ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ୩୪ଟି ଖଣି ନିଲାମ କରାଯିବ । ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ, ଚୂନପଥର, ତମ୍ୱା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଖଣି ଓ ସୁନା ଖଣି ଆଦିକୁ ନିଲାମ କରାଯିବ । ଏହି ଖଣିଗୁଡ଼ିକ ମାଲାକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ରହିଛି । ରାଜ୍ୟ ସରକାର ରାଜ୍ୟରେ ଥିବା ୨୫ଟି ଓ କେନ୍ଦ୍ର ସରକାର ୯ଟି ଖଣି ନିଲାମ କରିବେ ।

​​​​​​​Also Read...Caste Discrimination: ଜାତି ପ୍ରଥାର କରୁଣ ଚିତ୍ର, ବାଦ୍ ପଡ଼ିଲେନି ପୂର୍ବତନ ବିଧାୟକ ଓ ତାଙ୍କ ପରିବାର

ଖଣି ଓ ଖଣିଜ (ବିକାଶ ଓ ନିୟାମକ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷିଆ ଲିଜ୍ ଅବଧି ସହ ଏହି ଖଣିଗୁଡ଼ିକୁ ନିଲାମ କରାଯିବ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ନିଲାମ ହେବାକୁ ଥିବା ଖଣିଗୁଡ଼ିକ ମଧ୍ୟରୁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି ଓ ୯ଟି ହେଉଛି କ୍ରିଟିକାଲ୍ ମିନେରାଲ ଖଣି ରହିଛି ।

ବିଧାନସଭାରେ କହିଥିଲେ ମନ୍ତ୍ରୀ:

ବିଧାନସଭାରେ ଖଣି ମନ୍ତ୍ରୀ ବିଭୂତିି ଭୂଷଣ ଜେନା ସୂଚନା ଦେଇଥିଲେ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଛି ।ମୟୂରଭଞ୍ଜ ଜିଲ୍ଲାର ମଦନସାହି-କାଞ୍ଜିଆ ଓ କେନ୍ଦୁଝର ଜିଲ୍ଲାର ଜଳଡିହ ସୁନା ଖଣିର ନିଲାମ କରିବାକୁ ସରକାର ଯୋଜନା ରଖିଛନ୍ତି । ଦେବଗଡ଼ର ଅଡସ-ରାମପଲ୍ଲୀରେ ଠାବ କରାଯାଇଥିବା ସୁନା ଖଣିର ମଧ୍ୟ ନିଲାମ କରାଯିବ । ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗିରରେ ଗ୍ରାଫାଇଟ୍ ଖଣି, ଦେବଗଡ଼ରେ ସୁନା ଖଣି ନିଲାମ କରାଯିବ । ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ସଂସ୍ଥା ଏହି ଖଣିଗୁଡ଼ିକୁ ଠାବ କରିବା ସହ ଅନୁସନ୍ଧାନ କରିଛନ୍ତି ।

୨୦୨୩ ପରଠାରୁ ରାଜ୍ୟରେ ଖଣି ନିଲାମ ହୋଇନଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିଲାମ ପାଇଁ ୩୦ଟି ଖଣିକୁ ପ୍ରସ୍ତୁତ କରିଥିଲେ । ସେଥିରୁ ୮ଟି ଖଣି ନିଲାମ ହୋଇଛି । ୧୨ଟି ଖଣିକୁ ନିଲାମ କରାଯାଉଥିବା ବେଳେ ଖୁବ ଶୀଘ୍ର ଆଉ ୧୦ଟି ଖଣି ନିଲାମ କରାଯିବ ବୋଲି ସୂଚନା ମିଳିଛି ।