ନବରଙ୍ଗପୁର: ଜାତି ପ୍ରଥାର କରୁଣ ଚିତ୍ର । ବାଦ୍ ପଡ଼ିଲେନି ପୂର୍ବତନ ବିଧାୟକ ଓ ତାଙ୍କ ପରିବାର । ଝିଅର ଖୁସି ପାଇଁ ଅନ୍ୟ ଜାତିରେ ଜ୍ବାଇଁ କରିବାକୁ ଯାଉଥିବାରୁ ବାସନ୍ଦ କଲା ଜାତି ସମାଜ । ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ନିଜ ଝିଅର ବାହାଘର ପାଇଁ ଅନ୍ୟ ଜାତିର ପୁଅସହ ନିର୍ବନ୍ଧ କରି ଅଡୁଆରେ ଫସିଛନ୍ତି ।

ଗତକିଛି ଦିନ ତଳେ ଝିଅର ଅନ୍ୟ ଜାତିର ପୁଅସହ ସଦାଶିବ ନିର୍ବନ୍ଧ କରିଥିବାବେଳେ ଆସନ୍ତା ଏପ୍ରିଲ ମାସରେ ବାହାଘର କରିବାକୁ ପ୍ରସ୍ତୁତି କରୁଛନ୍ତି l ହେଲେ ଏହି ବାହାଘରକୁ ଭତରା ସମାଜ ପକ୍ଷରୁ ବିରୋଧ କରାଯାଉଛି । ସଦାଶିବ ପ୍ରଧାନୀ ଓ ତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଅଖିଳ ଭାରତୀୟ ଭତରା ସମାଜ ବିକାଶ ପରିଷଦ ପକ୍ଷରୁ ବାସନ୍ଦ କରାଯାଇଥିବା ଚିଠି ମାଧ୍ୟମରେ ଦର୍ଶାଯାଇଛି l

Also Read: ରାଜ୍ୟସଭା ନିର୍ବାଚନ ବଦଳାଇଲା ବିଧାନସଭା ଚିତ୍ର, ୧୧ ବିଧାୟକଙ୍କ ପାଇଁ ଆଲଟମେଣ୍ଟ ହେବ ନୂଆ ସିଟ୍

ବୈଠକରେ ରୋକ୍ ଠୋକ୍ ଶୁଣାଇ ଦେଲା ସମାଜ

ଝରିଗାଁ ଧାମଣାଗୁଡ଼ା ଦନ୍ତେଶ୍ବରୀ ମନ୍ଦିର ପରିସରରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ କରାଯାଇ ଏହି ନିଷ୍ପତି ନିଆଯାଇଛି । ଭତରା ସମାଜର ନୀତି ଓ ନିୟମ ନ ମାନି ଅନ୍ୟ ଜାତିର ପୁଅକୁ ଝିଅର ବିବାହ କରିବାକୁ ଯାଉଥିବା ବୈଠକରେ ଆଲୋଚନା ହୋଇଥିଲା । ଭତରା ସମାଜର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଓ ତାଙ୍କ ପରିବାରକୁ ଜିଲ୍ଲାର ୧୦ ଟି ବ୍ଲକର ଭତରା ସମାଜ ତରଫରୁ ବାସନ୍ଦ କରାଯାଇଥିଲା।

ଏହି ବାସନ୍ଦ ଅବଧି ସମୟରେ ସଦାଶିବ ପ୍ରଧାନୀଙ୍କ ପରିବାର ଲୋକଙ୍କ କୌଣସି ସୁଖ ,ଦୁଃଖ କିମ୍ବା ସାମାଜିକ କାର୍ଯ୍ୟରେ ଜିଲ୍ଲାର ଭତରା ସମାଜ ଯୋଗଦେବେ ନାହିଁ । ସେପଟେ ବାସନ୍ଦ ଘୋଷଣା ପରେ ସଦାଶୀବ ପ୍ରଧାନୀ ଓ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Also Read: କେମିତି ଜିତିଲେ ରାଜ୍ୟସଭା ନିର୍ବାଚନ, କେତେ ବିଧାୟକ ଦେଇଥିଲେ କଥା; ବଡ଼ ଖୁଲାସା କଲେ ଦିଲୀପ ରାୟ

ନିୟମକୁ ଫୁ'

ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଜାତି ପାଇଁ କୌଣସି ବ୍ୟକ୍ତି ବିଶେଷ କିମ୍ବା ସମାଜକୁ ବାସନ୍ଦ କଲେ ଦୃଢ ଆଇନ ବ୍ୟବସ୍ଥା ସହ ଦଣ୍ଡ ବିଧାନ ରହିଛି । ତେବେ ଜଣେ ପୂର୍ବତନ ବିଧାୟକ ଓ ତାଙ୍କ ପରିବାରକୁ ବାସନ୍ଦ ଘୋଷଣା ପରେ ନିଜ ସମାଜ ବିରୋଧରେ ସଂପୃକ୍ତ ରାଜନେତା କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା କରାଯାଇଛି । ସେପଟେ ସମାଜରେ ଏବେବି ଜାତି ବ୍ୟବସ୍ଥା ରହିଛି ଓ ଲୋକେ ଏହାର ଶିକାର ହେଉଛନ୍ତି ତାହା ଜଳ ଜଳ ହୋଇ ଦେଖାଯାଉଥିବା ବେଳେ ଏହା ଆମ ସାମାଜିକ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି ।