ଭୁବନେଶ୍ୱର ୦୧।୦୯ : ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା । ଓଡ଼ିଶା ଲୋକଭବନ ହାସଲ କରିଛି ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନ୍ସିଲ୍ (IGBC)ର ସମ୍ମାନଜନକ ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ୍ । ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ।

ଲୋକଭବନ ହେଉଛି ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟ I GBC ଗ୍ରୀନ୍ କ୍ୟାମ୍ପସ୍ ରେଟିଂ ବ୍ୟବସ୍ଥା ଅଧୀନରେ ଏହି ସାର୍ଟିଫିକେସନ୍ ମିଳିଛି। ଲୋକଭବନ କ୍ୟାମ୍ପସ୍ ୧୦୦ରୁ ୮୮ ଅଙ୍କ ହାସଲ କରି IGBCର ସର୍ବୋଚ୍ଚ ପ୍ଲାଟିନମ୍ ବର୍ଗରେ ସ୍ଥାନ ପାଇଛି। ଏହି ମାନ୍ୟତା ସ୍ଥାୟୀ ଶାସନ ଭିତ୍ତିଭୂମି ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। କ୍ୟାମ୍ପସ୍ ଯୋଜନା, ଭିତ୍ତିଭୂମି ଓ ଦୈନନ୍ଦିନ କାର୍ଯ୍ୟରେ ସ୍ଥାୟୀତ୍ୱକୁ ସମନ୍ୱିତ କରିଥିବାରୁ ଲୋକଭବନକୁ ଏହି ସମ୍ମାନ ମିଳିଛି।

Also Read:-ସିନେମା ପ୍ରେମୀଙ୍କ ପାଇଁ ଜବରଦସ୍ତ ଅଫର୍, ମାତ୍ର ୯୯ ଟଙ୍କାରେ ଦେଖନ୍ତୁ ନିଜ ମନପସନ୍ଦର ଫିଲ୍ମ

ଲୋକଭବନ କ୍ୟାମ୍ପସ୍ ଶକ୍ତି-ଦକ୍ଷ ପ୍ରଣାଳୀ, ନବୀକରଣୀୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତା ସୁରକ୍ଷା, ବୈଜ୍ଞାନିକ ବର୍ଜ୍ୟବସ୍ତୁ ପରିଚାଳନା, ସ୍ଥାୟୀ ଗତିଶୀଳତା ଏବଂ ବାସିନ୍ଦାଙ୍କ କଲ୍ୟାଣ ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଫଳତାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଖୁସି ଜାହିର କରି କହିଛନ୍ତି ଯେ, ମୁଁ ଦେଖିବାକୁ ଚାହୁଁଛି, ଓଡିଶାର ସବୁ ବିଶ୍ୱ ବିଦ୍ୟାଳୟ ଗ୍ରୀନ କ୍ୟାମ୍ପସ ହେଉ। ହଜାର ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ଗୁଡିକରେ ପଢୁଛନ୍ତି, ସେମାନେ ଏହାଦ୍ୱାରା ଅନୁପ୍ରାଣିତ ହୋଇ, ଏହାକୁ ଅନୁପାଳନ କରିବେ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାକୁ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି, ଲୋକଭବନର ଏହି ସ୍ୱୀକୃତି ଆଗାମୀ ଦିନରେ ରାଜ୍ୟରେ ନିର୍ମାଣ ହେବାକୁ ଥିବା ସରକାରୀ କୋଠାବାଡ଼ିଗୁଡ଼ିକ ପାଇଁ ପ୍ରେରଣା ଯୋଗାଇବ। ଭବିଷ୍ୟତରେ ସରକାର ନିର୍ମାଣ କରିବାକୁ ଥିବା ହସ୍ପିଟାଲ, ସ୍କୁଲ୍ ଏବଂ ଅନ୍ୟାନ୍ୟ ସରକାରୀ ଭବନଗୁଡ଼ିକରେ ଗ୍ରୀନ୍ ବିଲ୍ଡିଂ ମାନଦଣ୍ଡକୁ ଗୁରୁତ୍ୱ ଦେବା ସହ ଏଭଳି ମାନ୍ୟତା ହାସଲ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି । ଲୋକଭବନର ଏହି ସଫଳତା ରାଜ୍ୟରେ ପରିବେଶ ଅନୁକୂଳ, ଶକ୍ତି-ଦକ୍ଷ ଓ ସ୍ଥାୟୀ ସରକାରୀ ଭିତ୍ତିଭୂମି ନିର୍ମାଣ ପାଇଁ ଏକ ନୂଆ ଦିଗ ଦେଖାଇଛି।