ନୂଆଦିଲ୍ଲୀ, ୨୬।୧୧ : ଆସନ୍ତା ମାସ ୧୫ ତାରିଖ ପୂର୍ବରୁ ସଂସଦର ଅଧିବେଶନ ଆରମ୍ଭ ହୋଇପାରେ। ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ ସହଯୋଗୀଙ୍କୁ ଡିସେମ୍ବର ୧୫ ପୂର୍ବରୁ ସଂସଦୀୟ ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ କରିବାକୁ କହିଛନ୍ତି। ଏହା ପୂର୍ବରୁ ବିଦେଶ ଗସ୍ତରୁ ଦୂରେଇ ରହିବାକୁ ବି କହିଛନ୍ତି। କୁହାଯାଉଛି ଯେ ସରକାର ୧୫ ତାରିଖ ପୂର୍ବରୁ ଅଧିବେଶନ ଡାକିବାକୁ ବିଚାର କରୁଥିବାରୁ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ତାରିଖ ଓ ଅବଦ୍ଧି ଧାର୍ଯ୍ୟ କରିବାର ସମ୍ଭାବନା ରହିଛି।

Also Read :- ଆଇପିଏଲ୍ ୨୦୨୭ ପାଇଁ କିଏ ହେବ କ୍ୟାପ୍ଟେନ୍ ? ଟ୍ୱିଟ୍ କରି ସଂକେତ ଦେଲା ମୁମ୍ବାଇ ଇଣ୍ଡିଆନ୍ସ: ଫ୍ୟାନ୍ କହିଲେ ରୋହିତ...ରୋହିତ….

ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍ ଏହି ଅଧିବେଶନର ମୁଖ୍ୟ କେନ୍ଦ୍ରବିନ୍ଦୁ ସାଜିବା ସମ୍ଭାବନା ରହିଛି। ଏହା ସହିତ ଲୋକସଭା ଏବଂ ବିଧାନସଭା ଆସନଗୁଡ଼ିକର ପ୍ରସ୍ତାବିତ ପୁନଃବଣ୍ଟନ ଉପରେ ସମ୍ଭାବ୍ୟ ବିତର୍କ ପାଇଁ ମଧ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି। ସୂତ୍ର ଅନୁସାରେ, ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଗାମୀ ସଂସଦ ଅଧିବେଶନ ସମ୍ପର୍କରେ ଆଲୋଚନା ହୋଇଛି। ମୋଦୀ ମନ୍ତ୍ରୀମାନଙ୍କୁ ସେମାନଙ୍କ ନିଜ ନିଜ ମନ୍ତ୍ରଣାଳୟକୁ ଅଧିବେଶନ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୀତକାଳୀନ ଅଧିବେଶନ ଡାକିବାରେ ବିଳମ୍ବକୁ ନେଇ ବିରୋଧୀ ଦଳଗୁଡ଼ିକ ତରଫରୁ ଆପଭି ଉଠୁଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି। ଅଗଷ୍ଟ ୧୩ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଥିବା ମୌସୁମୀ ଅଧିବେଶନର ଅଦ୍ୟାବଧି ଆନୁଷ୍ଠାନିକ ଭାବେ ପ୍ରୋରୋଗ୍ ହୋଇନାହିଁ । ଇତିମଧ୍ୟରେ ଉଭୟ ଗୃହ ମୁଲତବୀ ହେବାର ୧୦୩ ଦିନ ବିତିଗଲାଣି ।

ଆଗାମୀ ଅଧିବେଶନରେ ସରକାର ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍ ଆଗତ କରିବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ବିଲକୁ କଠିନ ସଂଖ୍ୟାଗରିଷ୍ଠତା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ । କାରଣ ଏଥିପାଇଁ ଲୋକସଭାରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ପଡ଼ିବ।