ୍ ରନର ବିଶାଳ ସ୍କୋର ଛିଡ଼ା କରିଥିଲା। ଏହା ସତ୍ତ୍ୱେ ବି ଶ୍ରୀଲଙ୍କା ଠାରୁ ଏକପାଖିଆ ପରାଜୟ ବରଣ କରିଛି।

ଶ୍ରୀଲଙ୍କା ଏ ଦଳର ଓପନିଂ ଯୋଡ଼ି ଜବରଦସ୍ତ ପ୍ରଦର୍ଶନ କରିଥିଲା। ଦୁଇ ଓପନର ଲାସିଥ୍ କ୍ରୁସପୁଲେ(୧୧୬) ସିନେଥ ଜୟୱାର୍ଦ୍ଧନେ(୧୦୫) ଶତକ ହାସଲ କରିଥିଲେ। ନିଶାନ ମଦୁଶକା(୫୮)ଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ଦ୍ରୁତ ଗତିରେ କ୍କୋର ସାଉଁଟି ୪୧.୩ ଓଭରରେ ମାତ୍ର ୨ ୱିକେଟ ହରାଇ ୩୧୮ ରନ୍ ଲକ୍ଷ୍ୟ ସହଜରେ ହାସଲ କରି ନେଇଛି। ଏହି ପରାଜୟ ତିଲକ ବର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଏ ଦଳର ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।

ଅଭିଷେକ, ତିଲକ ଓ ଶାହବାଜଙ୍କ ଅର୍ଦ୍ଧଶତକ ବିଫଳ

ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ଏ ଏକ ଦୃଢ଼ ଆରମ୍ଭ ଦେଇଥିଲା। ଓପନର ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ରୁତ ଗତିରେ ସ୍କୋର ଆଗକୁ ବଢ଼ାଇଥିଲେ। ହେଲେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୈଭବ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ୨୭ ବଲରୁ ୪ ଚୌକା ଏବଂ ୩ଟି ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ୬୩ ବଲ ଖେଳି ୧୧ଟି ଚୌକା ଏବଂ ଗୋଟିଏ ଛକା ସହ ମୋଟ ୭୮ ରନର କରିଥିଲେ।

ପ୍ରଥମ ୱିକେଟ ପାଇଁ ଏହି ଯୋଡ଼ି ୮ ଓଭରରେ ୮୦ ରନ୍ ଯୋଡ଼ିଥିଲେ। ଲାଗୁଥିଲା ସ୍କୋର ୪୦୦ ପାଖାପାଖି ପହଞ୍ଚିବ। ବୈଭବ ଆଉଟ ହେବା ପରେ ବ୍ୟାଟିଂ ଆସିଥିବା ଅଧିନାୟକ ତିଲକ ବର୍ମା ୬୬ ବଲ୍ ରୁ ୩ଟି ଚୌକା ଏବଂ ଗୋଟିଏ ଛକା ମାରି ୫୩ ରନର ଏକ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ହେଲେ କୁମାର କୁଶାଗ୍ର, ରିଙ୍କୁ ସିଂହ ଏବଂ ସୂର୍ଯ୍ୟାଂଶ ଶେଡଗେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।

ନିମ୍ନ କ୍ରମରେ ବ୍ୟାଟିଂ କରି ଅଲରାଉଣ୍ଡର ଶାହବାଜ ଅହମ୍ମଦ ୪୮ ବଲରୁ ୪ଟି ଛକା ସହାୟତାରେ ଅପରାଜିତ ୫୪ ରନ କରିଥିଲେ। ଶାହବାଜ ଡେବ୍ୟୁଟାଣ୍ଟ ତନୁଶ କୋଟିଆନଙ୍କ ସହିତ ମିଶି ସପ୍ତମ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ି ଭାରତକୁ ୫୦ ଓଭରରେ ୩୧୭ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।

ଅନ୍ୟପକ୍ଷରେ, ଶ୍ରୀଲଙ୍କା ପାଇଁ ନିପୁନ ଧନଞ୍ଜୟ ୧୦ ଓଭରରେ ୪୧ ରନ୍ ଦେଇ ୨ ୱିକେଟ୍ ନେଇଥିବା ବେଳେ ଜାନିଥ ଲିଆନାଗେ ୫ ଓଭରରେ ୩୭ ରନ ଦେଇ ୨ ୱିକେଟ୍ ଏବଂ ରବିନ୍ଦୁ ଫର୍ଣ୍ଣାଣ୍ଡୋ ୧୦ ଓଭରରେ ୬୦ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଗାରୁକା ସଂକେତ ଏବଂ ଲାହିରୁ ସମରାକୁନ୍ ପ୍ରତ୍ୟେକେ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।